ସମ୍ବଲପୁର: ସମ୍ବଲପୁରରେ ଚାଲିଥିବା ନିର୍ବାଚନୀ ତାତି ସାରା ରାଜ୍ୟରେ ଉପରେ ଆସୁଛି ବୋଲି ଚର୍ଚ୍ଚା ହେଉଛି। ଅନେକ ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ତାତିକୁ ଅନୁଭବ କରି ସମ୍ବଲପୁରରେ ଡେରା ପକାଇଛନ୍ତି। ସମ୍ବଲପୁରରେ ଏବର୍ଷ ହାଇଭୋଲଟେଜ୍‌ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜାରି ରହିବା ଭିତରେ ଲୋକେ କିନ୍ତୁ ନାହିଁ ନଥିବା ଅସୁବିଧାରେ ଦିନ କାଟୁଛନ୍ତି। ଗୋଟିଏପଟେ ଗାଡ଼ିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ଜୋରଦାର ଚାଲିଛି, ଅନ୍ୟପଟେ ଅସହ୍ୟ ଖରାରେ କିନ୍ତୁ ଲୋକଙ୍କ ଘରେ ପଙ୍ଖା ଟିଏ ବି ବୁଲି ପାରୁନି। ତା ଉପରେ ଟାଟା ପାଵାର୍‌ ବା କୌଣସି ନେତାଙ୍କ ଦୃଷ୍ଟି ବି ପଡ଼ୁ ନାହିଁ।
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ତବଲା ଓ ଖୁଲିଆ ଗାଁକୁ ୩ ଦିନ ହେଲା ବିଦ୍ୟୁତ୍‌ ସେବା ବନ୍ଦ ରହିଛି। ବିନା ବିଦ୍ୟୁତ୍‌ରେ ୩ ଘଣ୍ଟା ରହିବା କଷ୍ଟକର ହୋଇପଡ଼ୁଥିବା ବେଳେ ୩ ଦିନ ହେଲା ବିନା ବିଦ୍ୟୁତ୍‌ରେ ୨ଟି ଗାଁର ଲୋକେ ଅସହ୍ୟ ଗରମରେ ହଟହଟା ହୋଇ ଦିନ ରାତି କାଟୁଛନ୍ତି। ୩ ଦିନ ବିନା ବିଦ୍ୟୁତ୍‌ରେ ରହିବା ପରେ ତବଲା ଗ୍ରାମ୍ୟ କମିଟି ପକ୍ଷରୁ ଟାଟା ପାଵାର୍‌ ନିକଟରେ ଅଭିଯୋଗ କରାଯାଇଛି। ଗ୍ରାମ୍ୟ କମିଟିର ଅଭିଯୋଗ ଅନୁଯାୟୀ, ୧୯୭୫-୭୬ ମସିହାରୁ ୨ ଗାଁକୁ ୧୧ କେଭି ତାରରେ ବିଦ୍ୟୁତ୍‌ ସେବା ଜାରି ରହିଛି। ଜମି ମଧ୍ୟରେ ବିଦ୍ୟୁତ୍‌ ତାର ଯାଇଥିବା ବେଳେ ଅନେକ ସମୟରେ ଖୁଣ୍ଟଗୁଡ଼ିକ ଭାଙ୍ଗିଯାଉଛି। ଖୁଣ୍ଟ ଭାଙ୍ଗିଯିବାରୁ ଗତ ୧୨ ତାରିଖରୁ ୨ ଗାଁକୁ ବିଦ୍ୟୁତ୍ ସେବା ବନ୍ଦ ଅଛି। ୩ ଦିନ ହେବ ମରାମତି ମଧ୍ୟ କରାଯାଇ ପାରି ନାହିଁ। ଯେଉଁ କାରଣରୁ ୨ ଗ୍ରାମର ହିତାଧିକାରୀଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଥିବା କମିଟି ପକ୍ଷରୁ କହାଯାଇଛି। ଖୁଣ୍ଟ ଭାଙ୍ଗିବାରୁ ସବୁବେଳେ ଏଭଳି ସମସ୍ୟା ସୃଷ୍ଟି ହେଉଥିବାରୁ ଜମି ଭିତରେ ବିଦ୍ୟୁତ୍‌ ତାର ନ ନେଇ ରାସ୍ତା କଡ଼ରେ ନେବାକୁ ଗାଁ କମିଟି ରେଙ୍ଗାଲି ଏସଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛି। ଯଥାଶୀଘ୍ର ବିଦ୍ୟୁତ୍‌ କାର୍ଯ୍ୟ ମରାମତି କରିବା ପରେ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।