ବୁର୍ଲା: ବୁର୍ଲା ଭିମସାର୍ ଡାକ୍ତରଙ୍କ ଚୌକି ପ୍ରେମ ଏବେ ଡାକ୍ତର ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ବର୍ଷୀୟା କାର୍ଯ୍ୟ ଅବଧି ଶେଷ ହେବା ପରେ ମଧ୍ୟ ପଦ ଛାଡ଼ିବାକୁ ଡାକ୍ତର ଜଣକ ଚାହୁନଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆସିଛି ଭିମସାର୍ କୁଳସଚିବ ପ୍ରଫେସର ଭାବଗ୍ରାହୀ ରଥଙ୍କ ବିରୋଧରେ। ପ୍ରଫେସର ରଥ ବର୍ତ୍ତମାନ କୁଳସଚିବ ସହିତ ଫାର୍ମାକୋଲୋଜି ବିଭାଗର ମୁଖ୍ୟ ଅଛନ୍ତି। କୁଳସଚିବଙ୍କ କାର୍ଯ୍ୟକାଳ ୩ ବର୍ଷ ରହିଥାଏ। ସେ ୨୦୨୦ ମସିହାରୁ ଭିମସାର୍ କୁଳସଚିବ ପଦରେ ଅଛନ୍ତି। ତାଙ୍କ ୩ ବର୍ଷୀୟା କାର୍ଯ୍ୟକାଳ କେବେଠୁ ସରିଛି। ହେଲେ, ତାଙ୍କ ଜାଗାରେ ଆଉ ନୂଆ କାହାରିକୁ ନିଯୁକ୍ତି ଦିଆଯାଉନାହିଁ। ଭିମସାର୍ ଷ୍ଟେଚ୍ୟୁଟ୍ ତଥା ଏନ୍ଏମ୍‌ସି ଗାଇଡ୍‌ଲାଇନ୍‌ ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିବା ଉପରେ ଗୁରୁତ୍ବାରୋପ କରାଯାଇଛି। ପ୍ରଫେସର ରଥ ଦୁଇ ଦୁଇଟି ପ୍ରଶାସନିକ ପଦରେ ରହିଥିବାରୁ ଡାକ୍ତର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଭିମସାର୍ ଷ୍ଟେଚ୍ୟୁଟ୍ ଅନୁଯାୟୀ ଡିପିସି ଏବଂ ନିଯୁକ୍ତି ଉଭୟ କାର୍ଯ୍ୟର ଆବାହକ ହେଉଛନ୍ତି କୁଳସଚିବ। କିନ୍ତୁ, ତାଙ୍କୁ କାର୍ଯ୍ୟଭାର ବେଶି ହେଉଛି ବୋଲି ସେ ଡାକ୍ତରମାନଙ୍କୁ କହି ଆସୁଥିବା ବେଳେ ସେ ନିଜ ପଦ ଛାଡ଼ୁନାହାନ୍ତି କି ଭିମ୍‌ସାର ପକ୍ଷରୁ ଅନ୍ୟ କାହାରିକୁ ନିଯୁକ୍ତି ଦିଆଯାଉ ନାହିଁ।

Advertisment

ଅପରପକ୍ଷରେ ଡିପିସି ତଥା ନିଯୁକ୍ତି ପକ୍ରିୟା ବାଧାପ୍ରାପ୍ତ ହେଉଛି। ଭିମସାର୍ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ କାର୍ଯ୍ୟରତ ଥିବା ସମୟରେ ବିଭାଗୀୟ ମୁଖ୍ୟ ହେବା ପାଇଁ କହାଯାଇଥିଲା। କିନ୍ତୁ, ସେ ଅଧୀକ୍ଷକ ପଦରେ ରହି ଦାୟିତ୍ଵ ନିର୍ବାହ କରୁଥିବାରୁ ବିଭାଗୀୟ ମୁଖ୍ୟ ହେବାକୁ ମନା କରି ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କ ପରେ ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା ଏକାସଙ୍ଗେ ଚକ୍ଷୁ ବିଭାଗର ମୁଖ୍ୟ ଏବଂ ଅଧ୍ୟକ୍ଷା ଦାୟିତ୍ଵ ନିର୍ବାହ କରୁଥିଲେ। ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ସେ ଚକ୍ଷୁ ବିଭାଗର ମୁଖ୍ୟ ପଦରୁ ଓହରି ଯାଇ କେବଳ ଅଧ୍ୟକ୍ଷା ଦାୟିତ୍ଵ ନିର୍ବାହ କରୁଛନ୍ତି। କୁଳସଚିବ ମଧ୍ୟ ନୈତିକତା ଦୃଷ୍ଟିରୁ ଗୋଟିଏ ପଦରେ ରହି ଦାୟିତ୍ଵ ନିର୍ବାହ କଲେ ସେ ଭାରାକ୍ରାନ୍ତ ହେବେ ନାହିଁ ଏବଂ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରିପାରିବେ ବୋଲି ଡାକ୍ତର ମହଲରୁ କହାଯାଇଛି। ଅପରପକ୍ଷରେ ଏ ସଂକ୍ରାନ୍ତରେ ଡାକ୍ତର ରଥଙ୍କୁ ପଚାରିଯିବାରୁ ଭାରାକ୍ରାନ୍ତ ହେବା କଥା ପରୋକ୍ଷରେ ସ୍ବୀକାର କରିଥିଲେ ହେଁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଅନ୍ୟପକ୍ଷରେ ଭିମ୍‌ସାର ଅଧ୍ୟକ୍ଷ ଡାକ୍ତର ଜୟଶ୍ରୀ ଦୋରାଙ୍କୁ ପଚାରିବାରୁ ସେ ଭିମ୍‌ସାର ନିର୍ଦ୍ଦେଶକଙ୍କୁ ପଚାରିବାକୁ କହିଥିଲେ। ଅନ୍ୟପଟେ ବାରମ୍ବାର ଚେଷ୍ଟା ସତ୍ତ୍ବେ ଯୋଗାଯୋଗ ସମ୍ଭବ ନହେବାରୁ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।