ନାକଟିଦେଉଳ: ସ୍କୁଲ୍ ମିଶ୍ରଣକୁ ବିରୋଧ କରି ଆଜି ସ୍କୁଲ୍ ଗେଟ୍‌ରେ ତାଲା ପକାଇଛନ୍ତି କେଉଟବେର୍ଣ୍ଣି ଗ୍ରାମବାସୀ। ହେଲେ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କେଉଟବେର୍ଣ୍ଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୭ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସରକାର ଏହି ସ୍କୁଲ୍‌କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥସହ ଏହି ସ୍କୁଲ୍‌କୁ ବନ୍ଦ କରି ଗାଁଠାରୁ ୧ କିମି ଦୂର ବୁଢାକଟା ଥୁଣ୍ଟିବର ନୋଡାଲ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରିଛନ୍ତି। ମିଶ୍ରଣ ହୋଇଥିବା ସ୍କୁଲ୍‌କୁ ପାଠ ପଢିବା ପାଇଁ ଯିବାକୁ ହେଲେ ଗାଁ ପାଖରେ ଥିବା ନାଳ ପାର କରିବାକୁ ହୁଏ। ଏହି ନାଳ ଯୋଗୁଁ ବୁଢାକଟା ସ୍କୁଲ୍‌କୁ ଛାଡିବାକୁ ଅବିଭାବକମାନେ ସୁରକ୍ଷିତ ମଣୁ ନାହାନ୍ତି। ଅନ୍ୟ ସ୍କୁଲ୍ ସହ ମିଶ୍ରଣକୁ ବିରୋଧ କରି ଆଜି ପୂର୍ବାହ୍ନରେ ଗ୍ରାମବାସୀ ଏବଂ ସ୍କୁଲ୍ ପରିଚାଳନା କମିଟି ପକ୍ଷରୁ ସ୍କୁଲ୍ କାର୍ଯ୍ୟାଳୟ ଏବଂ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି।

Advertisment

ଏଥିସହ ଏହି ସ୍କୁଲ୍‌କୁ ବନ୍ଦ ନକରିବାକୁ ଦାବି କରି ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟିର ସଭାପତି ବିପିନ୍ ଷଣ୍ଢ, ରତନି ସାହୁ, ଲକ୍ଷ୍ମଣ ମାଝୀ, ଶେଷଦେବ ସାହୁ, ଅବନୀ ରାଉତ, ରୀନା ସାହୁ ପ୍ରମୁଖ ଶତାଧିକ ଅବିଭାବକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ସମ୍ବଲପୁର ଜିଲ୍ଲାପାଳ, ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।