ସମ୍ବଲପୁର: ହାଇଦ୍ରାବାଦ ବିମାନବନ୍ଦରରୁ ସବୁ ଦିନ ସଂଧ୍ୟା ୬ଟା ୩୦ରେ ସ୍ପାଇସ୍ ଜେଟ୍ ବିମାନ ଝାରସୁଗୁଡ଼ା ଅଭିମୁଖେ ଉଡ଼ିବାକୁ ନିର୍ଦ୍ଧାରିତ ହୋଇଛି। ଗତ ବୁଧବାର ଦିନ ସେଥି ପାଇଁ ଯାତ୍ରୀମାନେ ସଂଧ୍ୟା ୫ଟାରୁ ଆସି ବିମାନବନ୍ଦରରେ ଚେକ୍ ଇନ୍ କରି ସାରିଥିଲେ। ହେଲେ ବିନା କୌଣସି ସୂଚନାରେ ଉକ୍ତ ବିମାନ ଉଡ଼ିବାକୁ ପ୍ରାୟ ୪ ଘଣ୍ଟା ବିଳମ୍ବ ହୋଇଥିଲା। ରାତି ୧୦ଟା ୨୦ରେ ହାଇଦ୍ରାବାଦରୁ ବିମାନ ଉଡ଼ିଥିଲା। ନିୟମ ଥିଲେ ବି ଏହି ୪ ଘଣ୍ଟା ସମୟ ଧରି ଅପେକ୍ଷାରତ ଯାତ୍ରୀଙ୍କୁ ବିମାନ ସେବା କମ୍ପାନି ପକ୍ଷରୁ କୌଣସି ଖାଦ୍ୟପେୟ ଦିଆଯାଇ ନଥିଲା। କିନ୍ତୁ ରାତି ୧୧ଟା ୫ରେ ବିମାନଟିକୁ ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କରା ଯାଇଥିଲା। ଯାତ୍ରୀଙ୍କୁ କୁହାଗଲା ପାଣିପାଗ ଖରାପ ଅଛି। କିନ୍ତୁ ଆଶ୍ଚର୍ଯ୍ୟଜନକଭାବେ ସେଦିନ ଉଭୟ ଝାରସୁଗୁଡ଼ା ଓ ହାଇଦ୍ରାବାଦର ପାଣିପାଗରେ ସଂପୂର୍ଣ୍ଣ ଶୁଖିଲା ଥିଲା। ୨ ଘଣ୍ଟା ଧରି ଯାତ୍ରୀମାନେ ବିମାନରେ ବସି ରହିଲେ ଓ ସେମାନଙ୍କୁ ବାହାରକୁ ଆସିବାକୁ ଦିଆଗଲା ନାହିଁ କିମ୍ବା କୌଣସି ଘୋଷଣା ମଧ୍ୟ ହେଲା ନାହିଁ। ଏହି ୨ ଘଣ୍ଟା କାଳ କୌଣସି ଖାଦ୍ୟ ଦିଆଗଲା ନାହିଁ। ଶେଷରେ ଟଙ୍କା ନେଇ ଭୋକିଲା ଯାତ୍ରୀଙ୍କୁ କିଛି ଖାଦ୍ୟ ବିକ୍ରି କରାଗଲା। ରାତି ଗୋଟାଏରେ ବିମାନକୁ ହାଇଦ୍ରାବାଦ ଫେରାଇ ନିଆଯିବ ବୋଲି ଘୋଷଣା ହେଲା। ଯାତ୍ରୀମାନେ ସାମାନ୍ୟ ଆଶ୍ବସ୍ତ ହେଲେ। ମାତ୍ର ସକାଳ ୮ଟା ଯାଏ ବିମାନ ସେଇଠି ରହିଲା, ଉଡ଼ିଲା ନାହିଁ। କାରଣ ବିମାନର ପାଇଲଟ୍ ଉଡ଼ାଣ କରିବାକୁ ମନା କରି ଦେଇଥିଲେ। ହେଲେ କ୍ଷୁବ୍ଧ ଯାତ୍ରୀମାନେ ପାଇଲଟ୍ଙ୍କୁ ବିମାନରୁ ଯିବାକୁ ଦେଇ ନଥିଲେ। ସକାଳ ୮ଟାରେ ବିମାନକୁ କୋଲକାତା ନିଆଯିବ ବୋଲି ଘୋଷଣା କରାଗଲା। କିନ୍ତୁ ଯାତ୍ରୀମାନେ ତୀବ୍ର ବିରୋଧ କରିବାରୁ ବିମାନ ସଂସ୍ଥା ଝାରସୁଗୁଡ଼ା ଯିବାକୁ ରାଜି ହୋଇଥିଲା। ନାଗପୁରରେ ସ୍ପାଇସ୍ ଜେଟ୍ର ସେବା ନଥିବାରୁ ସେଠାରେ ଉକ୍ତ ବିମାନ ଓ ଯାତ୍ରୀମାନଙ୍କୁ କୌଣସି ପ୍ରକାର ସୁବିଧା ମିଳିପାରି ନଥିଲା। ସକାଳେ ଯାତ୍ରୀମାନଙ୍କୁ ସାମାନ୍ୟ ଜଳଖିଆ ପ୍ରଦାନ କରା ଯାଇଥିଲା। ଦିଲ୍ଲୀରୁ ଅନ୍ୟ ପାଇଲଟ୍ ତଥା ବିଭିନ୍ନ ସ୍ଥାନରୁ ପରିଚାରିକା ଓ ଅନ୍ୟ କର୍ମଚାରୀ ପହଞ୍ଚିଲା ପରେ ଶେଷରେ ଦିନ ୧୨ଟାରେ ବିମାନ ଛାଡ଼ି ୧ଟାରେ ଝାରସୁଗୁଡ଼ା ପହଞ୍ଚିଥିଲା। ସମ୍ବଲପୁରର ଜଣାଶୁଣା ଶିକ୍ଷାବିତ ପ୍ର. ଶଂକର ପ୍ରସାଦ ପତିଙ୍କ ଜ୍ବାଇଁ ଉକ୍ତ ବିମାନରେ ଆସୁଥିବାବେଳେ ଦୀର୍ଘ ୨୦ ଘଣ୍ଟା ଧରି ୭୦ ଜଣ ଯାତ୍ରୀ ଭୋଗିଥିବା ସମସ୍ୟା ସଂପର୍କରେ ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରୁ ବିମାନ ସେବାକୁ ଦୁର୍ବଳ କରି ଧୀରେଧୀରେ ସଂପୂର୍ଣ୍ଣ ବନ୍ଦ କରି ଦେବାକୁ ଏହା ଏକ ଚକ୍ରାନ୍ତ ବୋଲି ପ୍ର. ପତି ଅଭିଯୋଗ କରିଛନ୍ତି। ସ୍ପାଇସ୍ ଜେଟ୍ ବିମାନ ଗୁଡ଼ିକ ନିୟମିତ ବିଳମ୍ବ ହେଉଥିବାରୁ ଓ ବିନା ସୂଚନାରେ ଅନେକ ସମୟରେ ବାତିଲ ହୋଇ ଯାଉଥିବାରୁ ସରକାର ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି। ପାଗ ଭଲ ଥିଲେ ବି କଣ ପାଇଁ ସେଦିନ ବିମାନ ଚଳାଚଳରେ ଏଭଳି ସମସ୍ୟା ସୃଷ୍ଟି ହେଲା ସେ ସଂପର୍କରେ ତଦନ୍ତ କରିବାକୁ ବି ପ୍ର. ପତି ଦାବି କରିଛନ୍ତି।
ହାଇଦ୍ରାବାଦରୁ ଝାରସୁଗୁଡ଼ା ୨୦ ଘଣ୍ଟା:୨୦ ଯାତ୍ରୀ ହନ୍ତସନ୍ତ
/sambad/media/post_attachments/wp-content/uploads/2019/04/SPICEJET.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)