ସମ୍ବଲପୁର : ସମିତି ସଭ୍ୟରୁ କୁଚିଣ୍ଡା ବିଧାୟକ। ଏହି ଲମ୍ବା ଯାତ୍ରା ମଧ୍ୟରେ ଅନେକ ଥର ବିଭିନ୍ନ ନିର୍ବାଚନରେ ଛିଡ଼ା ହୋଇଛନ୍ତି କିଶୋର ନାୟକ। ହେଲେ, କେବି ବି ପରାଜିତ ହୋଇନାହାନ୍ତି ସେ।

Advertisment

ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଉଚ୍ଚଶିକ୍ଷିତ ଯୁବକ କିଶୋର ନାୟକ ଶିକ୍ଷା ସମାପ୍ତି ପରେ ଚାକିରି ପଛରେ ନ ଦୌଡ଼ି ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ୨୦୦୨ ମସିହା ପଞ୍ଚାୟତ ନିର୍ବାଚନରେ ସେ ପ୍ରଥମେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ ପାରୁଆଭାଡ଼ି ପଞ୍ଚାୟତର ସମିତି ସଭ୍ୟ ପଦରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସମିତି ସଭ୍ୟ ଭାବେ ସେ ନିର୍ବାଚିତ ହେବାସହିତ ପ୍ରଥମ ପଦାର୍ପଣରେ ହିଁ କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଅକ୍ତିଆର କରିନେଇଥିଲେ। ୨୦୦୭ ମସିହା ପଞ୍ଚାୟତ ନିର୍ବାଚନରେ ସେହି ପାରୁଆଭାଡ଼ି ପଞ୍ଚାୟତରୁ ଦ୍ବିତୀୟ ଥର ସମିତି ସଭ୍ୟ ନିର୍ବାଚିତ ହେବା ସହ କୁଚିଣ୍ଡା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରହିଥିଲେ। ୨୦୧୨ ମସିହାରେ ନିକଟସ୍ଥ ହାଡ଼ିପାଲି ପଞ୍ଚାୟତରୁ ସେ ସମିତି ସଭ୍ୟ ପଦରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଆଉ ସେଠାରୁ ଜିତିବା ସହିତ ପୁଣି ଥରେ କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ୨୦୧୭ ମସିହା ନିର୍ବାଚନରେ ତୃତୀୟ ଥର ନିମନ୍ତେ ପାରୁଆଭାଡ଼ି ପଞ୍ଚାୟତରୁ ସମିତିସଭ୍ୟ ନିର୍ବାଚିତ ହୋଇଥିଲେ। କେବଳ ସେତିକି ନୁହେଁ, ନିର୍ବାଚନ ଜିତି ସେ କୁଚିଣ୍ଡା ଓକିଲ ସଂଘ ସଂପାଦକ ଏବଂ ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଦାୟିତ୍ବ ବି ନିର୍ବାହ କରିଛନ୍ତି। ତାଙ୍କର ଲୋକପ୍ରିୟତାକୁ ଦେଖି ବିଜେପିରେ ଥିବା କିଶୋରଙ୍କୁ ବିଜେଡି ୨୦୧୯ ମସିହା ବିଧାନସଭା ନିର୍ବାଚନରେ ଦଳୀୟ ଟିକଟ ଦେଇଥିଲା। କିଶୋର ବି ଦଳକୁ ନିରାଶ କରିନଥିଲେ। ସେ ବିଜୟ ହାସଲ କରିଥିଲେ।