ସମ୍ବଲପୁର: ‘ଆଉ ପ୍ରଶାସନ କି ସରକାର ସହ ସାଲିସ କରାଯିବ ନାହିଁ। ଏଥର ଧାନକିଣା ପ୍ରାରମ୍ଭରୁ ଚାଷୀ ସଂଗଠନର ପ୍ରତିନିଧି ମଣ୍ଡଳୀ ମଣ୍ଡି ଜଗିବ। ଚାଷୀଙ୍କ ଧାନ କିଣାଯାଉଛି ନା ନାହିଁ ତାହାର ତଦାରଖ ହେବ। କଟ୍‌ନି ଛଟ୍‌ନି କରିବାକୁ ଦିଆଯିବ ନାହିଁ। ଯେତେ ଦିନ ସହିଲୁଣି ଏଣିକି ଦୁର୍ବାର ଲଢ଼େଇ ହେବ। ପ୍ରଶାସନ ଯଦି ବିଗତ ବର୍ଷ ପରି ଚାଷୀଶୋଷଣ ନୀତି ଚଳାଇବ ତାହେଲେ ପରିଣାମ ଭୟଙ୍କର ହେବ। କମ୍ପାନି ବିରୋଧରେ ପାଣି ଆନ୍ଦୋଳନ ଯେମିତି ହୋଇଥିଲା, ସେହିଭଳି ଧାନକିଣା ଦୁର୍ନୀତି ବିରୋଧରେ ଏକ ଲମ୍ବା ଲଢ଼େଇ ହେବ’ ବୋଲି ଚାଷୀ ସଂଗଠନର ନେତାମାନେ ଆଜି ‘ଚାଷୀର ରେଖା’ଠାରେ ଶପଥ ନେଇଛନ୍ତି। ଏହି ଆନ୍ଦୋଳନରେ ଯୁବପିଢ଼ି ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।
ସମ୍ବଲପୁର ଜମାଦାରପାଲି ଉଡ଼ାଜାହାଜ ପଡ଼ିଆ ତଥା ସାଗୁନପାଲି ବସ୍ତି ପାଖ ‘ଚାଷୀର ରେଖା’ଠାରେ ୨୦୦୭ ମସିହା ପାଣି ଆନ୍ଦୋଳନର ସ୍ମୃତିକୁ ବଂଚାଇ ରଖିବାକୁ ସବୁ ବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ କୃଷକ ଓ ଚାଷୀ ସଂଗଠନ ନେତୃବୃନ୍ଦ ଏକଜୁଟ ହୋଇଥିଲେ। ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ତାଲବ ମଶାଲଜଳା କୃଷକ ସଂଗଠନ ଏବଂ ଶାସନ ଗୋପୀନାଥ କୃଷକ ସଂଗଠନ ସହଯୋଗରେ ଅନୁଷ୍ଠିତ ବୈଠକରେ ପୁରୁଣା ଆନ୍ଦୋଳନର ସ୍ମୃତିକୁ ମନେ ପକାଇ ବର୍ତ୍ତମାନ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସଂପର୍କରେ ସଂଗଠନର ନେତବୃନ୍ଦ ବକ୍ତବ୍ୟ ରଖିଥିଲେ। ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ସଂପାଦକ ଦେବେନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆବାହକ ଅଶୋକ ପ୍ରଧାନ କହିଥିଲେ, ବେଦାନ୍ତ କମ୍ପାନି ଯେଉଁ ସମୟରେ ଚାଷୀଙ୍କ ପାଣି ନେବାକୁ ମସୁଧା କରିଥିଲା, ସେଥିନେଇ ତୀବ୍ର ଲଢ଼େଇ ହୋଇଥିଲା। କମ୍ପାନି ତାର ନିଷ୍ପତ୍ତିରୁ ହଟି ଅନ୍ୟ ସ୍ଥାନରୁ ପାଣି ନେଇଥିଲା। ଚାଷୀର ରେଖା ସେହି ଆନ୍ଦୋଳନର ସାକ୍ଷୀ। ଏବେ ଧାନ କିଣା କ୍ଷେତ୍ରରେ ଅବ୍ୟବସ୍ଥା ଲାଗି ରହୁଛି। ସରକାରଙ୍କ ନୀତି ଠିକ ନାହିଁ। ଏହି ପରିପ୍ରେକ୍ଷୀରେ ଏମ୍‌ଏସ୍‌ପି ସହ ଅନ୍ୟ ପ୍ରସଙ୍ଗରେ ସ୍ୱର ଉଠାଇବାକୁ ପଡ଼ିବ ବୋଲି ସେ କହିଥିଲେ। ଚାଷୀନେତା ଯୋଗବିହାରୀ ପରିଡ଼ା କହିଥିଲେ, ପ୍ରଶାସନ ଧାନ କ୍ରୟ କମିଟିରେ ଚାଷୀଙ୍କ କଥା ଶୁଣୁନି। ୪୮ ଘଣ୍ଟା ଭିତରେ ଚାଷୀଙ୍କ ଧାନ ମଣ୍ଡିରୁ ଉଠୁଛି ନା ନାହିଁ ତାହା ଜଗିବାକୁ ହେବ। ନହେଲେ ପ୍ରାରମ୍ଭରୁ ହିଁ କୃଷକ ସଂଗଠନ ସ୍ୱର ଉଠାଇବାକୁ ସେ ଆହ୍ୱାନ ଦେଇଥିଲେ।

Advertisment

ପ୍ରବକ୍ତା ସରୋଜ କହିଥିଲେ, ସରକାରଙ୍କ କମ୍ପାନି ପ୍ରୀତି ରହିଛି। ଚାଷୀଙ୍କ କଥା ବୁଝିଲା ଭଳି ରାଜନୈତିକ ଦଳ ନାହିଁ। ଏଣୁ ଚାଷୀ ସଂଗଠନ ଏକଜୁଟ ହେଲେ ଏକତା ବଢ଼ିବ ଏବଂ ସମସ୍ୟାର ସମାଧାନ ହୋଇପାରିବ। ଚାଷୀଙ୍କ ସ୍ୱର ଦବାଇବାକୁ ଚେଷ୍ଟା ହେଉଥିବାରୁ ଚାଷ ଉଜୁଡୁଛି ଓ ଗାଁ ଉଜୁଡୁଛି ବୋଲି ସେ କହିଥିଲେ। ବ୍ୟୋମକେଶ ଠାକୁର କହିଥିଲେ, ସରକାର ସାଟେଲାଇଟ ସର୍ଭେ ନାଁରେ ଚାଷୀଙ୍କୁ ହଇରାଣ କରୁଛି। ଯିଏ ଚାଷ କରିଛି ତାହାର ବି ଚାଷ ହୋଇନି ବୋଲି ରିପୋର୍ଟ ଦିଆଯାଉଛି। ଏଣୁ ଏଥର ଟୋକନ ଇସ୍ୟୁ ସମୟରେ ଚାଷୀ ହଇରାଣ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ଚେତାଇ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ସଂଗଠନ ସଭାପତି ଉମେଶ ମିଶ୍ର, ବରିଷ୍ଠ ସଦସ୍ୟ ମୁରାରୀ ପୁରୋହିତ, ହରିଶଙ୍କର ପୁରୋହିତ, କୃଷକ ସଂଗଠନ ଉପସଭାପତି ବିପିନ ଭୋଇ, ସୁଶାନ୍ତ ପଣ୍ଡା, ବିଭୂତି ପଟ୍ଟନାୟକ, ପ୍ରକାଶ ପ୍ରଧାନ, ତରଣୀ ଭୋଇ, ଭୈରବ ଚନ୍ଦ୍ର ପ୍ରଧାନ, ଦିଲୀପ ସାହୁ, ଏତୁଆ ଗଡିଆ, ଏମ.ଗୋବିନ୍ଦୁ, ବିଭୂତି ପଣ୍ଡା, ରାଧେକୃଷ୍ଣ ପଣ୍ଡା, ସୁଦର୍ଶନ ମହାପାତ୍ର, ଅଶ୍ୱିନୀ ହୋତା, ମନୋଜ ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ୨୦୦୭ ମସିହାର ‘ଚାଷୀର ରେଖା’ ପାଣି ଆନ୍ଦୋଳନ ଭଳି ଆନ୍ଦୋଳନ କରିବାକୁ ହେବ। ଏଥିପାଇଁ ସମସ୍ତେ ଏକଜୁଟ ହୋଇ ହକ୍‌ ପାଇଁ ଲଢ଼େଇ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ ଧାନକିଣା ଦୁର୍ନୀତି ବିରୋଧରେ ଜୋରଦାର ସଂଗ୍ରାମ କରିବାକୁ ଚାଷୀ ସଂଗଠନ ନେତୃବୃନ୍ଦ ଶପଥ ନେଇଥିଲେ।