କୁଚିଣ୍ଡା:ସମ୍ବଲପୁର ଜିଲ୍ଳାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ପାରୁଆଭାଡିଠାରେ ବର୍ତ୍ତମାନ ଏକ ଜିପିଏଲଏଫ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଛି, ମାତ୍ର ଏହାର କାର୍ଯ୍ୟସ୍ଥଳୀରେ ସୂଚନା ଫଳକ ଲଗାଯାଇ ନ ଥିବା ବେଳେ କାମଟି ମଧ୍ୟ ନିମ୍ନ ମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କୁଚିଣ୍ଡା ପଞ୍ଚାୟତ ସମିତିର କନିଷ୍ଠ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବର୍ତ୍ତମାନ ପାରୁଆଭାଡିଠାରେ ୨୨ ଲକ୍ଷ ଟଙ୍କା ବିନିମୟରେ ଏକ ଜିପିଏଲଏଫ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଛି। ମାତ୍ର ସରକାରୀ ନିୟମକୁ ବେଖାତିର କରି କାର୍ଯ୍ୟସ୍ଥଳୀରେ ସୂଚନା ଫଳକ ତିଆରି କରାଯାଇ ନାହିଁ। ଏହା ସହିତ କୋଠରୀଗୁଡିକର ତଳେ ବାଲି ବଦଳରେ ମାଟି ଭର୍ତ୍ତି କରାଯାଇଛି। କାନ୍ଥ ଯୋଡେଇ ପାଇଁ ବ୍ୟବହାର ହେଉଥିବା ଇଟା ଓ ବାଲି ଅତି ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ବାଲି ଓ ସିମେଣ୍ଟ ମିଶ୍ରଣରେ ପରିମାଣ ମଧ୍ୟ ସଠିକ ମାତ୍ରାରେ ହେଉନାହିଁ। ଏଣୁ ଏହି ଗୃହର ସ୍ଥାୟୀତ୍ୱ ନେଇ ଜନସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ସିଭଲ ସିମେଣ୍ଟ ଜାଗାରେ ବାଙ୍ଗର ସିମେଣ୍ଟରେ ଯୋଡେଇ କାମ ଚାଲିଛି। ଗତ ସୋମବାର ଦିନ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ନିର୍ମାଣସ୍ଥଳୀ ପରିଦର୍ଶନ କରିଥିଲେ।
ନିମ୍ନମାନର ନିର୍ମାଣ କାର୍ଯ୍ୟ ଚାଲୁଥିବା ନେଇ ଗ୍ରାମବାସୀମାନେ ସଂପୃକ୍ତ ଗ୍ରାମ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ ସୂଚନା ଦେବା ପରେ ବର୍ତ୍ତମାନ କାମଟି ବନ୍ଦ ରହିଛି। ତେବେ ଏ ବାବଦର ମତାମତ ପାଇଁ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ପ୍ରଗଣିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ‘‘ଏହି ସୂଚନା ମୁଁ ଆଗରୁ ପାଇଛି ଏବଂ ଠିକାଦାରକୁ ସେଠାରୁ ମାଟି କାଢ଼ି ବାଲି ଭର୍ତ୍ତି କରିବାକୁ ଓ ଇଟା ବଦଳାଇ ଭଲ ଇଟା ଆଣି କାମରେ ବ୍ୟବହାର କରିବାକୁ କହିଛି।’’