ଚିପିଲିମା: ସମ୍ବଲପୁର ଜିଲ୍ଲା ଗୋଶାଳାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ପୁଣି ଏକ ଡାକ୍ତରୀ ଟିମ ଆସି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଟିମ୍‌ ପକ୍ଷରୁ ଗତକାଲି ଅସୁସ୍ଥ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସୂଚନା ଦିଆଯାଇଛି। ଅପରପକ୍ଷରେ ଆଜି ପୁଣି ନୂତନ ୧୩ ଜଣ ଛାତ୍ରଛାତ୍ରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି।

Advertisment

ସମ୍ବଲପୁର ଜନସ୍ବାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶରେ ଧନକଉଡ଼ା ବ୍ଲକ ଦେବେଇପାଲି ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଭବାନୀ ଶଙ୍କର ପ୍ରଧାନ, ସିଏଚ୍‌ଓ ବସନ୍ତପୁରର ନିତେଶ ପଟେଲ, ଡାକ୍ତର ଶାନ୍ତନୁ ମହାପାତ୍ର ଓ ରାଜାରାମ ଦାସ, କଳାମାଟି ସ୍ୱାସ୍ଥ୍ୟକର୍ମୀ ସମୀର ଦେବତା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୁପରଭାଇଜର ସତ୍ୟନାରାୟଣ ସାହୁ, ସ୍ୱାସ୍ଥ୍ୟକର୍ମୀ ଆଶିଷ କୁମାର ପତି, ସରୋଜ କୁମାର ଧଳ, ମାନସ କୁମାର ସାହୁ ପ୍ରମୁଖ ଆଜି ନବୋଦୟ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରିଥିଲେ। ଛାତ୍ରଛାତ୍ରୀମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ଏହି ଟିମ୍ ନିୟମିତ ନବୋଦୟ ବିଦ୍ୟାଳୟକୁ ଆସିବେ ବୋଲି ଜଣାପଡ଼ିଛି।

ସମ୍ବଲପୁର ଜିଲ୍ଲା ଗୋଶାଳା ଜବାହର ନବୋଦୟ ସ୍କୁଲର ୯୩ ଜଣ ଛାତ୍ରଛାତ୍ରୀ ଶୁକ୍ରବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କ ଝାଡ଼ାବାନ୍ତି ହୋଇଥିଲା। ଏହା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ସିଡିଏମ୍‌ଓଙ୍କୁ ଜଣାଇଥିଲେ। ସିଡିଏମ୍‌ଓଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଦଳ ସ୍କୁଲରେ ପହଞ୍ଚିଥିଲେ। ତେବେ ସେତେବେଳକୁ ୯୩ ଜଣ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇସାରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି। ଫୁଡ୍‌ ପଏଜନିଂ ଯୋଗୁଁ ଏପରି ହୋଇଥିବା ଡାକ୍ତରମାନେ କହିଛନ୍ତି।