ଅପରାଧ ଲୁଚାଇବା ପାଇଁ ହତ୍ୟା, ଯୁବକଙ୍କ ଗଳାକାଟି ଜଙ୍ଗଲରେ ଫିଙ୍ଗିଦେଲେ

ଯୁଯୁମୁରା : ଅପରାଧ ଲୁଚାଇବା ପାଇଁ ହତ୍ୟା। ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଅର୍ଦ୍ଧଦଗ୍ଧ ହୋଇଯିବା ପରେ ଏହି ଘଟଣା ଲୁଚାଇବାକୁ ଯାଇ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗିଦିଆଯାଇଛି। ଏଭଳି ଏକ ଘଟଣା ‌ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ବାନ୍ଦେର ସଂରକ୍ଷିତ ଜଙ୍ଗଲର କବାଟଦୁଆର ଅଞ୍ଚଳରେ। ମୃତକ ହେଉଛନ୍ତି ଯୁଯୁମୁରା ଥାନା ଧଧଲୋମୁଣ୍ଡା ଗ୍ରାମର ନୀଳାମ୍ବର ବେସନଚୋର(୨୪)। ସୂଚନା ପାଇ ଯୁଯୁମୁରା ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ପଠାଯାଇଛି । ଶନିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେପଟେ, ବନ୍ୟଜନ୍ତୁ ଶିକାର ପାଇଁ ଯେଉଁ ତାର ବିଛା ଯାଇଥିଲା ଉକ୍ତ ଜିଆଇ ତାରକୁ ପୁଲିସ୍‌ ଗଉରଗୋଠର ଏକ କୂଅରୁ ଜବତ କରିଛି। ଏହି ଘଟଣାରେ ଯୁଯୁମୁରା ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ନୀଳାମ୍ବର ଗତ ବୁଧବାର ସକାଳୁ ତାଙ୍କ ସାନ ଭାଇ ଶୁକଦେବଙ୍କ ସହ ବାଇକ୍‌ ସର୍ଭିସିଂ କରିବା ପାଇଁ ସମ୍ବଲପୁରକୁ ଆସିଥିଲେ। ସେଠାରୁ ଅପରାହ୍ଣରେ ଫେରି ଅଶାଢ଼ୁପଡ଼ାରେ ସେ ରହିଯାଇଥିଲେ ଓ ଶୁକଦେବ ବାଇକ୍‌ ନେଇ ଘରକୁ ଯାଇଥିଲେ। ନୀଳାମ୍ବର ସେଠାରୁ ଚାଲିଚାଲି ଗଉରଗୋଠସ୍ଥିତ ମାମୁଁ ଘରକୁ ଯାଇଥିଲେ। ମାତ୍ର ରାତି ୮ଟା ସମୟରେ ସେ ମାମୁଁ ଘରୁ ନିଜ ଘରକୁ ବାହାରିଥିଲେ। ଏନେଇ ମାମୁଁ କୈଳାସ ଭୋଇ ତାଙ୍କ ଘରକୁ ଫୋନ୍‌ କରି ଭଣଜା କିଛି ନଖାଇ ଫେରିଯାଇଥିବା କଥା ମଧ୍ୟ କହିଥିଲେ। କିନ୍ତୁ ସକାଳ ଯାଏ ନୀଳାମ୍ବର ଆଉ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏନେଇ ନୀଳାମ୍ବରଙ୍କ ବାପା ଚମାର ବେସନଚୋର ଗୁରୁବାର ସନ୍ଧ୍ୟାରେ ଯୁଯୁମୁରା ଥାନାରେ ପୁଅର ନିଖୋଜ ନେଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଶୁକ୍ରବାର ସକାଳୁ ଯୁଯୁମୁରା ପୁଲିସ୍‌, ଧଧଲୋମୁଣ୍ଡା ଗ୍ରାମବାସୀ ପ୍ରାୟ ୮ଟି ଟିମ୍‌ ହୋଇ ‌ନୀଳାମ୍ବରଙ୍କୁ ଖୋଜିବାକୁ ବାହାରିଥିଲେ। ତେବେ ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ବାନ୍ଦେର ସଂରକ୍ଷିତ ଜଙ୍ଗଲରେ ଥିବା ଏକ ନାଳ ମଧ୍ୟରୁ ନୀଳାମ୍ବରଙ୍କ ପରିତ୍ୟକ୍ତ ଶବ ଉଦ୍ଧାର ହୋଇଥିଲା।

ପ୍ରାଥମିକ ତଦନ୍ତ ପରେ ଏହା ହତ୍ୟାକାଣ୍ଡ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା। ତେବେ ଗ୍ରାମବାସୀ ଓ ପୁଲିସ୍‌ର କହିବାନୁସାରେ, ବୁଧବାର ରାତି ହିଁ ନୀଳାମ୍ବର ଗଉରଗୋଠରୁ ଧଧଲୋମୁଣ୍ଡାକୁ କ୍ଷେତରାସ୍ତା ଦେଇ ଫେରୁଥିଲେ। ଏହି ସମୟରେ ବ୍ରାହ୍ମଣୀପାଲି ଗ୍ରାମ ନିକଟରେ କୌଣସି ଚାଷଜମିରେ ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭିର ତାର ବିଛାଯାଇଥିଲା। ଅନ୍ଧାର ରାତିରେ ନୀଳାମ୍ବର ତାର ଦେଖିନପାରି ତାହା ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ୍‌ ଆଘାତରେ ତାଙ୍କ ଶରୀରର କିଛି ଅଂଶ ପୋଡ଼ି ଯାଇଥିଲା। ମାତ୍ର ସେ ବଞ୍ଚିଗଲେ ଘଟଣା ସମ୍ପର୍କରେ କାହାକୁ ଜଣାଇଦେବେ ସେହି ଭୟରେ ଘଟଣାସ୍ଥଳରେ ହିଁ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟି ଦିଆଯାଇଥିଲା। ଉକ୍ତ ସ୍ଥାନରେ ପଡ଼ିଥିବା ରକ୍ତକୁ ମଧ୍ୟ ସାଇଣ୍ଟିଫିକ୍‌ ଟିମ୍‌ ଜବତ କରିଛି। ଏହାପରେ ତାଙ୍କୁ ବୋହି ନେଇ ପ୍ରାୟ ୧୫ କିମି ଦୂର ବାନ୍ଦେର ସଂରକ୍ଷିତ ଜଙ୍ଗଲରେ ଫିଙ୍ଗି ଦେଇ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। ଘଟଣାସ୍ଥଳରୁ କିଛି ଦୂରରେ ତାଙ୍କ ଚପଲ ଓ ଯେଉଁବାଟ ଦେଇ ତାଙ୍କୁ ବୋହି ନିଆଯାଇଥିଲା ଉକ୍ତ ରାସ୍ତାରେ ପଡ଼ିଥିବା ରକ୍ତର ଛିଟା ହିଁ ଘଟଣାକୁ ପ୍ରମାଣିତ କରୁଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

କେବଳ ଏହି ଗୋଟିଏ ଘଟଣା ନୁହେଁ ବରଂ ଯୁଯୁମୁରା ବ୍ଲକରେ ବନ୍ୟଜନ୍ତୁ ଶିକାର ପାଇଁ ବେଧଡ଼କ ଭାବେ ତାର ବିଛାଯାଉଥିବା ସମୟରେ ଏଥିରେ ଲାଗି ମଣିଷ, ହାତୀ ଓ ନିରୀହ ଜୀବଙ୍କର ମୃତ୍ୟୁ ହେଉଛି। ଗତ ୧ ବର୍ଷର ରିପୋର୍ଟକୁ ଦେଖିଲେ ଏହି ତାରରେ ଲାଗି ୨ ଜଣ ମଣିଷ, ଗୋଟିଏ ହାତୀର ମୃତ୍ୟୁ ହୋଇସାରିଲାଣି। ଗତ ୧୨ ତାରିଖରେ ହାତୀବାରି-ଫୁଲଝରଣ ମଧ୍ୟରେ ଶିକାର ପାଇଁ ବିଛାଯାଇଥିବା ବିପୁଳ ତାରକୁ ବିଦ୍ୟୁତ୍‌ ବିଭାଗ ଜବତ କରିଥିଲା । ମାତ୍ର ଯୁଯୁମୁରା ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ବନବିଭାଗ ନିରବଦ୍ରଷ୍ଟା ସାଜି ରହିଛି ।

ସମ୍ବନ୍ଧିତ ଖବର