ଭିମ୍‌ସାରରେ ପାର୍କିଂ ଫି ନାଁରେ ଖୋଲାଖୋଲି ଲୁଟ୍‌:ଯୁବକଙ୍କଠାରୁ ୫ ଜାଗାରେ ୨୦ ଟଙ୍କା ଅସୁଲି!

ଅବଧି ସରିବାର ବର୍ଷେ ପରେ ବି ବେଆଇନ ଭାବେ ଚାଲିଛି ଫି ଆଦାୟ

ବୁର୍ଲା: ବୁର୍ଲା ମେଡିକାଲକୁ ଭିମ୍‌ସାର୍‌ କରାଯିବା ପରେ ଧୀରେ ଧୀରେ ତା’ର ଚିରାଚରିତ ଛବିରେ ପରିବର୍ତ୍ତନ ଆସୁଛି ବୋଲି ଲୋକଙ୍କ ମନରେ ଧାରଣା ରହିଛି। ତେଣେ ଦୈନିକ ହଜାର ହଜାର ସଂଖ୍ୟାରେ ଲୋକେ ଦୂରଦୂରାନ୍ତୁ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ସେମାନଙ୍କଠାରୁ ଗାଡି ପାର୍କିଂ ଫି ନାମରେ ଯେମିତି ଲୁଟ୍‌ତରାଜ ଚାଲିଛି ତାହା ଉକ୍ତ ଛବିକୁ କୁତ୍ସିତ ଭାବେ ଚିତ୍ରଣ କରୁଛି। ଭିମ୍‌ସାରରେ ରୋଗୀଙ୍କୁ ଭର୍ତ୍ତିି କରିବାକୁ ଆସିଥିବା ପରିଜନ ହୁଅନ୍ତୁ କି ରୋଗୀଙ୍କୁ ଦେଖିବାକୁ ଆସୁଥିବା ଲୋକ ହୁଅନ୍ତୁ, ସେମାନଙ୍କ ଠାରୁ ଗାଡ଼ି ପାର୍କିଂ ଫି ନାମରେ ଦିନ ଦ୍ୱିପ୍ରହରରେ ଚାଲିଛି ଖୋଲାଖୋଲି ଲୁଟ୍‌। ବାଇକ୍‌ ପାର୍କିଂ ପାଇଁ ଧାର୍ଯ୍ୟ ମୂଲ୍ୟ ୫ ଟଙ୍କା ରଖାଯାଇଥିବା ବେଳେ ଏଠାରେ ୧୦ ଟଙ୍କା ନିଆଯାଉଥିବା ବେଳେ ଅନେକ ସମୟରେ ପାର୍କିଂ ଫି ଅସୁଲ କରୁଥିବା ଯୁବକମାନେ ଖୁଚୁରା ନ ଥିବା ଦର୍ଶାଇ ବହୁ ଲୋକଙ୍କଠାରୁ ୧୦ ଟଙ୍କା ପରିବର୍ତ୍ତ ଅଧିକ ଟଙ୍କା ରଖି ନେଉଛନ୍ତି। ପ୍ରତିବାଦ କଲେ ନାଲି ଆଖି ଦେଖାଇବାକୁ ବି ପଛଉ ନାହାନ୍ତି। ଏ ନେଇ ପୂର୍ବରୁ ଅନେକ ଥର ମେଡିକାଲ୍‌ ପ୍ରଶାସନିକ କାର୍ଯ୍ୟାଳୟରେ ଅଭିଯୋଗ ମଧ୍ୟ ହୋଇ ସାରିଥିବା ବେଳେ ସବୁ ଜାଣି ଅଧିକାରୀମାନେ ସଂପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ରବିବାର ଏଭଳି ଏକ ଘଟଣା ମେଡିକାଲ୍‌ କ୍ୟାମ୍ପସ ପରିସରରେ ଦେଖିବାକୁ ମିଳିଛି।

ସମ୍ବଲପୁର ସହ ରୋହିଦାସ ପଡ଼ାର ସୁନୀଲ ମେହେର ଜଣେ ରୋଗୀଙ୍କୁ ନେଇ ଆଜି ମେଡିକାଲ୍‌ ଆଉଟଡୋର ପହଞ୍ଚିଥିଲେ। ସେ ପାର୍କିଂରେ ବାଇକ୍‌ ଷ୍ଟାଣ୍ଡ କରିବା ପରେ ଫି ସଂଗ୍ରହ କରୁଥିବା ଜଣେ ଯୁବକ ତାଙ୍କ ହାତକୁ ଏକ ୧୦ ଟଙ୍କିଆ ଟିକଟ ବଢ଼ାଇ ଦେଲା। ତେବେ ୧୦ ଟଙ୍କା ନ ଥିବାରୁ ଅନିଲ ୨୦ ଟଙ୍କିଆ ଖଣ୍ଡେ ଦେଇ ବାକି ଟଙ୍କା ଫେରାଇବାକୁ କହିଲେ। ମାତ୍ର ଫି ସଂଗ୍ରହ କରୁଥିବା ଯୁବକ ଜଣକ ଆଉ ୧୦ ଟଙ୍କା ଦେବି ନାହିଁ ବୋଲି ତାଙ୍କୁ କହି ଧମକ ଚମକ ଦେଇଥିଲା। ଫଳରେ ଏହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ତେବେ ରୋଗୀ ଆଣିଥିବାରୁ ଅନିଲ ଅଧିକ ଯୁକ୍ତିତର୍କ ନ କରି ସେଠାରୁ ବୁର୍ଲା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଏବେ ମେଡିକାଲ୍‌ କ୍ୟାମ୍ପସ ପରିସରରେ ନିତି ଦିନିଆ ହୋଇ ସାରିଥିବା ଲୋକେ ଅଭିଯୋଗ କରୁଛନ୍ତି। ସାଧାରଣ ଲୋକଙ୍କ ଆଖିରେ କିଭଳି ଧୂଳି ଦେଇ ଲୁଟ କରାଯାଇ ପାରେ ତା’ର ନିଚ୍ଛକ ଉଦାହରଣ ପ୍ରତ୍ୟହ ଦେଖିବାକୁ ମିଳୁଛି ମେଡିକାଲ କ୍ୟାମ୍ପସ୍‌ରେ। ମାତ୍ର ଭିମ୍‌ସାର କର୍ତ୍ତୃପକ୍ଷ ସବୁ କିଛି ଅବଗତ ଥାଇ ବି ନିରବଦ୍ରଷ୍ଟା ସାଜିଥିବାରୁ ସଚେତନ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରୁଛି।

ଅନ୍ୟପଟେ ଆଉ ଏକ ଅନିୟମିତତା ମଧ୍ୟ ସାମ୍‌ନାକୁ ଆସିଛି। ପାର୍କିଂ ଫି ସଂଗ୍ରହ ପାଇଁ ଟେଣ୍ଡର ନେଇଥିବା ଭରସା ପରିବାରର ଅବଧି ବର୍ଷେରୁ ଅଧିକ ହେଲାଣି ସରି ସାରିଛି। ମାତ୍ର ଏବେ ବି ସଂପୃକ୍ତ ଅନୁଷ୍ଠାନ ବିନା ସିକ୍ୟୁରିଟି ଡିପୋଜିଟ ଓ ବିନା ଏକ୍ସଟେନସନ୍‌ରେ ପାର୍କିଂ ଫି ଅସୁଲ କରି ଚାଲିଛି। ଗତ ଫେବ୍ରୁଆରି ୨ ତାରିଖରେ ‘ସମ୍ବାଦ’ରେ ଭିମ୍‌ସାରରେ ବେଆଇନ ପାର୍କିଂ ଫି ଅସୁଲି ନେଇ ଏକ ବିସ୍ତତ ରିପୋର୍ଟ ପ୍ରକାଶ ପାଇଥିଲା। ମାତ୍ର ସଂପୃକ୍ତ ଅନୁଷ୍ଠାନ ଭିମ୍‌ସାରର କିଛି ଅସାଧୁ କର୍ମଚାରୀଙ୍କୁ ହାତେଇଥିବାରୁ ଲୋକଙ୍କ ଅଭିଯୋଗକୁ ଭ୍ରୁକ୍ଷେପ ନ କରି ବେଆଇନ ଭାବେ ତା’ର କାରବାର ଜାରି ରଖିଛି। ଏ ନେଇ ଗାଡ଼ି ପାର୍କିଂ ବାବଦକୁ ଦାୟିତ୍ଵରେ ଥିବା ଆକାଉଣ୍ଟାଣ୍ଟ କେ.ସି. ବାଗଙ୍କୁ ପଚରାଯିବାରୁ ବର୍ତ୍ତମାନ ଏ ସଂପର୍କରେ ସେ କିଛି କହି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ସଂପୃକ୍ତ କର୍ମଚାରୀଙ୍କ କଥାରୁ କିଭଳି ଏହା ଭିତରେ ଏକ ମେଣ୍ଟ କାମ କରୁଛି ତାହା ସହଜରେ ଅନୁମାନ କରାଯାଇପାରେ। ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର