କୁଚିଣ୍ଡା ବସଷ୍ଟାଣ୍ଡରେ ଶୌଚାଳୟ ପାଲଟିଛି ବଡ଼ ସମସ୍ୟା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦରମହକୁମା କୁଚିଣ୍ଡା ସହର ବସଷ୍ଟାଣ୍ଡ ଏକ ବ୍ୟସ୍ତ ବହୁଳ ଅଞ୍ଚଳ। ଏହି ଅଞ୍ଚଳରେ ଏବେ ମୁଖ୍ୟ ସମସ୍ୟା ପାଲଟିଛି ଶୌଚାଳୟ। ଏହିଠାରୁ ନିୟମିତ ଶତାଧିକ ବସ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାଏ। ଶହ ଶହ ଲୋକ ନିୟମିତ ବସଷ୍ଟାଣ୍ଡକୁ ଆସି ଥାଆନ୍ତି। କୁଚିଣ୍ଡାରୁ ରାଜଧାନୀକୁ ନିୟମିତ ୭ଟି ବସ ଯାଉଥିବା ସମୟରେ ଭଦ୍ରକ ଓ ବାଲେଶ୍ଵରକୁ ମଧ୍ୟ ବସ ଯାଇଥାଏ। ସୁନ୍ଦରଗଡ ଜିଲ୍ଲାର ବଣେଇ, ଦେବଗଡ ଜିଲ୍ଲାର ଲଇମୁରା ଅଞ୍ଚଳର ଯାତ୍ରୀ କୁଚିଣ୍ଡା ଦେଇ ସେମାନଙ୍କ ଗନ୍ତବ୍ୟକୁ ଯାଇଥାଆନ୍ତି। ଏହି ଯାତାୟତ ସମୟରେ କୁଚିଣ୍ଡା କିଛି ସମୟ ରହଣୀ ସମୟରେ ଶୌଚ/ପରିଶ୍ରା ପାଇଁ ଶୌଚାଳୟ ସମସ୍ୟା ଦେଖାଦେଇଛି। ଏନଏସି ପକ୍ଷରୁ ବସଷ୍ଟାଣ୍ଡରେ ରହିଥିବା ସୁଲଭ ଶୌଚାଳୟ ମରାମତି ପାଇଁ ଦୀର୍ଘ ଦିନ ହେବ ବନ୍ଦ କରାଯାଇଛି। ଏହାର କିଛି ଦୂରରେ ଏନଏସି ନ୍ୟୁ ମାର୍କେଟ କମ୍ପଲେକ୍ସଠାରେ ରହିଥିବା ଶୌଚାଳୟରେ କିଛି ଲୋକ ନିଜ ବ୍ୟବହାର ପାଇଁ ତାଲା ପକାଇ ଦେଇଛନ୍ତି।

ବସଷ୍ଟାଣ୍ଡ ନିକଟରେ ଏହି ଦୁଇଟି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ପୁରୁଷ ଲୋକମାନେ କାନ୍ଥବାଡ଼ ଓ ଖୋଲା ସ୍ଥାନରେ ପରିଶ୍ରା କରି ପକାଉଥିବା ସମୟରେ ମହିଳାମାନଙ୍କ ଅବସ୍ଥା ଅତି ଶୋଚନୀୟ ରହିଛି। ଶନିବାର ଭୁବନେଶ୍ୱର ବସରୁ ଫେରୁଥିବା ଜଣେ ମହିଳା ବସରୁ ଓହ୍ଲାଇ ଶୌଚ ପାଇଁ ଶୌଚାଳୟ ନିକଟକୁ ଯାଇଥିଲେ। ଶୌଚାଳୟ ତାଲା ପଡିଥିବା ଯୋଗୁଁ ନିଜ କପଡାରେ ଶୌଚ ହୋଇଯାଇଥିଲା। ଏହି ବିଷୟ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ସୁଲଭ ଶୌଚାଳୟ ମରାମତି ପାଇଁ ଏହାକୁ ବନ୍ଦ ରଖିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର

Comments are closed.