ଚିପିଲିମା (ସଂଜୀବ ଠାକୁର):ସମ୍ବଲପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ହେଉଛି ମା ଘଣ୍ଟେଶ୍ୱରୀ ମନ୍ଦିରl ଏହି ସହର ଠାରୁ ୧୫ କିଲୋମିଟର ଦୂର ସମ୍ବଲପୁର ମହାନଗର ନିଗମ ୱାର୍ଡ ନଂ ୧ ବଗବିରା ଗାଁ ନିକଟ ପାହାଡ଼ରେ ବିରାଜିଛନ୍ତି ମା ଘଣ୍ଟେଶ୍ୱରୀ। ମହାନଦୀ କୂଳେ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପାହାଡ଼ କୋଳରେ ପ୍ରତିଷ୍ଠିତ ମା ଘଣ୍ଟେଶ୍ୱରୀ ଦର୍ଶନ ପାଇଁ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଛୁଟି ଆସନ୍ତି। ସେଇଠି ପାହାଡ଼ ତଳକୁ ରହିଛି ମା’ ଘଣ୍ଟେଶ୍ୱରୀଙ୍କ ମନ୍ଦିର। ବିରାଟ ଗଛ ତଳେ ପଥର ଉପରେ ରହିଛି ମା’ ଘଣ୍ଟେଶ୍ବରୀଙ୍କର ଆସ୍ଥାନ। ହଜାର ହଜାର ସଂଖ୍ୟାରେ ପିତ୍ତଳର ଘଣ୍ଟି ବନ୍ଧା ହୋଇଛି ସେ ପୀଠର ଚତୁର୍ଦ୍ଦିଗରେ। ବୋଧହୁଏ ସେଇଥିପାଇଁ ଦେବୀଙ୍କର ନାମ ମା’ ଘଣ୍ଟେଶ୍ୱରୀ।

Advertisment

ଲୋକକଥା ଅନୁସାରେ ପୂର୍ବରୁ ଯେତେବେଳେ ଉତ୍କଳୀୟ ନୌବାଣିଜ୍ୟରେ ମହାନଦୀର ମୁଖ୍ୟସ୍ଥାନ ରହିଥିଲା, ଏଇ ବାଟ ଦେଇ ସାଧବମାନେ ବୋଇତରେ ଯିବାବେଳେ ନିଜେ ମା’ ଘଣ୍ଟେଶ୍ୱରୀ ଏହି ପାହାଡ଼ ଉପରେ ଘଣ୍ଟା ବଜାଇ ସାଧବମାନଙ୍କୁ ପାହାଡ଼ ପାଖକୁ ନଯିବା ଲାଗି ସତର୍କ କରାଇ ଦେଉଥିଲେ ଯେ ଏବଂ କେଉଁଟମାନଙ୍କୁ ମଧ୍ୟ ସତର୍କ କରୁଥିଲେ ଯେ ପାହାଡ଼ ପଟକୁ ମାଛ ଧରିବା ପାଇଁ ନ ଆସିବାକୁ। ଏଠି ଗଣ୍ଡ ଅଛି ଆସ ନାହିଁ। ମା’ ଏଠାରେ ଅନ୍ଧାର ଭିତରେ ବିନା ବତୀର ବତୀଘର ସଦୃଶ ଥିଲେ।

ପୂର୍ବରୁ ଅଗମ୍ୟ ପ୍ରାୟ ଥିବା ଏହି ସ୍ଥାନଟି ଏବେ ସୁଗମ୍ୟ ହୋଇପାରିଛି ମହାନଦୀର ଚାଉଁରପୁର ସେତୁ ମାଧ୍ୟମରେl ପାହାଡ଼ ତଳୁକୁ ପ୍ରାୟ ୧୦୦ ଫୁଟ୍ ତଳ ମହାନଦୀ କୂଳରେ ମା ଘଣ୍ଟେଶ୍ୱରୀଙ୍କ ପୀଠ ଅବସ୍ଥିତ। ମା’ଙ୍କ ଡାହାଣ ପାର୍ଶ୍ଵରେ ପୂଜା ପାଉଛନ୍ତି ବାବା ବିଶ୍ଵନାଥ, ମା ଚଣ୍ଡି, ମନ୍ଦିର ଭିତରକୁ ପ୍ରବେଶ କରିବା ବେଳେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ପାଉଛନ୍ତି। ପ୍ରଭୁ ହନୁମାନ ମଧ୍ୟ ମନ୍ଦିର ପରିସରରେ ପୂଜା ପାଉଛନ୍ତି l

ମା ଘଣ୍ଟେଶ୍ୱରୀଙ୍କ ନିକଟକୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ପାଖରେ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ନଡ଼ିଆ ବାନ୍ଧିଥାନ୍ତିl ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ ହେଲେ ଏଠାକୁ ପୁଣି ଥରେ ଆସି ମା’ ନିକଟରେ ଘଣ୍ଟି ଅର୍ପଣ କରିଥାନ୍ତି। ଜଣେ କେଉଁଟ ମା’ଙ୍କୁ ନଦୀରୁ ଘଣ୍ଟି ରୂପରେ ପାଇଥିବା କିମ୍ବଦନ୍ତୀ ରହିଥିବାରୁ ମା’ଙ୍କ ନାମ ଘଣ୍ଟେଶ୍ୱରୀ ହୋଇଛି ବୋଲି ପୂଜକମାନେ କହିଛନ୍ତିl ମା’ ଘଣ୍ଟେଶ୍ୱରୀ ବଣ ମୁଲକରେ ପୂଜା ପାଉଛନ୍ତିl ବଗବିରା ସ୍ଥିତ ବଢ଼େଲ ବୁରେଇ ଠାରେ ଥିବା ମା’ଙ୍କ ମୁଖ୍ୟପୀଠରେ ଦଶହରାରେ ଷୋହଳପୂଜା ପାଇଥାନ୍ତି। ମା’ଙ୍କର ସ୍ବତନ୍ତ୍ର ପୂଜା ସାଙ୍ଗକୁ ଘଣ୍ଟେଶ୍ୱରୀ ମନ୍ଦିର ଠାରେ ନବରାତ୍ର ଅବସରରେ ଠାକୁରାଣୀଙ୍କ ସ୍ଵତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କର ପୀଠରେ ଚୈତ୍ର ପୂର୍ଣ୍ଣିମା ଅବସରରେ ସ୍ବତନ୍ତ୍ର ପର୍ବ ପାଳନ କରାଯାଇଥାଏ।

 Sambalpur