ଡାକ୍ତରଖାନାରେ ଭର୍ତି କରାଯାଉ ନାହିଁ ରୋଗୀ

କେବଳ ପରାମର୍ଶରେ ସୀମିତ ମାତୃମଂଗଳ କେନ୍ଦ୍ର

ସମ୍ବଲପୁର: ରାଜ୍ୟର ଏକ ପ୍ରମୁଖ ସହର ସମ୍ବଲପୁର। ଶିଳ୍ପାୟନ ସାଂଗକୁ ଗାଁ ଲୋକେ ସହରାଭିମୁଖୀ ହେବା ଯୋଗୁଁ ସମ୍ବଲପୁର ସହରରେ ନୂଆ ନୂଆ ବସ୍ତି ଗଢି ଉଠୁଛି। ଜନସଂଖ୍ୟା ବି ସେହି ତୁଳନାରେ ବଢ଼ିବାରେ ଲାଗିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ଅଭାବ ଲାଗି ରହିଛି। ଅପରପକ୍ଷରେ ଇଂରେଜ ଶାସନ ଅମଳରେ ଗୋଲବଜାରରେ ଆରମ୍ଭ ହୋଇଥିବା ଡାକ୍ତର ଜେ.ପି. ମାତୃମଂଗଳ କେନ୍ଦ୍ର ଏବେ ଅବେଳିତ ଅବସ୍ଥାରେ ରହିଛି। ଗତ ୧୦ ମାସ ହେଲା ରୋଗୀମାନଙ୍କୁ ଆଉ ଭର୍ତି କରାଯାଇ ନାହିଁ। ଅପରପକ୍ଷରେ ଏହା ପଛରେ ନର୍ସିଂହୋମ୍‌ଗୁଡ଼ିକର ହାତ ରହିଥିବା ଅଭିଯୋଗ ହୋଇଛି।
ଗତ ୧୯୪୫ ମସିହାରୁ ଆରମ୍ଭ ହୋଇଥିବା ମାତୃମଂଗଳ କେନ୍ଦ୍ର ସମ୍ବଲପୁର ପୌର ପରିଷଦ ଅଧୀନରେ ପରିଚାଳିତ ହେଉଥିଲା। ପରବର୍ତ୍ତୀ ସମୟରେ ଏହା ମହାନଗର ନିଗମ ହାତକୁ ଗଲା। ଏବେ ଏହାକୁ ସହରାଂଚଳ ପିଏଚ୍‌ସରେ ପରିଣତ କରାଯାଇଛି। ସମ୍ବଲପୁର ସହର ସମେତ ଆଖପାଖ ଗ୍ରାମାଂଚଳର ମହିଳା ଏହା ଉପରେ ନିର୍ଭରଶୀଳ ଥିଲେ। ମାତୃମଂଗଳ କେନ୍ଦ୍ରରେ ୫ଟି କ୍ୟାବିନ ସହିତ ୨୩ଟି ଶଯ୍ୟା ରହିଛି। ଗରିବ ମହିଳାମାନେ ଏହି ଡାକ୍ତରଖାନାକୁ ଆସୁଥିଲେ। ମାତ୍ର ଗତ ୨୦୧୩ ମସିହାରେ ଡାକ୍ତର ବ୍ୟାସଦେବ ହୋତାଙ୍କ ଆକସ୍ମିକ ବଦଳି ପରେ ଏଠାରେ ରୋଗୀ ସେବାରେ ସମସ୍ୟା ଆରମ୍ଭ ହୋଇଥିଲେ। ରୋଗୀମାନଙ୍କୁ ଭର୍ତି କରାନଯାଇ କେବଳ ବର୍ହିବିଭାଗରେ ଚିକିତ୍ସା କରାଗଲା।

ଡାକ୍ତର ସୋନାଲି ମିଶ୍ର ଓ ଡାକ୍ତର ପୂର୍ଣ୍ଣିମା ହୋତା ଏଠାକୁ ଆସିବା ପରେ ସେବାରେ ସାମାନ୍ୟ ତତ୍ପରତା ଦେଖାଯାଇଥିଲା। ଗତ ମାତ୍ର ଡାକ୍ତର ହୋତା ୧୮ ଜାନୁଆରି ୨୦୧୭ରେ ପଦୋନ୍ନତି ପାଇଁ ନୂଆ ଜାଗାକୁ ଯିବା ପରେ ରୋଗୀ ଭର୍ତିର୍ ପୂରା ବନ୍ଦ ହୋଇଯାଇଛି। ନର୍ସଂ, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ରହିଛନ୍ତି। ଏଠାରେ ଜଣେ ଏମ୍‌ବିବିଏସ୍‌ ଡିଗ୍ରିଧାରୀ ଜଣେ ମାତ୍ର ଡାକ୍ତରାଣୀ କାର୍ଯ୍ୟ କରୁଥିବା ବେଳେ ଚଳିତ ମାସ ପ୍ରଥମ ସପ୍ତାହରେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଚୁତ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି। ଶିଶୁରୋଗ ବିଶେଷଜ୍ଞ ନାହିଁ। ରୋଗୀମାନଙ୍କୁ କେବଳ ବର୍ହିବିଭାଗରେ ଡାକ୍ତର ପରାମର୍ଶ ଦେଇଛନ୍ତି। ମାତୃମଂଗଳ କେନ୍ଦ୍ରରେ ରୋଗୀଙ୍କୁ ଭର୍ତି କରାନଯିବା ପଛରେ ନର୍ସିର୍ଂହୋମ୍‌ଗୁଡ଼ିକର ରୋଜଗାର ବଢ଼ାଇବା ବୋଲି ଅଭିଯୋଗ ହୋଇଛି। ବରିଷ୍ଠ କଂଗ୍ରେସ ନେତା ଆଶଫ ଅଲୀ ଖାନ ନର୍ସିଂହୋମ୍‌ଗୁଡ଼ିକର ସ୍ୱାର୍ଥକୁ ଦେଖି ମାତୃମଂଗଳ କେନ୍ଦ୍ରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ ନାହିଁ ବୋଲି କହିଛନ୍ତି। ଅପରପକ୍ଷରେ ରୋଗୀମାନଙ୍କୁ ନର୍ସିଂହୋମଗୁଡ଼ିକରେ ଶୋଷଣ କରାଯାଉଛି ବୋଲିସେ କହିଛନ୍ତି। ମାତୃ ମଂଗଳ କେନ୍ଦ୍ର ସମ୍ବଲପୁର ଇତିହାସ ଓ ସମ୍ବଲପୁରବାସୀଙ୍କ ଭାବନା ସହିତ ଜଡ଼ିତ। ନର୍ସିଂହୋମ୍‌ ଓ ମୁଷ୍ଟିମେୟ ରାଜନୈତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ମାତୃ ମଂଗଳ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ ବୋଲି କହିଛନ୍ତି। ଏଠାକୁ ପ୍ରସୂତି କେନ୍ଦ୍ର ଓ ଶିଶୁ ଚିକିତ୍ସାଳୟରେ ପରିଣତ କରାଯାଉ ବୋଲି ସମ୍ବଲପୁର ବିକାଶ ମଂଚର ଆବାହକ ଦେବାଶିଷ ପୁରୋହିତ ଦାବି କରିଛନ୍ତି। ସୋସିଆଲ ଷ୍ଟାର କ୍ଲବର ଉପସଭାପତି ଆତିଫ ଆଲମ କହିଛନ୍ତି ଯେ, ମାତୃମଂଗଳ କେନ୍ଦ୍ର କାର୍ଯ୍ୟକ୍ଷମ କରାନଯିବା ପଛରେ କେତେକ ନର୍ସିଂହୋମ୍‌ର ହାତ ରହିଛି। ମାତୃମଂଗଳ କେନ୍ଦ୍ରରେ ତୁରନ୍ତ ରୋଗୀମାନଙ୍କୁ ଭର୍ତି କରି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉ ବୋଲି ଆତିଫ ଆଲମ୍‌ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର