ସମ୍ୱଲପୁର: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସିବେ। ପୂର୍ବରୁ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ଶୁକ୍ରବାର ସମ୍ବଲପୁର ଓ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବେ। ପୂର୍ବାହ୍ନ ୧୦ଟା ୪୫ରେ ଜମାଦାରପାଲି ଏୟାରଷ୍ଟ୍ରିପ୍‌ରେ ପହଂଚିବେ। ପୂର୍ବାହ୍ନ ୧୧ଟା ୧୦ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଜନସମାବେଶକୁ ସମ୍ବୋଧିତ କରି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀଙ୍କ ପାଇଁ ଭୋଟ ମାଗିବ‌େ। ମଧ୍ୟାହ୍ନ ୧୨.୦୫ରେ ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନାକଟିଦେଉଳ କଲେଜ ପଡ଼ିଆରେ ଜନସଭାକୁ ସମ୍ବୋଧନ କରି ଲୋକସଭା ପ୍ରାର୍ଥୀଙ୍କ ସହିତ ବିଧାନସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୋଟ ଦେବା ପାଇଁ ଜନତାଙ୍କୁ ନିବେଦନ କରିବେ।

Advertisment

ଗୁରୁବାର ସନ୍ଧ୍ୟାରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ତଥା ସମ୍ବଲପୁର ଲୋକସଭା ନିର୍ବାଚନୀ ସଂଯୋଜକ ଇଂ. ସିଦ୍ଧାର୍ଥ ଦାସ, ସମ୍ବଲପୁର ବିଧାନସଭା ନିର୍ବାଚନ ଦାୟିତ୍ଵରେ ଥିବା ତଥା ମୁଖପାତ୍ର ସଞ୍ଜୟ ବାବୁ ପ୍ରମୁଖ ଅଇଁଠାପାଲି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳୀକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ। ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଯୋଗୁ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ସମ୍ୱଲପୁର ବର୍ତ୍ତମାନ ରାଜ୍ୟ ରାଜନୀତିର ହଟସ୍ପଟ୍ ପାଲଟିଥିବା ବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କିଭଳି ଟାର୍ଗେଟ କରିବେ ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିଜେଡିଜୁ ଆଗକୁ ବଢ଼ିବାରେ ଇନ୍ଧନ ଯୋଗାଇବା ବୋଲି କୁହାଯାଉଛି।