ସମ୍ବଲପୁର: ସାଇବର୍‌ ଠକମାନେ ଲୋକଙ୍କୁ ଠକିବା ପାଇଁ ସବୁବେଳେ ଜାଲ ବିଛାଇ ଚାଲିଛନ୍ତି। କାହାକୁ କେଵାଇସି ଅପଡେଟ୍‌ ନାଁରେ ତ ଆଉ କାହାକୁ ଉପହାର ଲୋଭ ଦେଖାଇ, ଏମିତି କି ଚାକିରି ନାଁରେ ସାଇବର୍‌ ଠକମାନେ ଲୋକଙ୍କୁ ଠକିବା ସାଧାରଣ କଥା ହୋଇସାରିଛି। ଧୀରେ ଧୀରେ ଲୋକେ ସତେଚନ ହେଉଥିବାରୁ ଠକମାନେ ମଧ୍ୟ ଏବେ ୨ ପାଦ ଆଗକୁ ଯାଇ ଠକିବା ଯୋଜନା କରୁଛନ୍ତି। ଲୋକଙ୍କୁ ସହଜରେ ଠକି ହେଉ ନଥିବାରୁ ସେମାନେ ଏବେ ନୂଆ ନୂଆ ଉପାୟରେ ଠକିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଅପରାଧ ନାଁରେ ପ୍ରଥମେ ଲୋକଙ୍କୁ ଡରାଇ ଟଙ୍କା ଆଦାୟ କରିବା ସାଇବର୍‌ ଠକମାନଙ୍କର ଏବେ ଟ୍ରେଣ୍ଡ ଫର୍ମୁଲା ପାଲଟିଛି। ଅପରାଧରେ ସମ୍ପୃକ୍ତ ଥିବା ନେଇ ପ୍ରଥମେ ଡରାଉଛନ୍ତି ପରେ ମାମଲା ରଫାଦଫା କରିବାକୁ ଟଙ୍କା ମାଗୁଛନ୍ତି। ଅନେକ ଭୟରେ ଟଙ୍କା ମଧ୍ୟ ଦେଉଛନ୍ତି। ସମ୍ବଲପୁର ଅଞ୍ଚଳରେ ଏଭଳି କଲ୍‌ ଲଗାତାର ଭାବେ ଆସିବାରେ ଲାଗିଛି। ଠକମାନେ ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ପରିବାର ଲୋକଙ୍କ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ସମ୍ବଲପୁର ସହରର ଅନେକ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ ସାଇବର୍‌ ଠକମାନେ ଯୋଗାଯୋଗ କରୁଛନ୍ତି। ସମ୍ବଲପୁରର ଏକ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଏକାଧିକ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ ଏଭଳି କଲ୍‌ ଆସିଥିବା ସୂଚନା ମିଳିଛି। ଜଣେ ଛାତ୍ରୀଙ୍କ ବାପାଙ୍କୁ ଗୁରୁବାର ଦିନ ସାଇବର୍‌ ଠକ ହ୍ବାଟ୍ସଆପ୍‌ରେ କଲ୍‌ କରିଥିଲା। ସଦର ଥାନାର ପୁଲିସ ଅଧିକାରୀ ବୋଲି ପରିଚୟ ଦେଇଥିଲା। ଏଠାରେ ଏହ ହତ୍ୟା ହୋଇଛି। ସେହି ହତ୍ୟାରେ ଆପଣଙ୍କ ଝିଅ ସାମିଲ ଥିବା ଠକ ଜଣକ କହିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଠକ ଜଣକ ଉକ୍ତ ଛାତ୍ରୀଙ୍କ କିଛି ସାଙ୍ଗର ନାଁ ନେଇଥିଲା, ସେହି ନାଁରେ ଛାତ୍ରୀଙ୍କ ସାଙ୍ଗ ମଧ୍ୟ ଥିଲେ। ତେବେ ଛାତ୍ରୀ କୌଣସି ଘଟଣା ସେଭଳି ଘଟି ନଥିବା ଠକକୁ ଜବାବ ଦେଇଥିଲେ। ଛାତ୍ରୀ ଓ ତାଙ୍କ ବାପା ଭୟ କରି ନଥିବା ଜାଣି ଠକ କଲ୍‌ କାଟି ଦେଇଥିଲା। ପରେ ହ୍ବାଟ୍ସଆପ୍‌ରେ ଏକ ଭଏସ୍‌ ମେସେଜ୍‌ ପଠାଇ ଭୁଲରେ ଆପଣଙ୍କୁ ଲାଗିଥିବା କହିଥିଲା। ବୁଧବାର ସେହି ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଆଉ ଜଣେ ଛାତ୍ରୀଙ୍କ ବାପାଙ୍କୁ କଲ୍‌ ଆସିଥିଲା। ତାଙ୍କୁ ମଧ୍ୟ ଆପଣଙ୍କ ଝିଅ ଏକ ହତ୍ୟାରେ ସମ୍ପୃକ୍ତ ରହିଛି ବୋଲି ଠକ କହିଥିଲା। ସେହି ସମୟରେ ଛାତ୍ରୀଙ୍କ ବାପା ଚିନ୍ତିତ ହୋଇଯାଇଥିଲେ। ଝିଅଙ୍କୁ କଲ୍‌ କରିବାରୁ ତାଙ୍କ ନମ୍ବର ସ୍ବିଚ୍‌ଅଫ୍‌ ଦେଖାଇଥିଲା। ତାପରେ ତାଙ୍କ ବାପା ଅଧିକ ଚିନ୍ତିତ ହୋଇଯାଇଥିଲେ। ଯାହାର ସୁଯୋଗ ସାଇବର୍‌ ଠକ ନେବାକୁ ଚେଷ୍ଟା କରିଥିଲା। ଭୟଭୀତ କରିବା ପରେ ମାମଲା ରଫାଦଫା କରିବାକୁ ତାଙ୍କୁ ୪୦ ହଜାର ଟଙ୍କା ମାଗିଥିଲା। ତେବେ ଛାତ୍ରୀଙ୍କ ବାପା ତୁରନ୍ତ ବିଶ୍ବବିଦ୍ୟାଳୟକୁ ଯାଇ ଦେଖିବା ବେଳେ ସେଠାରେ ତାଙ୍କ ଝିଅ କ୍ଲାସ୍‌ କରୁଥିଲେ। ସେଥିପାଇଁ ସେ ମୋବାଇଲ୍‌ ସ୍ବିଚ୍‌ ଅଫ୍‌କରି ଦେଇଥିଲେ। ସେଭଳି କୌଣସି ଘଟଣା ଘଟି ନଥିବା ଜାଣିବା ପରେ ଠକକୁ ଜବାବ ଦେଇଥିଲେ। ଏଭଳି ଆହୁରି ଅନେକ ଲୋକଙ୍କ ପାଖକୁ ଲଗାତାର ଭାବେ କଲ୍‌ ଆସୁଛି। ଯାହା ଏବେ ଅନେକଙ୍କ ଚିନ୍ତା ବଢ଼ାଇ ଦେଉଛି। କେବଳ ପୁଲିସ ଅଧିକାରୀ ନୁହେଁ, ଅବକାରୀ ବିଭାଗ, ଇଡି, ସିବିଆଇ ଆଦି ନାଁରେ ସାଇବର୍‌ ଠକମାନେ କଲ୍‌କରି ଲୋକଙ୍କୁ ଭୟଭୀତ କରୁଛନ୍ତି। ଗତ ବର୍ଷ ସମ୍ବଲପୁର ସାଇବର୍‌ ଥାନାରେ ମଧ୍ୟ ଏଭଳି ଏକ ମାମଲା ରୁଜୁ ହୋଇଥିଲା। ନିଜକ କଷ୍ଟମ୍‌ ଅଧିକାରୀ ବୋଲି ପରିଚୟ ଦେଇ ବିଦେଶରୁ ଆପଣଙ୍କ ନାଁରେ ଆସୁଥିବା ପାର୍ସଲରେ ଆପତ୍ତିଜନକ ଅବକାରୀ ସାମଗ୍ରୀ ରହିଥିବା କହିଥିଲା। ଏକ ମାମଲା ରୁଜୁ କରାଯାଉଚି ବୋଲି କହି ଆଉ ଜଣଙ୍କ ଦ୍ବାରା କଲ୍‌ ମଧ୍ୟ କରାଇଥିଲା। ସେ ଭୟଭୀତ ହୋଇ ମାମଲା ରଫାଦଫା କରିବା ପାଇଁ ପାଖାପାକି ୪୦ ହଜାର ଟଙ୍କା ମଧ୍ୟ ଦେଇଥିଲେ।
ସାଇବର୍‌ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କୌଣସି ଅଜଣା ନମ୍ବରରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ବିଶେଷ କରି ସାମାଜିକ ଗଣମାଧ୍ୟମରେ ଆସୁଥିବା କଲ୍‌ଗୁଡ଼ିକ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ପୁଲିସ ଅଧିକାରୀ ବା ଅନ୍ୟ ଅଧିକାରୀ ପ୍ରଥମତଃ ସାମାଜିକ ଗଣମାଧ୍ୟମରେ କଲ୍‌ କରିବେ ନାହିଁ। ଆପଣଙ୍କୁ ଯଦି ସେଭଳି କିଛି କଲ୍‌ ଆସୁଛି, ଘଟଣାର ସତ୍ୟତା ଯାଞ୍ଚ କରିବା ପାଇଁ ନିକଟସ୍ଥ ଥାନା ସହ ଯୋଗାଯୋଗ କରିପାରିବେ। ନିଜର ବ୍ୟକ୍ତିଗତ ତଥ୍ୟ କାହା ସହ ସେୟାର ନ କରିବାକୁ ସାଇବର୍‌ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।