ରେଢ଼ାଖୋଲରେ କଲରାପତରିଆ ଆତଙ୍କ!

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଏକ କଲରାପତରିଆ ବାଘ କିଛିଦିନ ହେଲା ଆତଙ୍କ ଖେଳାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବଣ ଭିତରୁ ଚରିବାକୁ ଯାଇଥିବା ଛେଳିଙ୍କ ମୃତଦେହ ଉଦ୍ଧାର ହେବା ଏହି ଆତଙ୍କକୁ ବଢ଼ାଇ ଦେଇଛି। ଗୁରୁବାର ରେଢ଼ାଖୋଲ ବନଖଣ୍ଡ ଗିରୀଶଚନ୍ଦ୍ରପୁର ରେଞ୍ଜ ଅନ୍ତର୍ଗତ ଖୋଲଗଡ଼ ସଂରକ୍ଷିତ ଜଂଗଲ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଏହା ଘଟିଛି।
ମଙ୍ଗଳପୁର ଗାଁ’ର ଯୋଗେଶ୍ବର ଲାକ୍ରା ନିଜ ଛେଳିପଲକୁ ନେଇ ମଙ୍ଗଳବାର ଜଂଗଲ ଭିତରକୁ ଯାଇଥିଲେ। ତେବେ ଚରୁଥିବା ଛେଳିଗୁଡ଼ିକ ମଧ୍ୟରୁ ୭ଟିର ପତ୍ତା ମିଳି ନ ଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ଯୋଗେଶ୍ବର ଛେଳି ନ ପାଇବାରୁ ନିରାଶ ହୋଇ ଘରକୁ ଫେରଥିଲେ। ଗୁରୁବାର ପରିବାର ଲୋକେ ଜଙ୍ଗଲ ଭିତରୁ ୭ଟି ଛେଳିର ମୃତଦେହ ପାଇଥିଲେ। ମୃତ ଛେଳି ଖଣ୍ତବିଖଣ୍ତିତ ଅବସ୍ଥାରେ ଚାରିଆଡ଼େ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବନବିଭାଗ କର୍ମଚାରୀଘଟଣାସ୍ଥଳରେ ପହଞ୍ଚି ମୃତ ଛେଳିଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶୁକ୍ରବାର ବ୍ୟବଚ୍ଛେଦ ପରେ ଛେଳିଗୁଡ଼ିକୁ ବାଘ କିମ୍ବା ଅନ୍ୟ କେଉଁ ହିଂସ୍ରଜନ୍ତୁ ମାରିଛି, ତାହା ସ୍ପଷ୍ଟ ହେବ ବୋଲି ବନବିଭାଗ ସୂଚନା ଦେଇଛି। ଏହି ଘଟଣା ପ୍ରଚାର ହେବାପରେ ଉକ୍ତ ରାସ୍ତାଦେଇ ଯିବାଆସିବା ଏକପ୍ରକାର ବନ୍ଦ ହୋଇଯାଇଛି। ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସାଇକେଲ ଧରି ଏହି ରାସ୍ତାରେ ପଢ଼ିବାକୁ ଯାଉଥିବା ବେଳେ ଘଟଣା ପରଠାରୁ ଆଉ ଯାଉନାହାନ୍ତି।

ସମ୍ବନ୍ଧିତ ଖବର