ସମ୍ବଲପୁର: ସୁନା ଧୋଇବାକୁ ଆସିଲେ, ଚୁନା ଲଗାଇ ଚାଲିଗଲେ। ରାଜ୍ୟ ବାହାରୁ ଆସୁଥିବା କିଛି ଅସାଧୁ ବ୍ୟକ୍ତି ଲୋକଙ୍କୁ ଠକିବାକୁ ଏଭଳି ଜାଲ ବିଛାଉଛନ୍ତି। ଲୋକେ ସେମାନଙ୍କ ଚାଲ୍‌ ବୁଝି ନପାରି ଠକେଇର ଶିକାର ମଧ୍ୟ ହେଉଛନ୍ତି। ଧନୁପାଲି ଥାନା ସର୍‌ଲାକାନି ଅଞ୍ଚଳରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ୨ ଜଣ ଦୁର୍ବୃତ୍ତ ଶୁକ୍ରବାର ସର୍‌ଲା ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ସୁନା ଧୋଇବା ନାଁରେ ଗୋଟିଏ ସୁନା ହାର ଓ ଗୋଟିଏ ମୁଦି ନେଇ ଫେରାର ହୋଇଯାଇଛନ୍ତି। ଏଭଳି ଠକେଇ ପୂର୍ବରୁ ହୋଇସାରିଥିବା ବେଳେ ପୁଲିସ ଉକ୍ତ ଗ୍ୟାଙ୍ଗ୍‌ର କିଛି ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନେ ଜେଲ୍‌ରୁ ବାହାରି ସାରିଥିବା ବେଳେ ଏହି ଗ୍ୟାଙ୍ଗ୍‌ ଏବେ ପୁଣି ସକ୍ରିୟ ହୋଇଯାଇଥିବା କହାଯାଉଛି।
ସୂଚନାନୁଯାୟୀ, ଠକମାନେ ଲୋକଙ୍କ ସୁନା ଅଳଙ୍କାର ସଫା କରିବାକୁ ବୁଲିବୁଲି ଡାକ ଛାଡ଼ୁଥିଲେ। ଶୁକ୍ରବାର ଦିନ ଦୁଇ ଜଣ ଠକ ମହିଳାଙ୍କ ଘରକୁ ଆସିଥିଲେ। ସୁନା ଅଳଙ୍କାର ମଳି ହୋଇଯାଇଥିଲେ, ନୂଆ ଭଳି କରିଦେବୁ ବୋଲି କହିଥିଲେ। ସେମାନଙ୍କ କଥାରେ ବିଶ୍ବାସ କରି ମହିଳା ଜଣକ ଏକ ସୁନା ହାର ଓ ଗୋଟିଏ ମୁଦି ସଫା କରିବାକୁ ଦେଇଥିଲେ। କିଛି ସମୟ ସଫା କରିବା ପରେ ମହିଳାଙ୍କୁ ୨ ଠକ ପାଣି ଆଣିବା ପାଇଁ କହିଥିଲେ। ମହିଳାଜଣକ ଘରକୁ ଯାଇ ପାଣି ଆଣିବା ବେଳକୁ ଦୁଇ ଠକ ସୁନା ହାର ଓ ମୁଦି ଧରି ଫେରାର୍‌ ହୋଇଯାଇଥିଲେ। ଖୋଜାଖୋଜି କରି ନ ପାଇବାରୁ ସେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଏଭଳି ଠକେଇ ସମ୍ବଲପୁରରେ ନୂଆ ନୁହେଁ
ସୁନା ଅଳଙ୍କାର ଧୋଇବା ନାଁରେ ଠକିବା ଘଟଣା ସମ୍ବଲପୁରରେ ନୂଆ ନୁହେଁ। ଏଭଳି ଏକାଧିକ ଠକେଇ ଘଟଣା ସମ୍ବଲପୁରରେ ଘଟିସାରିଛି। ରେଙ୍ଗାଲି ଥାନା ଅଞ୍ଚଳର ଏସ୍‌ ସାହୁଙ୍କ ସ୍ତ୍ରୀ ଗତବର୍ଷ ଜାନୁଆରି ମାସରେ ଏଭଳି ଠକେଇର ଶିକାର ହୋଇଥିଲେ। ସୁନା ଅଳଙ୍କାର ଧୋଇବା ପାଇଁ କହି ତାଙ୍କ ପାଖରୁ ଦୁର୍ବୃତ୍ତମାନେ ଏକ ସୁନା ଚେନ୍‌ ଠକି ନେଇଥିଲେ। ଧନୁପାଲି ସହ ରେଢ଼ାଖୋଲ, ମହୁଲପାଲି ଓ ରେଙ୍ଗାଲି ଥାନାରେ ଏଭଳି ମାମଲା ଘଟିସାରିଛି।

ଗତ ବର୍ଷ ଡିସେମ୍ବର ୨୧ ତାରିଖ ୨ ଜଣ ଠକ ସର୍‌ଲାକାନୀର ଜୟନନ୍ଦ ପ୍ରଧାନଙ୍କ ଘରକୁ ଆସି ସମାନ ଉପାୟରେ ୨୦ ଗ୍ରାମର ସୁନା ଚେନ୍‌ ଧରି ଫେରାର୍‌ ହୋଇଯାଇଥିଲେ। ରେଢାଖୋଲ, ମହୁଲପାଲି ଓ ରେଙ୍ଗାଲି ଠକେଇ ମାମଲାରେ ସମ୍ପୃକ୍ତ ଥିବା ୪ ଜଣ ଅନ୍ତଃରାଜ୍ୟ ଠକଙ୍କୁ ରେଙ୍ଗାଲି ପୁଲିସ ଗତବର୍ଷ ଜାନୁଆରି ଶେଷ ସପ୍ତାହରେ ଝାରସୁଗୁଡ଼ାରୁ ଗିରଫ କରିଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବିହାରର ଥିଲେ। ଅଭିଯୁକ୍ତମାନେ ଜେଲ୍‌ରୁ ବାହାରି ସାରିଛନ୍ତି। ଅନ୍ୟପଟେ ଏବେ ସମାନ ଉପାୟରେ ଧନୁପାଲି ସର୍‌ଲାକାନୀ ଅଞ୍ଚଳରେ ଠକେଇ ହୋଇଛି। ସେହି ଗ୍ୟାଙ୍ଗ୍‌ର ଠକମାନେ ଏହି ଠକେଇ କରିଥିବା ସନ୍ଦେହ କରାଯାଉଛି। ଏଭଳି ସିରିଜ୍‌ ଅପରାଧ ଘଟାଉଥିବା ଗ୍ୟାଙ୍ଗ୍‌ ଉପରେ ପୁଲିସ ନଜର ରଖୁ ନଥିବାରୁ ପୁଣିଥରେ ଏହି ଠକେଇ ଗ୍ୟାଙ୍ଗ୍‌ ସମ୍ବଲପୁରରେ ସକ୍ରିୟ ହୋଇସାରିଛି। ଠକେଇ ଘଟଣା ଘଟିସାରିବା ପରେ ଠକମାନଙ୍କୁ ଧରିବା ପାଇଁ ପୁଲିସ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟେ ଏଭଳି ଘଟଣା ବାରମ୍ବାର ଘଟିବା ପରେ ମଧ୍ୟ ପୁଲିସ ବିଭାଗ ପକ୍ଷରୁ ଲୋକଙ୍କୁ ଏ ନେଇ ସଚେତନ କରାଯାଉ ନଥିବାରୁ ଏଭଳି ମାମଲା ବଢ଼ୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।