ସମ୍ବଲପୁର,୧/୯(ଇମିସ): କେନ୍ଦୁପତ୍ର ଶ୍ରମିକଙ୍କ ପ୍ରାୟ ୯୧ ହଜାର ପିଲାଙ୍କୁ ଛାତ୍ରବୃତ୍ତି ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସୂଚନା ଦେଇଛି।

Advertisment

ସଂଘ କହିଛି ଯେ, ମୁଖ୍ୟମନ୍ତ୍ରୀ ଘୋଷଣାକ୍ରମେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳି, ବନ୍ଧେଇଶ୍ରମିକ ଓ ସିଜିନାଲ କର୍ମଚାରୀମାନଙ୍କ ସ୍କୁଲ କଲେଜରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତି ପାଇବା ନେଇ ସରକାରଙ୍କ କେନ୍ଦୁପତ୍ର ସଂସ୍ଥା ପକ୍ଷରୁ ସର୍ଭେ ହୋଇଥିଲା। ଗତ ଅଗଷ୍ଟ ୨୨ ତାରିଖ ଦିନ ଉକ୍ତ ସର୍ଭେ ରିପୋର୍ଟକୁ ଭିତ୍ତି କରି ଛାତ୍ରବୃତ୍ତି ପାଇବାରେ ଥିବା ତ୍ରୁଟି ତଥା ଅସୁବିଧା ସବୁ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର ବାଲଚନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। ଏଥିରେ ରାଜସ୍ୱ ତଥା ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଆଦିବାସୀ ଦଳିତ ଶ୍ରେଣୀ ଓ ପଛୁଆ ବର୍ଗର କମିସନର, ଅନ୍ୟାନ୍ୟ ଉଚ୍ଚ ଅଧିକାରୀମାନେ ଯୋଗଦେଇଥିଲେ ।

ସର୍ଭେ ଅନୁସାରେ ୨୦୨୨ ମସିହାରେ ସମୁଦାୟ ୮ ଲକ୍ଷ ୧୨ ହଜାର ୩୩୯ ଜଣ ତୋଳାଳି , ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ଥିଲେ। ସେଥିରୁ ୮ ଲକ୍ଷ ୧୨ ହଜାର ୨୧୨ ଜଣ ସର୍ଭେ ଅନ୍ତର୍ଭୁକ୍ତ ହୋଇଥିଲେ। ଅର୍ଥାତ ଶତକଡା ୯୯ .୯୮ ଭାଗ ସର୍ଭେରେ ସାମିଲ ଥିଲେ। ୨୦୨୨- ୨୩ ଶିକ୍ଷା ବର୍ଷରେ କେନ୍ଦୁପତ୍ର ଶ୍ରମିକ ପରିବାରଙ୍କର ୯୩ ହଜାର ୨୫୭ ଜଣ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇବାକୁ ହକଦାର ହୋଇଥିଲେ। ସେଥିପାଇଁ ୯୧୭୫୮ ଜଣ ତୋଳାଳି ପରିବାରର, ୬୦୨ ବନ୍ଧେଇ ଶ୍ରମିକ ପରିବାରର ଏବଂ ୮୯୭ ଜଣ ଛାତ୍ର ଛାତ୍ରୀ ସିଜିନାଲ କର୍ମଚାରୀ ପରିବାରର ରହିଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ, ୮୯୫୪୩ ଜଣ ତୋଳାଳି ପରିବାରର ,୫୫୨ ଜଣ ବନ୍ଧେଇଶ୍ରମିକ ପରିବାରର ଏବଂ ୮୭୩ ଜଣ ସିଜିନାଲ କର୍ମଚାରୀଙ୍କର ଛାତ୍ରଛାତ୍ରୀମାନେ ସମସ୍ତ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅର୍ଥାତ ସର୍ବମୋଟ ୯୦୮୬୮ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ ମହାନ୍ତି କହିଛନ୍ତି, ଛାତ୍ର ବୃତ୍ତି ନିମନ୍ତେ ରେଞ୍ଜ ଓ ଡିଭିଜନସ୍ତରୀୟ ବୈଠକରେ ସଚେତନତା ସୃଷ୍ଟି କରାଯାଊଛି । ଆହୁରି ମଧ୍ୟ କେନ୍ଦୁପତ୍ର ସଂସ୍ଥାର ଅଧିକାରୀମାନେ ଉକ୍ତ ସର୍ଭେ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉଦ୍ୟମ କରୁଥିବା କହିଛନ୍ତି।