ସମ୍ବଲପୁର : ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ଫାଇନାନ୍ସ ସଂସ୍ଥାରୁ ଡକାୟତି କରି ସୁନା ଲୁଟି ନେଉଥିବା ଗ୍ୟାଂଗକୁ ଧରିବାରେ ପାଟନା ସ୍ପେସାଲ ଟାକ୍ସ ଫୋର୍ସ(ଏସ୍ଟିଏଫ୍)ପୁଲିସ ସଫଳ ହୋଇଛି। ପାଖାପାଖି ଏକ ଘଣ୍ଟା କରି ୩୦ ରାଉଣ୍ଡ ଗୁଳି ବିନିମୟ ପରେ ଗ୍ୟାଂଗ ଲିଡର ସୁବୋଧକାନ୍ତ ସିଂଙ୍କ ସହିତ ୧୦ ଜଣଙ୍କୁ ପୁଲିସ୍ ଧରିଛି। ସେମାନଙ୍କଠାରୁ ୩ଟି ପିସ୍ତଲ, ଗୋଟିଏ ରିଭଲ୍ଭର ସମେତ ପ୍ରାୟ ୧୫ କିଲୋଗ୍ରାମ ସୁନା ଗହଣା ଜବତ କରାଯାଇଛି। ଏହି ଗ୍ୟାଂଗ କୋଲ୍କାତା, ଜୟପୁର, ନାଗପୁର ସମେତ ଦେଶର ବିଭିନ୍ନ ଅଂଚଳରେ ସକ୍ରିୟ ରହିଥିବା ପାଟ୍ନା ଏସ୍ପି ମନୁ ମହାରାଜ ସୂଚନା ଦେଇଛନ୍ତି। ସମ୍ବଲପୁର ସହର ମୁଥୁଟ୍ ଫାଇନାନ୍ସ ଡକାୟତି ଘଟଣାରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହରେ ଜିଲ୍ଲା ପୁଲିସର ଜଣେ ଇନ୍ସପେକ୍ଟର ଓ ଜଣେ ସବ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ସନ୍ଧ୍ୟାରେ ପାଟନା ଯାଇଛି।
ବିହାର ଆଇଜି(ଅପରେସନ) କୁନ୍ଦନ କୃଷ୍ଣନଙ୍କ ସୂଚନା ହେଲା, ବିହାର ନାଳନ୍ଦା ଚିସ୍ତିପୁରର ମୂଳନିବାସୀ ସୁବୋଧ ସିଂ ପାଟନା ରୁପସପୁର ଥାନା ଅଂଚଳର ଯାଦବ ନଗରରେ ରହୁଥିଲା। ଏସ୍ଟିଏଫ୍ ପକ୍ଷରୁ ଉକ୍ତ ଅଂଚଳରେ ଚଢ଼ଉ ବେଳେ ଚତୁରତାର ସୁବୋଧ ନିଜ ହୁଣ୍ଡାଇ କାରରେ ପଳାଇବାକୁ ଚେଷ୍ଟା କରିଥିଲା। ପୁଲିସ୍ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ସୁବୋଧକୁ ଧରିବା ପରେ ତା’ର ଦୁଇ ଜଣ ସହଯୋଗୀ ରହୁଥିବା ରାମନଗରୀର ଫ୍ଲାଟରେ ଚଢ଼ଉ କରିଥିଲେ। ହେଲେ ସେମାନେ ପାଲଟା ପୁଲିସ୍କୁ ଆକ୍ରମଣ କରିଥିଲେ। ଅବଶ୍ୟ ପୁଲିସ୍ ସୁବୋଧର ସହଯୋଗୀମାନଙ୍କୁ ଧରିବାରେ ସଫଳ ହୋଇଥିଲା। ସୁବୋଧ ଜୟପୁରର ମଣପୁରମ୍ ସଂସ୍ଥାରୁ ୩୨ କିଲୋଗ୍ରାମ, କୋଲ୍କାତାର ମୁଥୁଟ ଫାଇନାନନ୍ସର ବୈରକପୁର ଶାଖାରୁ ୨୮ କିଲୋଗ୍ରାମ, ନାଗପୁରରୁ ୨୭ କିଲୋଗ୍ରାମ ଓ ଆସନସୋଲର ରାଧୋପୁରରୁ ୨୬ କିଲୋଗ୍ରାମ ସୁନା ଲୁଟି ନେଇଥିଲା। ଆଗରୁ ସୁନା ଲୁଟ୍ ମାମଲାରେ ସୁବୋଧ ଓ ତାର ପତ୍ନୀ ଜାହ୍ନବୀଙ୍କୁ ଗିରଫ ହୋଇ ଜାମିନରେ ଆସିଥିଲେ। ଜାହ୍ନବୀଙ୍କ ଘର ଓଡ଼ିଶାରେ।
ଗତ ଡିସେମ୍ବର ୨୮ ତାରିଖରେ ସମ୍ବଲପୁର ସହରର ମୁଖ୍ୟ ରାସ୍ତା ବୁଢ଼ାରଜା ଫାଟକସ୍ଥିତ ମୁଥୁଟ୍ ଫାଇନାନ୍ସରୁ ନଗଦ ଟଙ୍କା ସହିତ ୧୫ ଶହ ପକେଟ୍ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଲୁଟ୍ ଅଳଙ୍କାର ବଜାର ମୂଲ୍ୟ ପାଖାପାଖି ୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଡକାୟତି ପରେ ସମ୍ବଲପୁର ପୁଲିସ୍ର ଏକ ଟିମ୍ ବିହାର ଯାଇଥିଲା। ଦୁଇ ସପ୍ତାହ ଧରି ସେଠାରେ ଡେରା ପକାଇ ଖାଲି ହାତରେ ପ୍ରତ୍ୟାବର୍ତ୍ତନ କରିବାର ଦିନକ ପରେ ପାଟନା ଏସଟିଏଫ୍ ଏହି ଡକାୟତ ଗ୍ୟାଂଗକୁ ଧରିଛି।