ଭାରତର ପୂର୍ବାଞ୍ଚଳ ସହ ଓଡ଼ିଶାର ପଶ୍ଚିମାଞ୍ଚଳକୁ ଯୋଡ଼ିବ ମୌର୍ଯ୍ୟ ଏକ୍ସପ୍ରେସ: ଧର୍ମେନ୍ଦ୍ର ପ୍ରଧାନ

ଗୋରଖପୁର-ହାଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ

ସମ୍ବଲପୁର: ସମ୍ବଲପୁର-‌ହାଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁରକୁ ସଂପ୍ରସାରଣ ହେବା ପରେ ଭାରତର ପୂର୍ବାଞ୍ଚଳ ସହ ଓଡ଼ିଶାର ପଶ୍ଚିମାଞ୍ଚଳ ସିଧାସଳଖ ଯୋଡ଼ି ହୋଇଛି। ସମ୍ବଲପୁର, ବରଗଡ଼, ଝରସୁଗୁଡ଼ା, ରାଉରକେଲା ଅଞ୍ଚଳରେ ରହୁଥିବା ପୂର୍ବାଞ୍ଚଳର ଲୋକଙ୍କ ସୁବିଧା ହେବା ସହ ଏହି ଟ୍ରେନ୍‌ ରାମଜନ୍ମଭୂମି ଭବ୍ୟ ମନ୍ଦିର ଦର୍ଶନ କରିବାର ସୁଯୋଗ ସୃଷ୍ଟି କରିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ‌ରେଳ ଷ୍ଟେସନରୁ ସମ୍ବଲପୁର-ହାଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସକୁ ପତାକା ଦେଖାଇ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମଧ୍ୟ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।

ଆଭାସୀ ମାଧ୍ୟମରେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍‌ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଡ଼ି ହୋଇ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇଛି ବୋଲି କହିଥିଲେ। ଶ୍ରୀ ବୈଷ୍ଣବଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଭାସି ମାଧ୍ୟମରେ ଯୋଡ଼ି ହୋଇଥିଲେ। ସମ୍ବଲପୁରକୁ ଏହି ଟ୍ରେନର ସମ୍ପ୍ରସାରଣ ଦ୍ବାରା ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଏକ ପରିବର୍ତ୍ତନକାରୀ ଯାତ୍ରା ସଂଯୋଗ କରିବ। ଏହି ଟ୍ରେନ ସମ୍ବଲପୁରରୁ ଗୋରଖପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଓଡ଼ିଶାର ବାସିନ୍ଦାଙ୍କ ପାଇଁ ବ୍ୟବସାୟ, ଶିକ୍ଷା, ତୀର୍ଥଯାତ୍ରା ଓ ଚିକିତ୍ସା ଭଳି ବିଭିନ୍ନ କାରଣରୁ ଏକ ଜୀବନରେଖା ଭାବରେ କାର୍ଯ୍ୟ କରିବ। ଗୋରଖପୁର ଓ ସମ୍ବଲପୁର ମଧ୍ୟରେ ସିଧାସଳଖ ସଂଯୋଗ ଥିବା ପର୍ଯ୍ୟଟନ ଓ ସାଂସ୍କୃତିକ ବିନିମୟକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଅତିଥିମାନେ କହିଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନ ପତାକା ଦେଖାଇବା ପରେ ଟ୍ରେନ ଗଡ଼ିଥିଲା। ଦୈନିକ ଚାଲିବାକୁ ଥିବା ଟ୍ରେନର ସ୍ଥାୟୀ ସାରଣୀ ଖୁବ ଶୀଘ୍ର ସାର୍ବଜନୀନ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଏହି ଟ୍ରେନର ଚଳାଚଳ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର