ହାଜତ ମୃତ୍ୟୁ ମାମଲା:ମୃତକଙ୍କ ପରିବାରକୁ ଭେଟିଲେ ବିଧାୟିକା

ସମ୍ବଲପୁର: ଅଇଁଠାପାଲି ଥାନା ହାଜତ ମୃତ୍ୟୁ ଘଟଣାରେ ଏଚ୍‌ଆର୍‌ପିସି ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପହଂଚି ନଥିବାରୁ ଅବିନାଶଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ। ଅପରକ୍ଷରେ ମଂଗଳବାର ସନ୍ଧ୍ୟାରେ ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଭାଲୁପାଲି ଯାଇ ମୃତକଙ୍କ ମା’ ଓ ଅନ୍ୟ ପରିବାରବର୍ଗଙ୍କୁ ସ୍ୱାନ୍ତନା ଦେଇଛନ୍ତି। ମୃତୁ୍ୟୁ ସଂପର୍କରେ ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି। ଆସନ୍ତକାଲି ପୂର୍ବାହ୍ନରେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ଟିମ୍‌ ଭାଲୁପାଲି ଯାଇ ମୃତକ ଅବିନାଶଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିିଳିଛି। ଉଲ୍ଲେଖଯୋଗ୍ୟ ଯେ, ରୋୟାଲ ରିଟ୍ରେଟ୍‌ରୁ ଚୋରିରେ ସଂପୃକ୍ତି ଅଭିଯୋଗରେ ଅବିନାଶଙ୍କୁ ପୁଲିସ୍‌ ଧରି ଆଣିଥିଲା।

ପୁଲିସ୍‌ର କହିବା ଅନୁସାରେ, ତା’ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା। ତେବେ ୮ ତାରିଖ ରାତିରେ ଅଇଁଠାପାଲି ଥାନା ହାଜତରେ ଅବିନାଶଙ୍କ ମୃତ୍ୟୁ ହୋଇଥିଲା। ୯ ତାରିଖ ଦିନ ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଥାନା ଜଳାପୋଡ଼ା ହୋଇଥିଲା। ୧୦ ତାରିଖ ଦିନ ଏଚ୍‌ଆର୍‌ପିସି ଟିମ୍‌ ସମ୍ବଲପୁର ଆସି ଏହି ଘଟଣାର ତଦନ୍ତ ଚଳାଇଛନ୍ତି। ଅଇଁଠାପାଲି ଥାନା ହାଜତ ନିରୀକ୍ଷଣ କରିବା ସହିତ ପୁଲିସ, କର୍ମଚାରୀମାନଙ୍କୁ କେଉଁ ପରିସ୍ଥିତିରେ ଅବିନାଶଙ୍କ ଜୀବନ ଗଲା, ତାହା ପଚାରିଛନ୍ତି। ଭାଲୁପାଲି ଗାଁକୁ ଯାଇ ଅବିନାଶଙ୍କ ମା, ଭାଇ ଓ ଅନ୍ୟ ସଂପର୍କୀୟଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛିି।

ସମ୍ବନ୍ଧିତ ଖବର