ସମ୍ବଲପୁର: ହୀରାକୁଦ ବନ୍ଧ ନିର୍ମାଣକୁ ୬୭ ବର୍ଷ ପୂରଛି। ତଥାପି, ସରିନି ବିସ୍ଥାପିତଙ୍କ ସଂଗ୍ରାମ। ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ନିୟମିତ ବ୍ୟବଧାନରେ ହୀରାକୁଦ ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ଓ ଉତ୍ତରାଂଚଳ ଆର୍‌ଡିସିଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ବି କରୁଛି। ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବିସ୍ଥାପିତଙ୍କ କଥା ଶୁଣୁନାହାନ୍ତି ସରକାର।
ଗତ ୧୩ ଜାନୁଆରି ୧୯୫୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୀ ହୀରାକୁଦ ନଦୀବନ୍ଧକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ହୀରାକୁଦ ନଦୀବନ୍ଦ ତିଆରି ସମୟରେ ୧୧୬ଟି ଗାଁ ସଂପୂର୍ଣ୍ଣ ଅଧିଗ୍ରହଣ ହୋଇଥିବା ବେଳେ ୪୮ଟି ଗାଁର କେବଳ ବସ୍ତି ଓ ୮୫ଟି ଗ୍ରାମର କେବଳ ଜମି ଅଧିଗ୍ରହଣ କରାଯାଇଥିଲା। ‌୧୮୫,୦୦୦ ଏକର ଜମି ଓ ୨୦୦ଟି ମନ୍ଦିର ନଦୀଗର୍ଭରେ ଲୀନ ହେଲା। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ୬୩୨ ସ୍ତର ଉପରକୁ ୩୨ଟି ଗାଁକୁ ଅଧିଗ୍ରହଣ କରାଯାଇଥିଲା। ଏହି ପ୍ରକଳ୍ପ ଯୋଗୁ ୨୬,୫୦୧ ପରିବାର ବିସ୍ଥାପିତ ହୋଇଥିଲେ। ଏଥିରୁ ମାତ୍ର ୩୮ ଗ୍ରାମର ବାସଚ୍ୟୁତ ପରିବାରଙ୍କୁ ସମ୍ବଲପୁର ଜିଲ୍ଲାରେ ୧୮ କଲୋନି ଜରିଆରେ ୨୨୪୩ ପରିବାରକୁ ଥଇଥାନ କରାଯାଇଛି। ଅନ୍ୟ ବିସ୍ଥାପିତମାନେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବସବାସ କରୁଛନ୍ତି। ପରିବାର ବିଭାଜନ ହୋଇ ବର୍ତ୍ତମାନ ପାଖାପାଖି ଲକ୍ଷେ ପରିବାର ହୋଇଯିବେ।

Advertisment

ଝାରସୁଗୁଡ଼ା ଜିଲ୍ଲାରେ ନିଜ ବ୍ୟବସ୍ଥାରେ ରହିଥିବା ବାସଚ୍ୟୁତ ପରିବାରଙ୍କ ୫୫ଟି ଗାଁ ଲୋକଙ୍କୁ ତତ୍କାଳୀନ ଡେପୁଟି କମିସନର ଦେଇଥିବା ମାତ୍ର ୨୫୦୮ଟି ‘ଡିସି’ ପଟ୍ଟାକୁ ସ୍ଥାୟୀ କରାଯାଇଛି। ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗର ପତ୍ର ସଂଖ୍ୟା ୫୫୩୧/୩୦.୧.୨୦୦୨ ଅନୁଯାୟୀ ସମସ୍ତ ତହସିଳଦାର ଓ ଜିଲ୍ଲାମାନଙ୍କୁ ବିସ୍ଥାପିତ ପରିବାରକୁ ୧୦ ଡେସିମିଲ୍‌ ଲେଖାଏଁ ଘରଡ଼ିହ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ବିସ୍ଥାପିତଙ୍କ ପରିବାର ବହୁ ବିଭାଜିତ ହୋଇସାରିଲେଣି। ଏହି ଆଦେଶର ୨୨ ବର୍ଷ ପରେ ଏଭଳି ୮୪ ହଜାର ବିଭାଜିତ ପରିବାର ମଧ୍ୟରୁ ମାତ୍ର ୪୪୫୦ ପରିବାରକୁ ଘରଡ଼ିହ ପଟ୍ଟା ଦିଆଯାଇଛି। ଅନ୍ୟ ବିସ୍ଥାପିତ ପରିବାରଙ୍କୁ ଏପର୍ଯ୍ୟନ୍ତ ପଟ୍ଟା ଯୋଗାଇ ଦିଆଯାଇ ନାହିଁ।

ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ଉପସଭାପତି ଲୋକନାଥ ସାହୁଙ୍କ ତଥ୍ୟ ଅନୁସାରେ ଏବେ ବି ଝାରସୁଗୁଡ଼ା ଜିଲ୍ଲାର ଏବେ ବି ୩୧,୧୮୪, ସମ୍ବଲପୁରର ୨୪,୬୧୬, ବରଗଡ଼ର ୭୮୪୮, ସୁବର୍ଣ୍ଣପୁରର ୩୮୦୦, ସୁନ୍ଦରଗଡ଼ର ୫୨୦୦ଟି ଘରଡ଼ିହ ଆବେଦନପତ୍ର ବିଭିନ୍ନ ତହସିଲରେ ପଡ଼ି ରହିଛି। ଅପରପକ୍ଷରେ ବୁଡ଼ି ଅଂଚଳ ସଂଗ୍ରାମ ସମିତିର ତଥ୍ୟ ଅନୁସାରେ ଝାଙ୍କର, ଚୌକିଦାର, ନରିହା, ରୟତ ପ୍ରଜା ଆଦି ୧୭୭୫ ପରିବାରକୁ ଅଦ୍ୟାବଧି କ୍ଷତିପୂରଣ ମିଳିନାହିଁ। ୬୩୭୩ ପରିବାରକୁ ଅନୁକମ୍ପାମୂଳକ କ୍ଷତିପୂରଣ ଦେବାକୁ ବି ସରକାର ବିଚାରକୁ ନେଇନଥିବା ଅଭିଯୋଗ ହୋଇଛି। ବିଭିନ୍ନ ତହସିଲରେ ହଜାର ହଜାର ଆବେଦନ ଫର୍ମ ବର୍ଷାଧିକାଳ ଜମା ହୋଇଥିଲେ ବି ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ବିସ୍ଥାପିତ ନ୍ୟାୟ ପାଇବାରୁ ବଞ୍ଚିତ ବୋଲି ହୀରାକୁଦ ବାସଚ୍ୟୁତ କଲ୍ୟାଣ ସମିତିର ସଭାପତି ଲୋକନାଥ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ୬୩୪ଫୁଟ୍ ସ୍ତର ଉପରେ ବସବାସ କରୁଥିବା ସମ୍ବଲପୁର ଜିଲ୍ଲା ରେଂଗାଲି ବ୍ଲକ୍ ସପ୍‌ନେ, କୁର୍ଲା, ଠୁଣ୍ଟି-କତରବଗା ଓ ଯୋଗୀପାଲି ଆଦି ଗ୍ରାମବାସୀଙ୍କୁ ବାରଂବାର ଦାବି ପରେ ବି ଦଖଲ ଜମିର ସ୍ଥାୟୀ ପଟ୍ଟା ଦିଆଯାଉ ନାହିଁ କି ଘରଡ଼ିହ ବାବଦକୁ ୧୦ ଡେସିମିଲ୍‌ ଜାଗା ଦିଆଯାଉ ନାହିଁ ବୋଲି ସୁବାସ ବିଶ୍ବାଳ, ସୁନୀଲ ପ୍ରଧାନ,ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।