ମହିଳା ପାର୍କରେ ପୁରୁଷ ବ୍ୟାୟାମଶାଳା!

ସମ୍ବଲପୁର: ବାଲିବନ୍ଧାରେ ରିଂରୋଡ଼ କଡ଼ରେ ଥିବା ସୈରିନ୍ଧ୍ରୀ ନାୟକ ମହିଳା ଉଦ୍ୟାନ ପରିସରରେ ପୁରୁଷମାନଙ୍କ ପାଇଁ ବ୍ୟାୟାମଶାଳା ନିର୍ମାଣ କରାଯାଉଛି। ମହିଳା ଉଦ୍ୟାନରେ ଠିକ୍‌ ଶାରୀରିକ ଅକ୍ଷମ ଥଇଥାନ କେନ୍ଦ୍ର ପାଚେରି ପଛପଟକୁ ବ୍ୟାୟାମଶାଳା ପାଇଁ କିଭଳି ଉପଯୁକ୍ତ ମନେ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି।
ବାଲିବନ୍ଧାର ଉପରୋକ୍ତ ସ୍ଥାନରେ ଇଂରେଜ ଅମଳରୁ ମହିଳା ଉଦ୍ୟାନ ରହିଥିଲା। ୧୯୮୨ ବନ୍ୟାରେ ବାଲିବନ୍ଧା ଧୋଇ ହୋଇ ଘାଈ ସୃଷ୍ଟି ହେବା ଫଳରେ ମହିଳା ଉଦ୍ୟାନକୁ ଜଳସ୍ରୋତ ଭିଡ଼ି ନେଇଥିଲା। ସୃଷ୍ଟି ହୋଇଥିବା ଏହି ଖାଲ ଭୂମିରେ ପୌର ପରିଷଦ ପକ୍ଷରୁ ଆବର୍ଜନା ପକାଯାଇ ଭୂମି ଉଦ୍ଧାର କରାଯାଇଥିଲା। ପ୍ରସନ୍ନ କୁମାର ଆଚାର୍ଯ୍ୟ ସମ୍ବଲପୁର ଲୋକସଭା ସାଂସଦ ଥିବା ସମୟରେ ତାଙ୍କ ସାଂସଦ ପାଣ୍ଠି ଅର୍ଥରେ ମହିଳା ଉଦ୍ୟାନର ପୁନରୁଦ୍ଧାର ପୂର୍ବକ ଏଠାରେ ପୂର୍ବତନ ବିଧାୟିକା ତଥା ସମାଜସେବୀ ସୈରିନ୍ଧ୍ରୀ ନାୟକଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

ନିକଟରେ ରିଂରୋଡ଼ର ପ୍ରଶସ୍ଥ କରାଯିବା ଯୋଗୁଁ ଏହି ପାର୍କର ନଦୀପଟ ପାଚେରୀ କାନ୍ଥ ଏବଂ ଅଧାଅଧି ଭୂମି ତହିଁରେ ଚାଲିଯାଇଛି। ମଝିରେ ଥିବା ପ୍ରତିମୂର୍ତ୍ତି ଏବେ ପାର୍କ କଡ଼କୁ ଚାଲିଯାଇଛି। ଏଠାରେ ନୂତନ ପାଚେରୀ ନିର୍ମାଣ କରାଯାଇ ମହିଳା ପାର୍କର ପୁନର୍ବିନ୍ୟାସ କରାଯିବା ପରିବର୍ତ୍ତେ ବ୍ୟାୟାମଶାଳା ନିର୍ମାଣ ଯଥାର୍ଥ କାର୍ଯ୍ୟ ନୁହେଁ ବୋଲି ଆଲୋଚନା ହେଉଛି। ବ୍ୟାୟାମଶାଳା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ରୋକାଯାଇ ପାଚେରୀ ନିର୍ମାଣ ପୂର୍ବକ ଏହାକୁ ଯଥାର୍ଥ ଭାବରେ ମହିଳା ଉଦ୍ୟାନ ରୂପେ ବିକଶିତ କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର