ସମ୍ବଲପୁର: କୁଦଗୁଣ୍ଡେରପୁର ଠାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କରାଯାଉ। ଗୁଣ୍ଡେରପୁର ଓ ଧମା ମଧ୍ୟରେ ପୋଲ ନିର୍ମାଣ ହେଉ। ବିଶ୍ବପ୍ରସିଦ୍ଧ ହୁମା ବକ୍ର ମନ୍ଦିରକୁ ସିଟି ବସ୍‌ ଚଳାଚଳ କରାଯାଉ। ଏଭଳି କିଛି ଦାବି କରି ଜଣେ ୮୫ ବର୍ଷୀୟ ବୃଦ୍ଧ ବୁଧବାର ଠାରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବୃଦ୍ଧ ଜଣକ ହେଉଛନ୍ତି କୁଦ-ଗୁଣ୍ଡେରପୁର ସଂଗ୍ରାମ ସମିତିର ସଭାପତି ସୋମିତ୍ରୀ ପାଢ଼ୀ। ଦାବିଗୁଡ଼ିକ ପୂରଣ ନ ହେବା ଯାଏ ଆମରଣ ଅନଶନ କରିବେ ବୋଲି ସେ କହିଥିଲେ।

Advertisment

ଅନେକ ବର୍ଷରୁ ସଂଗ୍ରାମ ସମିତି ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଛି। କିନ୍ତୁ ଆଜି ଯାଏ ଜିଲ୍ଲା ପ୍ରଶାସନ ସମସ୍ୟାଗୁଡ଼ିକର ସମାଧାନ କରିବା ତ ଦୂରର କଥା ସମସ୍ୟାଗୁଡ଼ିକୁ ବିଚାରକୁ ବି ନେଉନାହିଁ। ଗ୍ରାମର ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ୨ଟି ଶିକ୍ଷକ ପଦବି ପୂରଣ, ଅପରାଧ ନିୟନ୍ତ୍ରଣ ପାଇଁ ଫାଣ୍ଡି ପ୍ରତିଷ୍ଠା, ଗୁଣ୍ଡେରପୁର ନୂଆ ପୋଲର ଆଲୋକୀକରଣ ଆଦି ସୋମିତ୍ରୀଙ୍କ ଅନ୍ୟ ପ୍ରମୁଖ ଦାବି ମଧ୍ୟରେ ରହିଛି। ଏହି ସମସ୍ୟାଗୁଡ଼ିକୁ ଯଥାଶୀଘ୍ର ସମାଧାନ କରିବାକୁ ସେ ଦାବି କରି ଧାରଣାରେ ବସିଥିଲେ।