ହୀରାକୁଦ ବିସ୍ଥାପିତଙ୍କ ଥଇଥାନ ପ୍ରସଙ୍ଗ : ଏଚ୍‌ଆର୍‌ସିକୁ ଠିକ୍‌ ତଥ୍ୟ ଦିଅନ୍ତୁ ସରକାର: ସଂଗ୍ରାମ ସମିତି

ଇବ୍‌ଥର୍ମାଲ : ହୀରାକୁଦ ନଦୀବନ୍ଧ ଯୋଗୁଁ ବିସ୍ଥାପିତ ପରିବାର ସେମାନଙ୍କ ଭିଟାମାଟି ସହ ସର୍ବସ୍ବ ହରାଇ ତାଙ୍କର ହକ୍ ପାଇବାରୁ ବଞ୍ଚିତ। ଜନନେତା ପ୍ରସନ୍ନ ପଣ୍ଡାଙ୍କଠାରୁ ଆରମ୍ଭକରି ବୁଡି ଅଞ୍ଚଳ ସଂଗ୍ରାମ ସମିତି ଆଜି ବି ଏମାନଙ୍କ ହକ୍‌ ପାଇଁ ଲଢେଇ ଜାରି ରଖିଛନ୍ତି। ଅନେକ ସମୟରେ ସରକାର ଏହି ବିସ୍ଥାପିତଙ୍କ ପାଇଁ ନୀତି, ନିୟମ ଓ ଫଇସଲା କରିଛନ୍ତି ହେଲେ ସମସ୍ୟାର ସମାଧାନ ହୋଇ ପାରି ନାହିଁ। ୨୦୧୨ରେ ବିସ୍ଥାପିତଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇ ଯାଇଛି ବୋଲି ରାଜସ୍ବ ବିଭାଗ ରିପୋର୍ଟ ପ୍ରଦାନ କରି ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିଲା। ପରେ ସମ୍ବଳପୁରଠାରେ ବୁଡିଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ତଥ୍ୟ ସହ ଏହାର ପ୍ରତିବାଦ କରିବା ପରେ ସରକାର ମାନିଲେ ଯେ ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ସମାଧାନ ହୋଇ ନାହିଁ। ଏବେ ମାନବାଧିକାର କମିସନ୍ (ଏଚ୍ଆରସି) ସେହି ହୀରାକୁଦ ବିସ୍ଥାପିତଙ୍କ ଉପରେ ସବିଶେଷ ବିବରଣୀ ଡିସେମ୍ବର ୭ ସୁଦ୍ଧା ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି।  ଏଣୁ ସରକାର ସରଜମିନ ତଦନ୍ତ କରନ୍ତୁ ଏବଂ ଯାହା ସତ୍ୟ ତାହା ଏଚ୍ଆରସି ପାଖରେ ଉପସ୍ଥାପିତ କରନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି।

ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ବନ୍ଧବାହାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗ୍ରାମ ସମିତି ଦାବି ରଖିଛି ଯେ ଜାତୀୟ ମାନବାଧିକାର କମିସନ ସଦସ୍ୟ ବିଭୂତି ଭୂଷଣ ମିଶ୍ରଙ୍କ ରିପୋର୍ଟ ତଥା ସୁପ୍ରିମ କୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀଙ୍କ ଅପିଲ ଆଧାରରେ ଏନ୍‌ଏଚ୍‌ଆରସି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛି ।  ଆଜି ବି ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ଅବିଭକ୍ତ ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି । ତଥ୍ୟ ସହ ସଂଗ୍ରାମ ସମିତି କହିଛି ଯେ ସରକାର ୧୯୯୩ ମସିହାରେ ହୀରାକୁଦ ବିସ୍ଥାପିତଙ୍କୁ ଅନୁକମ୍ପା ମୂଳକ କ୍ଷତିପୂରଣ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ରେଗୁଲେସନ ୧୦୯୩୦ ଅନୁସାରେ ୨ କୋଟି ୬୭ ଲକ୍ଷ ୩୨ ହଜାର ୭୪୦ ଟଙ୍କା ମଞ୍ଜୁର ହେଲା। କିଛିଲୋକ କ୍ଷତିପୂରଣ ପାଇଲେ, ମାତ୍ର ଏବେ ବି ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ବସବାସ କରୁଥିବା ୧୩ ହଜାର ୭ ଶହ ୪୦ ପରିବାର ତାଙ୍କ କ୍ଷତିପୂରଣ ପାଇ ନାହାନ୍ତି। ସେ ସମୟରେ ଡିସି ପଟ୍ଟା ମାଧ୍ୟମରେ ବିସ୍ଥାପିତମାନଙ୍କ ମଧ୍ୟରୁ ୫ ହଜାର ୪ ଜଣଙ୍କୁ ଜମି ଦେବାର ବ୍ୟବସ୍ଥା କରାଯାଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ୪ଶହ ୮୬ ଜଣ ଡିସି ପଟ୍ଟା ପାଇବାରୁ ବଞ୍ଚିତ। ପଟ୍ଟା ପାଇଥିବା ୪ ହଜାର ୬ ଶହ ୧୮ ଜଣଙ୍କ ଜମି ଚିହ୍ନଟ କରାଯାଇ ସେମାନଙ୍କୁ ଆଜି ଯାଏଁ ଦଖଲ ଦିଆଯାଇ ନାହିଁ। ସେହିପରି ୩୪ ଟି ଅଣ ରାଜସ୍ବ ଗ୍ରାମକୁ ଅଦ୍ୟାବଧି ସର୍ଭେ ଓ ସେଟେଲମେଣ୍ଟ କାମ କରାଯାଇ ନାହିଁ। ପରିତାପର ବିଷୟ ଝାରସୁଗୁଡା ଜିଲ୍ଲାରେ ସବୁଠାରୁ ବେସି ଦରଖାସ୍ତକାରୀ ଥିବା ସତ୍ବେ ଏଠାରେ ଜଣକୁ ବି ୧୦ ଡିସିମିଲ ଘରଡିହ ଜମିପଟ୍ଟା ମିଳି ନାହିଁ। ସରକାର ଏହାର ପ୍ରକୃତ ତଦନ୍ତ କରନ୍ତୁ କାରଣ ବିଗତ ଦିନରେ ଭୁଲ ତଥ୍ୟ ଦିଆଯାଇଥିବାରୁ ସରକାର ତାର ପୁନରାବୃତ୍ତି ନକରନ୍ତୁ ବୋଲି ସଂଗ୍ରାମ ସମିତି ଦାବି କରିଛି। ସୂଚନାଯୋଗ୍ୟ ଯେ ୨୦୧୮ ଡିସେମ୍ବର ୧୬ ତାରିଖରେ ଜାତୀୟ ମାନବାଧିକାର କମିସନ ସଦସ୍ୟ ବି ବି ମିଶ୍ର ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ବୁଝିବାକୁ ଅଢାପଡା, ବିନକା, ଛଡାରମା ଓ ପତ୍ରାପାଲି ଗ୍ରାମକୁ ଯାଇ ବୈଠକ କରି ବିସ୍ଥାପିତଙ୍କ ସମସ୍ୟା ବୁଝିଥିଲେ। ସେତେବେଳେ ‘ସମ୍ବାଦ’ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ୭୦ ବର୍ଷହେଲା ହୀରାକୁଦ ବିସ୍ଥାପିତଙ୍କ ସହ ଅନ୍ୟାୟ କରାଯାଇଛି। ଆଜି କାମ ଜଟିଳ ହେଲେ ବି ଲୋକଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରାଯିବ। ଏବେ ତାଙ୍କ ରିପୋର୍ଟ ଆଧାରରେ ପୁଣି ସରାରଙ୍କୁ ରିପୋର୍ଟ ମଗାଯାଇଥିବାରୁ ସରକାର ଠିକ୍ ରିପୋର୍ଟ ପ୍ରଦାନ କରିବେ ଓ ବିସ୍ଥାପିତ ତାଙ୍କ ହକ୍ ଓ ନ୍ୟାୟ ପାଇବେ ବୋଲି ସଂଗ୍ରାମ ସମିତି ଆଶା ପ୍ରକାଶ କରିଛି। ଆଜି ସାମ୍ବାଦିକ ସମ୍ବିଳନୀରେ ବୁଡି ଅଞ୍ଚଳ ସଂଗ୍ରାମ ସମିତି ସଭାପତି ବସୁଦେବ ଭୋଇ, ସଂପାଦକ ଗୋପୀନାଥ ମାଝୀ, ବରିଷ୍ଠ ସଦସ୍ୟ ବିରଞ୍ଚି ସାହୁ, ସହ ସଂପାଦକ ବୈକୁଣ୍ଠ ସିଂହ, ଦ୍ବାରିକା ପ୍ରସାଦ ସା, ସଭ୍ୟ କେଦାରନାଥ ଧୁରୁଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର