ସମ୍ବଲପୁର: ବୁଧବାର ସନ୍ଧ୍ୟା ୫ଟାରେ ଜଣେ ଠିକାଦାର ସଦର ଡାକ୍ତରଖାନାର ଅଫିସ ପରିସରରେ ଆର୍ଏସ୍ବିଆଇ ପ୍ରଟୋକଲ୍ ମ୍ୟାନେଜରଙ୍କ ସହିତ ଅନ୍ୟ ୩ ଅଧିକାରୀମାନଙ୍କୁ ନିସ୍ତୁକ ମାଡ଼ପିଟ କରିଛନ୍ତି। ଗୁରୁତର ଆହତ ଆର୍ଏସ୍ବିଆଇ ପ୍ରଟୋକଲ୍ ମ୍ୟାନେଜରଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତି କରାଯାଇଛି। ଠିକାଦାରଙ୍କ ପତ୍ନୀ ଏକ ଆଉଟସୋର୍ସିଂ ସଂସ୍ଥା ଜରିଆରେ ଡାକ୍ତରଖାନାର ଆର୍ଏସ୍ବିଆଇରେ କାମ କରିନ୍ତି। ସେ କୁଆଡ଼େ ବିଳମ୍ବରେ ଆସୁଥିବାରୁ ପ୍ରଟୋକଲ ମ୍ୟାନେଜର ତାଙ୍କୁ ଦୁଇ ଚାରି ପଦ ଶୁଣାଇ ଥିଲେ। ଘରକୁ ପହଂଚି ମହିଳା କର୍ମଚାରୀ ଜଣକ ଘଟଣା ସଂକ୍ରାନ୍ତରେ ତାଙ୍କ ସ୍ୱାମୀଙ୍କୁ ଅବଗତ କରାଇ ଥିଲେ।
ଏଥିରେ ଉତ୍ତେଜିତ ଠିକାଦାର ଜଣ ଡାକ୍ତରଖାନାକୁ ଆସି ପ୍ରଟୋକଲ ମ୍ୟାନେଜରଙ୍କୁ ଗାଳିଗୁଲଜ କରିବା ସହ ହେଲମେଟ୍ରେ ପିଟି ଥିଲେ। ଠିକାଦାର ଜଣକ ମାଡ଼ପିଟ କରୁଥିବା ଦେଖି ଡିପିଏମ୍, ଡିଏଏମ୍ ଓ ଅନ୍ୟ ଜଣେ ବରିଷ୍ଠ କର୍ମଚାରୀ ଏହାର ପ୍ରତିବାଦ କରିଥିଲେ। ହେଲେ ଉତ୍ୟକ୍ତ ଠିକାଦାର ସେମାନଙ୍କୁ ମଧ୍ୟ ଛାଡ଼ି ନଥିଲେ। ସେମାନଙ୍କ ମଧ୍ୟ ମାଡ଼ପିଟ କରିଥିଲେ। ଘଟଣା ସଂକ୍ରାନ୍ତରେ ମାନା ପଣ୍ଡାଙ୍କ ବିରୋଧରେ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଅପରପକ୍ଷରେ ଶ୍ରୀ ପଣ୍ଡାଙ୍କ ପତ୍ନୀ ମଧ୍ୟ ଉକ୍ତ ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି। ଆଉଟସୋର୍ସିଂ କର୍ମଚାରୀ ହୋଇଥିବାରୁ ତାଙ୍କଠାରୁ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ଭଳି ଅଭିଯୋଗ ଆଣିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/police-station-2.png)