ଏନ୍‌ଏସ୍‌ସିବି କଲେଜରେ ଉତ୍ତେଜନା: ଅଣଛାତ୍ରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ବଲପୁର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ (ଏନ୍‌ଏସ୍‌ସିବି) ମହାବିଦ୍ୟାଳୟ ପରିସରରେ ବାହାର ପିଲାମାନେ ପଶି ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗରେ ଗୁରୁବାର ଛାତ୍ରଛାତ୍ରୀମାନେ କଲେଜ ଅଚଳ କରି ଦେଇଥିଲେ। ପୂର୍ବରୁ ବହୁବାର ସେମାନେ କଲେଜ କର୍ତୃପକ୍ଷ ଓ ଧନୁପାଲି ଥାନାକୁ ଏ ସଂପର୍କରେ ଜଣାଇଥିଲେ ବି କୌଣସି ପ୍ରତିକାର ବ୍ୟବସ୍ଥା କରା ନଯିବା ଦ୍ୱାରା ମହାବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି ବୋଲି ଅଭିଯୋଗ କରିଥିଲେ। ତେଣୁ ତୁରନ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବା ଦାବିରେ ଛାତ୍ରଛାତ୍ରୀମାନେ ଗୁରୁବାର କଲେଜ ପରିସରରେ ଧାରଣାରେ ବସିଥିଲେ। ଛାତ୍ରମାନଙ୍କ କହିବା ହେଲା କଲେଜ ସମୟରେ ଅଣଛାତ୍ରମାନେ କ୍ୟାମ୍ପସକୁ ପ୍ରବେଶ କରିବା ଏକ ନିୟମିତ ଘଟଣା ପାଲଟିଛି।

ସେମାନେ ମୁଖ୍ୟତଃ ଛାତ୍ରୀମାନଙ୍କୁ ଟାରଗେଟ କରି କଲେଜକୁ ଆସୁଛନ୍ତି। ଛାତ୍ରୀଙ୍କୁ କମେଣ୍ଟ ମାରିବା, ଅଶ୍ଲୀଳ ଇଂଗିତ କରିବା, ଏପରିକି ବେଳେବେଳେ ସିଧାସଳଖ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି। ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଅସୁରକ୍ଷିତ ହୋଇ ପଡ଼ିଛି। ତେଣୁ ତୁରନ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଥିଲେ। ଖବର ପାଇ ଧନୁପାଲି ଥାନା ଅଧିକାରୀ କଲେଜରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆବଶ୍ୟକ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲେ। କୌଣସି ସଂଦିଗ୍‌ଧ ବ୍ୟକ୍ତିକୁ କଲେଜ ପରିସରରେ ଦେଖିଲେ ତାର ଫଟୋ ଉଠାଇ ହ୍ଵାଟସଅପରେ ପଠାଇବା ପାଇଁ ନିଜ ମୋବାଇଲ ନମ୍ବର ଦେଇଥିଲେ।

ସମ୍ବନ୍ଧିତ ଖବର