ଗୋଟିଏ ମୁହୂର୍ତ୍ତରେ ଚାଲିଗଲା ଚାକିରି, ଅସହାୟ ମହିଳା ସୁରକ୍ଷା ଗାର୍ଡ

n ଡାକ୍ତରଖାନା ଶିଶୁ ଦୁଷ୍କର୍ମ ଘଟଣାର ପାର୍ଶ୍ୱ ପ୍ରଭାବ n ଆଉଟସୋର୍ସିଂ ବ୍ୟବସ୍ଥାର ପରିଣତି

ସମ୍ବଲପୁର,: ଆଉଟସୋର୍ସିଂ ବ୍ୟବସ୍ଥାର ଭୟଙ୍କର ପରିଣତି। ଅଚାନକ ଗୋଟିଏ ମୁହୂର୍ତ୍ତରେ ଚାକିରି ହରାଇବା ପରେ ବିଷ ପିଇବା ଭଳି ସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ସଦର ଡାକ୍ତରଖାନା ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା ସଂସ୍ଥା ଜି୫ର ପୂର୍ବତନ ସୁରକ୍ଷା କର୍ମଚାରୀ ମନିଷା ମିନା, ଏବଂ ପିଙ୍କି ବିନେତ। କିଛି ଦିନ ପୂର୍ବରୁ ସମ୍ବଲପୁର ସଦର ଡାକ୍ତରଖାନାରେ ତିନି ବର୍ଷିୟା ଶିଶୁ କନ୍ୟା ଦୁଷ୍କର୍ମ ଭଳି ଜଘନ୍ୟ ଏବଂ ଅମାନବୀୟ କାଣ୍ଡ ଘଟିଥିଲା। ଏଥି ପଛରେ ସୁରକ୍ଷା ଗାର୍ଡ ହାତ ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ମାତ୍ର ପୃଷ୍ଠଭୂମି ଯାଞ୍ଚ କରାନଯାଇ କର୍ମଚାରୀଙ୍କ ନିଯୁକ୍ତି କରୁନଥିବାରୁ ସୁରକ୍ଷା କମ୍ପାନି ଜି୫ର ଚୁକ୍ତି ବାତିଲ କଲା ପ୍ରଶାସନ। ସୁରକ୍ଷା କମ୍ପାନି ଚୁକ୍ତି ବାତିଲକୁ ଅନେକ ସମର୍ଥନ କରୁଥିଲେ ମଧ୍ୟ ଏଥିରେ କାର୍ଯ୍ୟ କରୁଥିବା ୧୮ କର୍ମଚାରୀଙ୍କ ଚାକିରି ରାତାରାତି ଚାଲିଯିବା ସେମାନଙ୍କ ପାଇଁ ଚଡ଼କ ଭଳି ହୋଇଛି।

ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଏହାର ତିନି ପୂର୍ବତନ ମହିଳା ସୁରକ୍ଷା ଗାର୍ଡ। ଏଥିମଧ୍ୟରୁ ହସପିଟାଲ କଲୋନିର ପିଙ୍କି ବିନେତ କହନ୍ତି, ବିବାହର ମାତ୍ର କିଛି ବର୍ଷ ମଧ୍ୟରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଦେଇଥିଲେ। କିନ୍ତୁ ସାଙ୍ଗରେ ରହିଗଲେ ଦୁଇ ପୁଅ ଏବଂ ଗୋଟିଏ ଝିଅ। ସ୍ୱଳ୍ପ ଶିକ୍ଷିତ ଥିବାରୁ କୌଣସି ସ୍ଥାନରେ ଚାକିରି ମିଳିନଥିଲା। ବାପା, ମାଙ୍କ ସହାୟତା ପରେ ଡାକ୍ତରଖାନାର ସୁରକ୍ଷା ଗାର୍ଡ ଚାକିରି ତାଙ୍କ ଜୀବନ ବଞ୍ଚେଇ ଦେଲା। ଇତି ମଧ୍ୟରେ ଚାକିରିରେ ୯ ବର୍ଷ ଅତିକ୍ରାନ୍ତ ହୋଇଛି। ଅଚାନକ କିଛି ଦିନ ପୂର୍ବରୁ ଯେଉଁଭଳି ଚାକିରି ଗଲା, କଣ କିଭଳି ହେବ ବୁଦ୍ଧି ଦିଶୁନି। ତିନି ସନ୍ତାନଙ୍କ ମଧ୍ୟରୁ କନଭେଣ୍ଟ ସ୍କୁଲରେ ଝିଅ ସିମରନ ସପ୍ତମ ଶ୍ରେଣୀ, ପୁଅ ଅମନ ପଞ୍ଚମ ଏବଂ ଦ୍ୱିତୀୟ ପୁଅ ବେଦନାଥ ଚତୁର୍ଥ ଶ୍ରେଣୀ ଛାତ୍ର। ଗତ ମାସର ବେତନ ମିଳି ନାହିଁ। ଏପରି ସ୍ଥିତିରେ ଝିଅ, ପୁଅ ପାଠଖର୍ଚ କିପରି ତୁଲା ହେବ, କଣ ଖାଇବାକୁ ଦେବି ଭାବିଲେ ମୁଣ୍ଡ ଘୁରି ଯାଉଛି।

ଦୁଷ୍କର୍ମ ସେହି ଘଟଣା ଯେତିକି ନିନ୍ଦା କଲେ ମଧ୍ୟ କମ। ଏଥିରେ ଦାୟୀ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ମାତ୍ର ଅନ୍ୟ କର୍ମଚାରୀ ଯେଉଁମାନେ ଆଜି ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବରେ କର୍ତ୍ତବ୍ୟ ନିର୍ବାହ କରିଛନ୍ତି ସେମାନଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ। ସେହିଭଳି ସ୍ଥିତି ଅଟେ କୁମ୍ଭାରପଡ଼ାର ମନିଷା ମିନାଙ୍କର। ସେ କହନ୍ତି, ତାଙ୍କ ପୁଅକୁ ବର୍ଷେ ହୋଇଥିବାବେଳେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ତାଙ୍କ ବେତନରେ ଏକମାତ୍ର ପୁଅ, ମା ଏବଂ ଭଉଣୀଙ୍କ ଚଳାଇବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଅଚାନକ ଚାକିରି ଯିବା ପରେ ସ୍ଥିତି କିଭଳି ସହଜରେ ଅନୁମେୟ। ଅନ୍ୟ ସୁରକ୍ଷା ଗାର୍ଡ ବିନାଖଣ୍ଡିର ସଙ୍ଗୀତ ପୋଢଙ୍କ ମଧ୍ୟ ରହିଛି ଗୁରୁତର ସମସ୍ୟା।

ସମ୍ବନ୍ଧିତ ଖବର