ମଦ ବିରୋଧରେ ଜନାର୍ଦ୍ଦନଙ୍କ ଅହରହ ସଂଗ୍ରାମ, ଦେଢ଼ ବର୍ଷ ହେଲା ସତ୍ୟାଗ୍ରହରେ ବସିଛନ୍ତି

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଲଇଡ଼ା ଗାଁର ୮୩ ବର୍ଷୀୟ ଜନାର୍ଦ୍ଦନ ସାହୁ। ମହାତ୍ମା ଗାନ୍ଧୀ ଏବଂ ନିଜ ଗାଁର ସ୍ବାଧୀନତା ସଂଗ୍ରାମୀ ରାଜୀବ ଲୋଚନ ତିୱାରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଶ୍ରୀ ସାହୁ ପରିଣତ ବୟସରେ ବି ଚଳାଇଛନ୍ତି ମଦ ବିରୋଧରେ ଅହରହ ସଂଗ୍ରାମ। ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଗାଁରେ ରହିବା ବେଳେ ମଦ ପାଇଁ ଅନେକ ପରିବାର ଉଜୁଡ଼ି ଯାଉଥିବା ଦେଖି ଶ୍ରୀ ସାହୁ ଏହା ବିରୋଧରେ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୦-୧୧ ମସିହାରୁ ସେ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ଆନ୍ଦୋଳନ ଚଳାଇ ଆସିଛନ୍ତି। ପଶ୍ଚିମ ଓଡ଼ିଶାର ଯେଉଁଠି ମଦ ବିରୋଧରେ ଆନ୍ଦୋଳନ ହୁଏ ସେଠାରେ ପହଞ୍ଚି ଯାଆନ୍ତି ଶ୍ରୀ ସାହୁ। ମଦଭାଟି ଉଚ୍ଛେଦ, ମଦ ଦୋକାନ ଉଚ୍ଛେଦ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ। ନିଜ ଗାଁରେ ସେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରଖି ମଦମୁକ୍ତ ଓଡ଼ିଶା ଗଠନ ଦାବିରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ପ୍ରତି ଦିନ ଆନ୍ଦୋଳନରେ ବସୁଥିଲେ। ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀ ଦିନ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ‌ ନିକଟରେ ସତ୍ୟାଗ୍ରହରେ ବସୁଥିଲେ। ତେବେ ତାଙ୍କ ଆନ୍ଦୋଳନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସେ ୨୦୧୮ ମସିହା ‌ଅକ୍ଟୋବର ୨୯ ତାରିଖରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରବେଶ ଦ୍ବାର ନିକଟରେ ଗାନ୍ଧୀଜୀଙ୍କ ଫଟୋ ରଖି ଏକା ଏକା ସତ୍ୟାଗ୍ରହରେ ବସୁଛନ୍ତି।

କି ଖରା, କି ବ‌ର୍ଷା କିଛି ତାଙ୍କୁ ରୋକି ପାରି ନାହିଁ। କିନ୍ତୁ ମାର୍ଚ୍ଚ ତୃତୀୟ ସପ୍ତାହରୁ କରୋନା କାରଣରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ କଟକଣା ଯୋଗୁଁ ସେ ପୁଣି ଲଇଡ଼ାସ୍ଥିତ ନିଜ ଘରେ ସତ୍ୟାଗ୍ରହ ଜାରି ରଖିଛନ୍ତି। ୨୦୧୭ରେ ଝାରସୁଗୁଡ଼ା ଜିଲ୍ଲାର ଶ୍ରୀପୁରାଠାରେ ମହିଳାମାନେ ୫୨ ଦିନ ଧରି ମଦ ଭାଟି ସାମ୍‌ନାରେ ଧାରଣା ଦେବା ଏକଦା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶ୍ରୀ ସାହୁ ବହୁ ଦିନ ସେଠାକୁ ଯାଇ ମହିଳାମାନଙ୍କୁ ଏଥି ପାଇଁ ଉତ୍ସାହିତ କରିଥିଲେ। ଏହି ଆନ୍ଦୋଳନ ପାଇଁ ତାଙ୍କୁ ଅନେକ ମଦ ମାଫିଆଙ୍କ ଧମକ ମିଳିଛି। କିନ୍ତୁ ମଦମୁକ୍ତ ଦେଶ ହେବା ପର୍ଯ୍ୟନ୍ତ ବା ଜୀବନର ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ଆନ୍ଦୋଳନ ଜାରି ରହିବ ବୋଲି କହନ୍ତି ଶ୍ରୀ ସାହୁ। ସେ ପଶ୍ଚିମ ଓଡ଼ିଶା ନିଶା ନିବାରଣ ଅଭିଯାନର ଆବାହକ ଅଛନ୍ତି। ଏହି ଅଭିଯାନର ଜିଲ୍ଲା ଆବାହକ ବୀରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ୟ ସାଥୀମାନଙ୍କ ସହ ‌ସେ ପଶ୍ଚିମ ଓଡ଼ିଶାର ଶତାଧିକ ପଞ୍ଚାୟତକୁ ଯାଇ ସରପଞ୍ଚ ମାନଙ୍କ ସହ କଥାବାର୍ତ୍ତା କରି ପଞ୍ଚାୟତରେ ମଦ ବନ୍ଦ କରିବାକୁ ସଂକଳ୍ପ ପତ୍ର ଆଣି ସରକାରଙ୍କୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର