ସମ୍ବଲପୁର: ସମ୍ବଲପୁରରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ଶୁକ୍ରବାର ପୁଣି ୩ ଜଣଙ୍କ ଠାରେ ଜଣ୍ଡିସ ଚିହ୍ନଟ ହୋଇଛି। ଏଥିମଧ୍ୟରେ କ୍ଷେତରାଜପୁର, କାନିଯୁରୀ ଓ ଘେନୁପାଲିର ଜଣେ ଲେଖାଏଁ ରହିଛନ୍ତି। ଗତ ୨୮ ଫେବ୍ରୁଆରିରେ ପ୍ରଥମ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମାତ୍ର ଗତ ୪୪ ଦିନ ମଧ୍ୟରେ ୮୨ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହେବା ଏବଂ ଜଣେ ଏଥିରେ ପ୍ରାଣ ହରାଇବା ଘଟଣା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥର ଗତ ୨୦୧୪ ମସିହା ଭଳି ସ୍ଥିତି ଯେମିତି ସୃଷ୍ଟି ନହେବ, ସେଥିପ୍ରତି ପ୍ରଶାସନ ତତ୍ପରତା ଦେଖାଇଛି। ନିୟମିତ ବ୍ୟବଧାନରେ ବିଭିନ୍ନ ଅଂଚଳରୁ ପାଣି ନମୁନା ସଂଗ୍ରହ କରାଯାଉଛି। ହେଲେ ପାଣି ନମୁନା ରିପୋର୍ଟ ଠିକ୍ ଆସୁନଥିବାରୁ ରାସ୍ତା ପାର୍ଶ୍ୱରେ ବିକ୍ରି ହେଉଥିବା ଚାଟ୍, ଗୁପ୍ଚୁପ୍ ଭଳି ଖାଦ୍ୟ ଯୋଗୁଁ ଏଥର ଜଣ୍ଡିସ ବ୍ୟାପୁଥିବାର ଆଶଙ୍କା କରାଯାଉଛି ବୋଲି ଏଡିଏମ୍ଓ(ଜନସ୍ୱାସ୍ଥ୍ୟ) ଡାକ୍ତର ପଞ୍ଚାନନ ନାୟକ କହିଛନ୍ତି। ଏଭଳି ସ୍ଥିତିରେ ମହାନଗର ନିଗମ ପକ୍ଷରୁ ରାସ୍ତା ପାର୍ଶ୍ୱର ବିଭିନ୍ନ ଖାଦ୍ୟ ବିକ୍ରେତାମାନଙ୍କ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ସମ୍ବଲପୁର ସହର ଅନେକ ଅଂଚଳରେ ନାଳିଗୁଡ଼ିକ ଦେଇ ପାଣି ପାଇପ ଯାଇଛି। ନାଲି ମଧ୍ୟରେ ଥିବା ଏଭଳି ପାଇପଗୁଡ଼ିକରୁ ପୁଣି ଅନେକ ସ୍ଥାନରେ ବେଆଇନ ଭାବେ ପାଣି ସଂଯୋଗ ନିଆଯାଇଛି। କେତେକ ସ୍ଥାନରେ ପାଇପ ଫାଟି ଯାଇଛି। ଆଉ ଏହି ଫାଟ ଦେଇ ମଇଳା ପାଣି ପଶି ଲୋକଙ୍କ ଘରକୁ ଯାଉଛି। ୨୦୧୪ ମସିହାରେ ଜଣ୍ଡିସ ସମ୍ବଲପୁରରେ ଆତଙ୍କ ଖେଳାଇ ଦେଇଥିଲା। ୩୯ରୁ ବେଶି ଜଣ ଜଣ୍ଡିସରେ ପ୍ରାଣ ହରାଇଥିବା ବେଳେ ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସମ୍ବଲପୁର ଆସି ଉତ୍ତରାଂଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟରେ ସ୍ଥିତିର ସମୀକ୍ଷା କରିଥିଲେ। ସମ୍ବଲପୁରର ଜଳଯୋଗାଣ ବ୍ୟବସ୍ଥାର ନବୀକରଣ ସମେତ ଉନ୍ନୟନ କାମ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ହେଲେ ଏହି ପ୍ୟାକେଜର ସୁଫଳ ଲୋକଙ୍କୁ ମିଳି ପାରୁ ନାହିଁ। ଅନେକ କାମ ଅଧୁରା ରହିଛି। ଅପରପକ୍ଷରେ ସମ୍ବଲପୁର ମହାନଗର ନିଗମର ଅବହେଳା ଯୋଗୁଁ ନାଳିଗୁଡ଼ିକ ଭାଂଗିରୁଜି ଗଲାଣି। କେଉଁଠି ନାଳିରେ ପାଣି ଜମି ରହୁଛି ତ ଆଉ କେଉଁଠି ପୁଣି ମଇଳା ପାଣି ରାସ୍ତା ଉପରେ ବହୁଛି।
ଏସଏମ୍ସି ପକ୍ଷରୁ ଆଖୁ ରସ, ଗୁପଚୁପ ଏବଂ ଦହିବରା ବିକ୍ରି ୧୫ ଦିନ ବନ୍ଦ ପାଇଁ ନିର୍ଦେଶ ପରେ ମଧ୍ୟ ସହରରେ ଏହାର ଅବାଧ ବିକ୍ରି ଚାଲିଛି। ଶୁକ୍ରବାର ସମ୍ବଲପୁର ସହରର ବୁଢ଼ାରଜା, ଅଇଁଠାପାଲି, ବରେଇପାଲି, କ୍ଷେତରାଜପୁର, ବଡ଼ବଜାର, ବାଲିବନ୍ଧା, ସମଲେଶ୍ୱରୀ ମନ୍ଦିର ଅଂଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୪୫ କିଲୋଗ୍ରାମ ଖାଦ୍ୟ ନଷ୍ଟ କରାଯାଇଛି। ଏଥି ସହିତ ୧୩ ହଜାର ୬ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିପୂର୍ବରୁ ସ୍ୱଚ୍ଛତା ନେଇ ନିରାକରଣ ବ୍ୟବସ୍ଥା ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଥିଲା। ମାତ୍ର ଏହାର ପାଳନ ନହେବାରୁ ଏହି ବନ୍ଦ କରାଯାଇ ଥିବା କୁହାଯାଇଛି। ଏଥିପୂର୍ବରୁ ୧୫ ଦିନ ପାଇଁ ସହରରେ ଆଖୁ ରସ ବିକ୍ରି ବନ୍ଦ ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିଲେ। ଏହାକୁ ଆଖୁ ରସ ବିକ୍ରେତାମାନେ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ଆଲୋଚନା ବେଳେ ଜିଲ୍ଲାପାଳ ପୁନର୍ବାର ତାଙ୍କୁ ଆଖୁ ରସ ବିକ୍ରି ପାଇଁ ଅନୁମତି ଦେଇଥିଲେ। ହାତରେ ଗ୍ଲୋବ, ମୁଣ୍ଡରେ ହେୟାର ନେଟ୍, ଡିସ୍ପୋଜିବଲ ପ୍ଲେଟ ଆଦି ବ୍ୟବହାର କରିବାକୁ କୁହାଯାଇଥିଲା। ମାତ୍ର ରାସ୍ତା କଡ଼ ଦୋକାନି ଏହା ପାଳନ କଲେ ନାହିଁ। ଏହାକୁ ଦୃଷ୍ଟିରେ ରଖି ଏସ୍ଏମ୍ସି ପକ୍ଷରୁ ସାମୟିକ ଭାବେ ଗୁପଚୁପ, ଦହିବରା ଆଦି ବିକ୍ରି ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।
ଜଣ୍ଡିସ ଅଣାୟତ୍ତ: ରୋଗୀ ସଂଖ୍ୟା ୮୨କୁ ବୃଦ୍ଧି : କଟକଣା ସତ୍ତ୍ୱେ ଚାଲିଛି ଆଖୁ, ଗୁପଚୁପ, ଦହିବରା ବିକ୍ରି
୩୩ ଦୋକାନରେ ଚଢ଼ଉ, ୪୫ କେଜି ଖାଦ୍ୟ ନଷ୍ଟ
/sambad/media/post_attachments/wp-content/uploads/2018/04/sbp14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)