ଛେଳି ଚୋରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଅଭିଯୁକ୍ତ ଫେରାର୍‌

ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ରବଗା ପଞ୍ଚାୟତର ଜୁରାପାଲି ଗାଁରେ ଛେଳି ଚୋରିକୁ କେନ୍ଦ୍ର କରି ରାଜକୁମାର ନାଏକ (୪୫) ନାମକ ଜଣେ ଯୁବକଙ୍କ ହତ୍ୟା କରାଯାଇଛି। ମୃତକଙ୍କ ପତ୍ନୀ ମଲ୍ଲୀ ନାଏକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ ସ୍ୱାମୀ ରାଜକୁମାରଙ୍କ ବିରୋଧରେ ଗାଁର ଜଣେ ବ୍ୟକ୍ତିଙ୍କ ଛେଳି ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଗତ ଗୁରୁବାର ବଚସା ହୋଇଥିଲା। ଏଥିରେ ରାଗିଯାଇ ମଲ୍ଲୀ ଗାଁରେ ଥିବା ନିଜ କକା ଘରକୁ ଚାଲି ଯାଇଥିଲେ। ରାତିରେ ବର୍ଷା ହେବାରୁ ସେ ଆଉ ଘରକୁ ଫେରି ନ ପାରି ପରଦିନ ସକାଳେ ଫେରିଥିଲେ। ତେବେ ଫେରିବା ପରେ ସ୍ୱାମୀ ରାଜକୁମାର ମୁମୂର୍ଷୁ ଅବସ୍ଥାରେ ଘର ବାହାରେ ପଡ଼ିଥିବା ଦେଖି ତାଙ୍କୁ ଘରକୁ ଟେକି ନେଇଥିଲେ।

ଘରେ ରାଜକୁମାର ପାଣି ମାଗି ପିଇବା ପରେ ମଲ୍ଲୀ ଘଟଣା ସଂପର୍କରେ ପଚାରିବାରେ ଛେଳି ଚୋରି ଅଭିଯୋଗରେ ତାଙ୍କୁ ମାଡ଼ ମରାଯାଇଥିବା ରାଜକୁମାର କହିଥିଲେ। ତେବେ କିଏ କିଏ ଏଥିରେ ସାମିଲ ଥିବା ପଚାରିବାରେ କେବଳ ଗାଁର ସୁରେଶ ବୁଡ଼ା (୪୫) ନାଁ କହି ଚୁପ୍‌ ହୋଇ ଯାଇଥିଲେ। କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ମଲ୍ଲୀ କ’ଣ କରିବେ କିଛି ଚିନ୍ତା କରିପାରି ନଥିଲେ।

ତେବେ ଖବର ପାଇ ଶୁକ୍ରବାର ଅପରାହ୍‌ଣରେ ଗୋବିନ୍ଦପୁର ଥାନା ଏସ୍‌ଆଇ ପ୍ରାଣନାଥ ନାଏକ, ଗଡ଼ପୋଷ ଫାଣ୍ଡିର ଏଏସ୍‌ଆଇ ସୁବେଦି ମୋହନ ପ୍ରଧାନ ସଦଳବଳେ ଗାଁରେ ପହଞ୍ଚି ଶବ ଜବତ କରିଥିଲେ। ରାତିରେ ମଲ୍ଲୀ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ୍‌ ଥାନା କେସ୍‌ ନଂ. ୧୩୩/୧୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶନିବାର ସକାଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଅଭିଯୁକ୍ତ ସୁରେଶ ବୁଡ଼ା ଫେରାର୍‌ ହୋଇ ଯାଇଥିବା ଜଣାପଡ଼ିଛି। ତାକୁ ଧରାଯିବା ପରେ ଆଉ କିଏ କିଏ ସାମିଲ ଅଛନ୍ତି ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର