ୟୁଟ୍ୟୁବର୍ ଈଶାକ ମୁଣ୍ଡା ପାଳିଲେ ପଖାଳ ଦିବସ

ଯୁଯୁମୁରା: ପଖାଳ ହିଁ ଦେଇଥିଲା ତାଙ୍କୁ ପରିଚୟ। ପଖାଳ ଯୋଗୁଁ ସେ ପାଇଥିଲେ ସଫଳତା। ୟୁଟ୍ୟୁବଠାରୁ ଆରମ୍ଭ କରି ଫେସ୍‌ବୁକ୍, ଇନ୍ଷ୍ଟାଗ୍ରାମରେ ଛାଇ ଯାଇଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶବାଣୀରେ ପ୍ରଚାରିତ ତାଙ୍କର ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ବି ତାଙ୍କ ସଂପର୍କରେ ଆଲୋଚନା କରିଥିଲେ। ତାଙ୍କର ଏହି ସଫଳତା ପଛରେ କେବଳ ପଖାଳର ହାତ ହିଁ ରହିଛି। ଓଡ଼ିଶାର ଏହି ଲୋକପ୍ରିୟ ଖାଦ୍ୟକୁ ସେ ବିଶ୍ବ ଦରବାରରେ ପହଞ୍ଚାଇ ଥିବାରୁ କେହି କେହି ତାଙ୍କୁ ଓଡ଼ିଶାର ପଖାଳ ବୟ ବୋଲି ମଧ୍ୟ କହିବା ଆରମ୍ଭ କରିଛନ୍ତି।
ପଖାଳ ହିଁ ତାଙ୍କୁ ବନାଇ ପାରିଥିଲା ଲକ୍ଷପତି। ଦିନେ ଶ୍ରମିକ ଭାବେ ଭୋକ ମେଣ୍ଟାଇବାକୁ ଲୋଡ଼ା ପଡ଼ୁଥିବା ପଖାଳ ତାଙ୍କୁ ରୋଜଗାରରେ ଅବସର ଦେଇଥିଲା। ୟୁଟ୍ୟୁବ୍‌ରେ ତାଙ୍କର ପ୍ରଥମ ଭିଡ଼ିଓ ‘ବାସୀ ପଖାଳ ଖାଇବା’କୁ ଲକ୍ଷ’ ଲକ୍ଷ ଲୋକ ଦେଖିବା ସହିତ ମତାମତ ଦେଇଥିଲେ। ମାର୍ଚ୍ଚ ୨୦ ତାରିଖକୁ ଯେତେବେଳ ସମଗ୍ର ବିଶ୍ବ ‘ବିଶ୍ବ ପଖାଳ ଦିବସ’ ପାଳନ କରୁଛି, ସେତେବେଳେ ସେ କିପରି ପଛେଇ ଯାନ୍ତେ। ସେ ମଧ୍ୟ ପାଳନ କରିଛନ୍ତି ବିଶ୍ବ ପଖାଳ ଦିବସ। ତାଙ୍କର ସେହି ଚିରାଚରିତ ପଖାଳ କଂସା ଆଉ ଟମାଟୋ ପୋଡ଼ାରେ ପାଳନ କରିଛନ୍ତି ପଖାଳ ଦିବସ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗ୍ରାମର ଈଶାକ ମୁଣ୍ଡା (୩୫)। ଆଜି ସକାଳେ ପଖାଳ ଓ ଟମାଟୋ ପୋଡ଼ା ଖାଇ ପାଳନ କରିଛନ୍ତି ବିଶ୍ବ ପଖାଳ ଦିବସ।

ଦିନେ ପାହାଡ଼ରେ ପଥର କାଟୁଥିବା, ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ଯୁବକ ଏବେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ୟୁଟ୍ୟୁବ୍‌ରେ ତାଙ୍କର ‘ଇସାକ ମୁଣ୍ଡା ଇଟିଂ’ ଚ୍ୟାନେଲ୍‌ରେ ୮, ୮୯, ୦୦୦ ସବ୍‌ସ୍କ୍ରାଇବର୍ ରହିଛନ୍ତି। ତାଙ୍କର ପ୍ରତି ଭିଡିଓକୁ ସବ୍‌ସ୍କ୍ରାଇବର୍‌ମାନେ ଯେମିତି ଅପେକ୍ଷା କରି ରହିଥାନ୍ତି। ଭିଡିଓ ଅପ୍‌ଲୋଡ୍ ହେବା କ୍ଷଣି ହଜାର ହଜାର ଦର୍ଶକ ତାକୁ ଦେଖନ୍ତି ଆଉ କମେଣ୍ଟ୍ ମଧ୍ୟ କରନ୍ତି। ୨୦୨୦ ମାର୍ଚ୍ଚ ମାସ ୨୫ ତିରିଖରେ ଅପ୍‌ଲୋଡ୍ ହୋଇଥିବା ତାଙ୍କର ପ୍ରଥମ ଭିଡ଼ିଓ ‘ଓଡ଼ିଶା ବାସି ପଖାଳ’କୁ ୩ ଲକ୍ଷ ୨୯ ହଜାର ଦର୍ଶକ ଦେଖିଥିଲେ ଓ ପସନ୍ଦ କରିଥିଲେ। ଏହି ଭିଡିଓ ସେତେବେଳେ ଏପରି ଭାଇରାଲ୍ ହୋଇଥିଲା ଯେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ଦେଶ ତଥା ଦେଶ ବାହାରେ ଆମେରିକା, ବାଜିଲ, ଇଣ୍ଡୋନେସିଆ, ଜାପାନ, ନ୍ୟୁଜିଲାଣ୍ଡ, ସୁଇଜରଲାଣ୍ଡ ଆଦି ଦେଶରେ ତାଙ୍କର ସବ୍‌ସ୍କ୍ରାଇବର୍ ଅଛନ୍ତି। ତାଙ୍କର ଏହି ସଫଳତା ପଛରେ ପଖାଳର ବଡ଼ ଭୂମିକା ରହିଥିବାରୁ ଆଜି ସେ ପଖାଳ ଦିବସ ପାଳନ କରିବା ସହିତ ସମସ୍ତଙ୍କୁ ପଖାଳ ଖାଇବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର