ଧାର୍ଯ୍ୟ ସର୍ତ୍ତ ଖିଲାପ କରିବାରୁ ଜୟଗୁରୁ ଷ୍ଟୋନ ୱାର୍କସକୁ ୫୦ ଲକ୍ଷ ଜରିମାନା

ଯୁଯୁମୁରା : ଯୁଯୁମୁରା ତହସିଲ ଅଞ୍ଚଳର ପଥର ଖାଦାନଗୁଡିକରେ ପଥର ଉତ୍ତୋଳନରେ ସରକାରୀ ନିୟମ ପାଳନ କରାଯାଉ ନାହିଁ। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବାରଲୋଇ ଷ୍ଟୋନ କ୍ବାରି ନଂ ୨ରେ। ନିଲାମରେ ନେଇଥିବା ଜୟଗୁରୁ ଷ୍ଟୋନ ୱାର୍କସ ମନ ଇଚ୍ଛା ଗାତ ଖୋଳି ପଥର ଉତ୍ତୋଳନ କରଥିବା ଅଭିଯୋଗରେ ୫୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ନିୟମ ଖିଲାପ କରି ଅଧିକ ଗଭୀରତା ପର୍ଯ୍ୟନ୍ତ ଖୋଳି ପଥର ଉତ୍ତୋଳନ କରିବା ଦ୍ବାରା ସରକାରଙ୍କ ରାଜସ୍ୱ ହାନି ହେଉଥିଲା। ସରକାରୀସ୍ତରରେ ଖାଦାନଗୁଡ଼ିକର ଯାଞ୍ଚ ଆଦେଶ ମିଳିବା ପରେ ଏଡିଏମ୍ ଉମାକାନ୍ତ ରାଜ, ଯୁଯୁମୁରା ତହସିଲଦାର ସୁମନ ମିଞ୍ଜ ପ୍ରମୁଖ ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଯାଞ୍ଚ ପରେ ସତ୍ୟତା ଜଣାପଡ଼ିବା ପରେ ଏହି ସଂସ୍ଥା ବିରୋଧରେ ଜରିମାନା କରାଯାଇଥିଲା।

ଖାଦାନରେ ୬ ମିଟରରୁ ଅଧିକ ଗାତ ଖୋଳିବାକୁ ବାରଣ କରାଯାଇଥିଲେ ମଧ୍ୟ ୧୫ରୁ ୧୮ ମିଟର ଗାତ ଖୋଳାଯାଇଛି। ଗଛ ମଧ୍ୟ କଟା ଯାଇଛି। ଏହି ଖାଦାନରେ ବଡ଼ ଧରଣର ବ୍ଲାଷ୍ଟିଂ କରିବା ଯୋଗୁଁ ଘର କାନ୍ଥ ଫାଟି ଯାଉଥିବା ନଜିର ରହିଛି। ନିକଟରେ ଗ୍ରାମ୍ୟ ଜଙ୍ଗଲ ମଧ୍ୟ ରହିଛି। ଅଧିକାଂଶ ସମୟରେ ହାତୀ ଓ ଅନ୍ୟ ବନ୍ୟ ପ୍ରାଣୀ ରହିବା ଓ ଖାଦ୍ୟ ଅନ୍ୱେଷଣରେ ଆସନ୍ତି। ପଥର ଖାଦାନରେ ବିସ୍ଫୋରଣ ହେବାରୁ ସେମାନେ ଗ୍ରାମ ମୁହାଁ ହୋଇ ଘର ଦ୍ୱାର ନଷ୍ଟ କରୁଛନ୍ତି। ଏ ସମ୍ପର୍କରେ ଯୁଯୁମୁରା ତହସିଲଦାର ଶ୍ରୀ ମିଞ୍ଜଙ୍କୁ ପଚାରିବାରେ ଅଧିକ ଖୋଳିଥିବାରୁ ୫୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର