ପୁଲିସକୁ ବି ଡରୁନାହାନ୍ତି: ନିୟନ୍ତ୍ରଣହୀନ ନିଶା କାରବାର

oଚେରକୁ ଯାଉନି ପୁଲିସo ଲୋକଦେଖାଣିଆ ଚଢ଼ଉ

ସମ୍ବଲପୁର: ଶୀତଳଷଷ୍ଠୀ ଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସତ୍ୱେ ହିଂସାକୁ ରୋକାଯାଇ ପାରି ନାହିଁ। ଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମଦ ଦୋକାନ ବନ୍ଦ କରାଯାଇଥିବା ବେଳ ମଦ, କୋରେକ୍ସ ଆଦି ଧରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଚଢ଼ଉ କରାଯାଇଥିଲା। ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ବି ଖଂଜା ଯାଇଥିଲା। ତଥାପି ଯାତ୍ରା ସମୟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। କେବଳ ସେତିକି ନୁହେଁ, ହତ୍ୟା ହୋଇଥିବା ଯୁବକଙ୍କ ପାଖରୁ ମଧ୍ୟ କୋରେକ୍ସ ମିଳିଛି। ଅନ୍ୟପକ୍ଷରେ ସୋସିଆଲ ଷ୍ଟାର କ୍ଲବର ସଂପାଦକ ଶ୍ୟାମାକାନ୍ତ ବିଶିଙ୍କୁ ଛୁରାମାଡ଼ ହୋଇଛି। ଏହି ଛୁରାମାଡ଼ ଘଟଣାରୁ ଯାତ୍ରା ବେଳେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଯୁବକମାନେ ମାରଣାସ୍ତ୍ର ଧରି ବୁଲୁଥିବା ପ୍ରମାଣିତ ହୋଇଛି। ଅପରପକ୍ଷରେ ଅପରାହଣ ଅଢ଼େଇଟାରେ ପଟ୍ଟନାୟକ ନିକଟରେ ତଅଁଳାପଡ଼ା ଓ ପଟ୍ଟନାୟକ ପଡ଼ାର ଯୁବକମାନଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଶୋଭାଯାତ୍ରାରେ ନିୟୋଜିତ ପୁଲିସ୍‌ କର୍ମଚାରୀ ଏକାଠି ହୋଇ ହସ୍ତକ୍ଷେପ କରିବା ପରେ ଉଭୟ ଗୋଷ୍ଠୀ ଛତ୍ରଭଂଗ ଦେଇଥିଲେ। ଅନ୍ୟ କେତେକ ସ୍ଥାନରେ ବି ସାମନ୍ୟ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି। ରାତିରେ ପୁଣି କୁମ୍ଭାରପଡ଼ାରେ ଗଣ୍ଡଗୋଳ ଘଟିଛି।
ଶୀତଳଷଷ୍ଠୀ ଯାତ୍ରା ପାଇଁ ବିଭିନ୍ନ ପ୍ରକାର ମଦ ବିକ୍ରି ଉପରେ କଟକଣା ସତ୍ତେ୍ଵ ମଦୁଆଙ୍କ ପ୍ରାବଲ୍ୟ ଦେଖିବାକୁ ମିଳିଥିଲା। ରାତିବେଳା ଯାତ୍ରାରେ ସାମିଲ ହୋଇଥିବା ଯୁବଗୋଷ୍ଠୀଙ୍କ ମଧ୍ୟରୁ ଅନେକ ନିଶାଗ୍ରସ୍ତ ଥିଲେ। ଯାତ୍ରା ତିନିଦିନ ମଦ ଦୋକାନଗୁଡ଼ିକ ବନ୍ଦ ରହିଥିବା ବେଳେ କଳାବଜାରରେ ମଦ ବିକ୍ରି ହେଉଥିଲା। ବେପାରିମାନେ ଲୁଚାଛୁପାରେ ଅଧିକ ଦାମରେ ମଦ ବିକ୍ରି କରିଥିଲେ। ମଦୁଆଙ୍କ ଅପେକ୍ଷା ପରିବେଶକୁ ଅଧିକ ସମ୍ବେଦନଶୀଳ କରୁଥିଲା ଟାବ୍‌ଲେଟ୍‌ ଖିଆ ଓ କପ୍‌ ସିରପ୍‌ ସେବନ କରିଥିବା ଯୁବକଙ୍କ ଉପସ୍ଥିତି। ବହୁ ସଂଖ୍ୟାରେ ତରୁଣ ଏବଂ ଯୁବକ ନିଷିଦ୍ଧ ଡ୍ରଗ୍‌ ସେବନ କରି ଯାତ୍ରାରେ ଘୁରି ବୁଲୁଥିବା ଦେଖା ଯାଇଥିଲା। ରାତିରେ ଯାତ୍ରା ବେଳେ ଟାବ୍‌ଲେଟ୍‌ ଓ କପ୍‌ ସିରପ୍‌ ଆଦି ନିଶାରେ ଚୁର୍‌ ବହୁସଂଖ୍ୟକ ଯୁବକଙ୍କ ଉପସ୍ଥିତି ଅନ୍ୟ ସାଧାରଣ ଦର୍ଶକ, ଖାସ୍‌ କରି ମହିଳାଙ୍କ ପାଇଁ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିଥିଲା। ୧୪ରୁ ୪୦ ବର୍ଷ ବୟସର ଯୁବଗୋଷ୍ଠୀ ଅଧିକ ମାତ୍ରାରେ ଏଭଳି ନିଶା ଦ୍ୱାରା ଆକ୍ରାନ୍ତ ଥିବା ଦେଖିବାକୁ ମିଳିଥିଲା।

ତହିଁରେ ପୁଣି ଯାତ୍ରା ରାତିରେ ଗୋଟିଏ ମୋଟର ସାଇକଲ୍‌ରେ ୩, ୪ ଜଣ ଲେଖାଏଁ ନିଶାଗ୍ରସ୍ତ ଯୁବକ ସବାର ହୋଇ ଦ୍ରୁତ ଗତିରେ ବାଇକ୍‌ ଚଳାଇବା ଅନ୍ୟ ପଦଚାରୀ ଦର୍ଶକଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା। ମଦ, କଫ୍‌ ସରିପ୍‌ ଧରିବା ପାଇଁ ପୁଲିସ ନିୟମିତ ସ୍ୱତନ୍ତ୍ର ଚଢ଼ଉ କରୁଛି। ହେଲେ ଏହି ରାକେଟ୍‌ର ମୁଖ୍ୟ ନିକଟରେ ପହଂଚି ପାରୁ ନାହିଁ। ପୁଲିସ ବାବୁମାନେ ଲୋକଦେଖାଣିଆ ଚଢ଼ଉ କରୁଛନ୍ତି। କଫ୍‌ ସିରପ, ନିଶା ବଟିକା ଯୋଗାଉଥିବା ବ୍ୟକ୍ତିଙ୍କ ମୁଖା ଖୋଲାଯିବାର ଆବଶ୍ୟକତା ରହିଛି। ସ୍ୱତନ୍ତ୍ର ସ୍କ୍ଵାର୍ଡ ବି ଏହି ପ୍ରସଂଗରେ ଚୁପ୍‌ । ନିଶା କାରବାରର ଚେର ପର୍ଯ୍ୟନ୍ତ ପୁଲିସ ନପହଂଚିଲେ ଏହା ଉପରେ ଅଂକୁଶ ଲଗାଇବା ସମ୍ଭବ ହେବ ନାହିଁ। ଯୁବବର୍ଗକୁ ନିଶା ଦାଉରୁ ରକ୍ଷା କରିପାରିଲେ, ଅପରାଧିକ କାର୍ଯ୍ୟକଳାପ ବି ବହୁ ମାତ୍ରାରେ ହ୍ରାସ ପାଇବ। ପୁଲିସ୍‌ ପ୍ରଶାସନ ଠୋସ୍‌ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ୩ ମାସରେ ଗଡ଼ିଲାଣି ୪ ମୁଣ୍ଡ
ସମ୍ବଲପୁର, ୨୦/୬ (ଇମିସ): ସମ୍ବଲପୁରରେ ଗତ ୩ ମାସ ମଧ୍ୟରେ ୪ ଜଣକ ମୁଣ୍ଡ ଗଡ଼ିଲାଣି। ସାମାନ୍ୟ କଥାକୁ ନେଇ ଘଟି ଯାଉଛି ହତ୍ୟାକାଣ୍ଡ। କେତେବେଳେ କୋର୍ଟ ଭିତରେ ତ ଆଉ କେତେବେଳେ ସାଇକେଲ ଚାଳନାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।
ଗତ ୨୩ ଅପ୍ରେଲ ୨୦୧୮ରେ ରମେଶ କୁମ୍ଭାର ସିନ୍ଦୁରପଙ୍କର ସଂଗୀତା ଚୌଧୁରୀଙ୍କୁ ପରିବାର ଅଦାଲତ ମଧ୍ୟରେ ହତ୍ୟା କରିଥିଲା। ସଂଗୀତାଙ୍କୁ ଭଲ ପାଉଥିବା ରମେଶ ତାକୁ ୨୩ଅପ୍ରେଲ ୨୦୧୭ରେ ଧରି ପଳାଇଥିଲା। ସଂଗୀତା କିନ୍ତୁ କିଛିଦିନ ରହିବା ପରେ ନିଜ ବାପଘରକୁ ଚାଲି ଆସିବାରୁ ରମେଶ ପ୍ରତିଶୋଧ ପରାୟଣ ହୋଇଯାଇଥିଲା। ନିଜେ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଆଉ କୋର୍ଟରେ ପକ୍ଷ ରଖିବା ପାଇଁ ସଂଗୀତା ଆସିଥିବା ବେଳେ ସେଠାରେ ସଂଗୀତାକୁ ସେ ନିର୍ମମ ଭାବେ ହତ୍ୟା କରିଥିଲା। ରମେଶର ଆକ୍ରମଣରେ ସଂଗୀତାର ମା’ ଓ ତାଙ୍କ ଭଉଣୀର ଛୋଟ ପୁଅ ମଧ୍ୟ ଆହତ ହୋଇଥିଲା।
ଗତ ୧୧ ମେ ୨୦୧୮ରେ ବୁଢ଼ାରଜା ଗାଲର୍ସ ହାଇସ୍କୁଲ ପଡ଼ିଆରେ ସାଇକେଲ ହ୍ୟାଣ୍ଡେଲ ବାଜିଯିବା ଭଳି ଏକ ସାମାନ୍ୟ ଘଟଣାରୁ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା।

ବନାରସରୁ ଆସିଥିବା ଏକ ପରିବାର ସ୍ଥାନୀୟ ଦେହେରୀପାଲିରେ ରହି ଲସି ସର୍ବତ ଓ ଅନ୍ୟାନ୍ୟ ଋତୁ ଅନୁଯାୟୀ ବେପାର କରୁଛନ୍ତି। ପରୀକ୍ଷା ପରେ ଛୁଟି କଟାଇବାକୁ ବନାରସରୁ ଜଣେ ୧୩ ବର୍ଷ ବୟସ୍କ ବାଳକ ତୁଷାର ରାବତ ତାଙ୍କ ପିଉସୀ ଘରକୁ ବୁଲିବାକୁ ଆସିଥିଲେ। ସେ ସାଇକେଲ ଚଲାଉଥିବା ସମୟରେ ବାଲିରେ ଅମରି ବାଡ଼ି ସାହାଯ୍ୟରେ ଜଣେ ସମବୟସ୍କ ବାଳକ ଗଢ଼ିିବା ଏକ ଘର ଧସିଯିବାରୁ ଏହାକୁ ନେଇ ସେହି ବାଳକ ସହିତ ଝଗଡ଼ା ହୋଇଥିଲା। ଟିଟିଲାଗଡ଼ରୁ ଆସି ଏଠାରେ ରହି ଚାଓମିନ୍‌ ବେପାର କରୁଥିବା ଜଣେ ବ୍ୟକ୍ତିଙ୍କ ଏହି ୧୧ ବର୍ଷ ବୟସ୍କ ପୁତ୍ର ଘରକୁ ଯାଇ ପରିବା କଟା ଛୁରୀ ଆଣି ଆକ୍ରମଣ କରିବାରେ ତୁଷାରର ମୃତ୍ୟୁ ଘଟିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଘଟଣା ବେଳେ ବାଳକଙ୍କ ମା ନୃପା ବାଗ ଉପସ୍ଥିତ ଥିଲେ ପୁଅକୁ ଏଭଳି କାର୍ଯ୍ୟ କରିବାରୁ ରୋକିନଥିଲେ।

ଏଥର ଶୀତଳଷଷ୍ଠୀ ଯାତ୍ରା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ୨ଟି ମୁଣ୍ଡ ଗଡ଼ିଯାଇଛି। ଗତ ୧୭ ଜୁନ୍‌ ମଧ୍ୟରାତ୍ରୀରେ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ସିଦ୍ଧେଶ୍ୱରବେର୍ଣ୍ଣା ବାହାଲପଡ଼ାର ପ୍ରେମ ଦେବାଗନ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଟାଉନ ଥାନା ପୁଲିସ ଏହି ମାମଲାରେ ଜଣେ ନାବାଳକଙ୍କ ସମେତ ୭ଜଣ ଗିରଫ କରିଛି। ଏହି ଘଟଣାର ଦିନକ ପରେ ୧୯ ଜୁନ୍‌ରେ ପୁଣି ଡିୟର ପାର୍କ ରାସ୍ତାର ଏକ ନାଳି ମଧ୍ୟରୁ ସୋନପୁର ବିଶ୍ୱଜିତ ନାୟକଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଛି। ତାଙ୍କ ପାଖକୁ କଫ୍‌ ସିରପ, ଗୁଟଖା ଆଦି ଜବତ କରାଯାଇଛି। ନିଶା କାରବାର, ସାମାଜିକ ମୂଲ୍ୟବୋଧର ଅବକ୍ଷୟ ଆଦି କାରଣରୁ ଏଭଳି ହତ୍ୟାକାଣ୍ଡ ଘଟୁଛି।

ସମ୍ବନ୍ଧିତ ଖବର