ସମ୍ବଲପୁର: ସମ୍ବଲପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସମ୍ବଲପୁର ଚାଉଁରପୁର ସେତୁ ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀ ସୁରେନ୍ଦ୍ର ମୋହନ ମିଶ୍ର ମହାନଦୀ ଭିତରକୁ ଖସି ପଡ଼ିଥିଲେ। ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ତାଙ୍କୁ ମହାନଦୀରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନାରୁ ପ୍ରକାଶ ଯେ, ସୁରେନ୍ଦ୍ର ମୋହନ ସକାଳୁ ସକାଳୁ ଏକ ସ୍କୁଟି ଧରି ପୋଲ ଉପରକୁ ଯାଇଥିଲେ। ସେଠାରେ ସେ କିଛି ସମୟ ପାଇଁ ଫୋନ୍ରେ କଥା ହୋଇଥିଲେ। ଫୋନ୍ରେ କଥା ହେବା ପରେ ସୁରେନ୍ଦ୍ର ଫୋନ୍ରେ ସେଲ୍ଫି ନେଉ ନେଉ ତଳକୁ ଖସି ପଡ଼ିଥିଲେ। ତାଙ୍କର ଚପଲ ଓ ସ୍କୁଟି ସେଠାରେ ଥୁଆ ହୋଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ଖୋଜାଖୋଜିର କିଛି ସମୟ ମଧ୍ୟରେ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୁରେନ୍ଦ୍ର ନିଜ ପରିବାର ସହ ଏସଆରଆଇଟି କଲୋନୀରେ ରୁହନ୍ତି। ତାଙ୍କର ସ୍ନାୟୁଗତ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ହେତୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଖସି ପଡ଼ିଥିବା ପୁଲିସ୍କୁ କହିଛନ୍ତି। ସେ ନଦୀରେ ପଡ଼ିଯିବା ପରେ ଏକ ଘାସ ବୁଦାକୁ ଧରି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।