ଦୁର୍ଗାପାଲିରୁ ପ୍ରାଚୀନ ନଟରାଜ ମୂର୍ତ୍ତି ଉଦ୍ଧାର : ନୂଆ ମ୍ୟୁଜିୟମରେ ରଖାଯିବ

ସମ୍ବଲପୁର: ଦୁର୍ଗାପାଲିଠାରୁ ଏକ ପ୍ରାଚୀନ ପ୍ରସ୍ତର ନଟରାଜ ମୂର୍ତ୍ତି ଉଦ୍ଧାର କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ସୂଚନାର ଆଧାରରେ ଇନ୍‌ଟାକ୍‌ ପକ୍ଷରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମର ସହଯୋଗରେ ମୂର୍ତ୍ତିଟିକୁ ଉଦ୍ଧାର କରାଯାଇ ବର୍ତ୍ତମାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟରେ ରଖାଯାଇଛି। ସମ୍ବଲପୁରରେ ସ୍ଥାପିତ ହେବାକୁ ଥିବା ମ୍ୟୁଜିୟମରେ ଏହାକୁ ରଖାଯିବ। ସେହିଭଳି ଗୁଡ଼େଶ୍ୱର ମନ୍ଦିର ପରିସରରୁ ମନ୍ଦିରର ଶୀର୍ଷ ଭାଗ ବା ଅମଳକ ମଧ୍ୟ ସଂଗ୍ରହ କରାଯାଇ ମ୍ୟୁଜିୟମରେ ରଖିବା ପାଇଁ ଏବେ ଜିଲ୍ଲାପାଳ କାର୍ଯ୍ୟାଳୟରେ ରଖାଯାଇଛି।

ଇନ୍‌ଟାକ୍‌ ସମ୍ବଲପୁର ଚାପ୍ଟର ପକ୍ଷରୁ ଚାଲିଥିବା ମହାନଦୀ ଅବବାହିକାରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁର୍ଗାପାଲିରେ କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଇନ୍‌ଟାକ୍‌ ଦଳ ଦୁର୍ଗାପାଲିର ଦେବୀବନ୍ଧ ହିଡ଼ରେ ପହଂଚି ଏହି ପ୍ରାଚୀନ ମୂର୍ତ୍ତିକୁ ଠାବ କରିଥିଲେ। ସର୍ବେକ୍ଷଣ ଦଳର ନେତୃତ୍ୱ ନେଉଥିବା ଐତିହାସିକ ଦୀପକ କୁମାର ପଣ୍ଡା କହଛନ୍ତି ଯେ, ଏହି ପ୍ରାଚୀନ ମୂର୍ତ୍ତିଟି କୌଣସି ଭଗ୍ନ ମନ୍ଦିରର ’ବଜ୍ର ମସ୍ତକ’ ଅଟେ। ମନ୍ଦିରର ମସ୍ତକରେ ବା ସମ୍ମୁଖ ମଧ୍ୟଭାଗ ଠାରୁ କିଛିଟା ନିମ୍ନ ଅଂଶରେ ଏହା ସ୍ଥାନିତ ହୋଇଥିଲା। ପ୍ରାୟ ତିନି ଫୁଟ୍‌ ଲମ୍ବ ଏବଂ ଦୁଇ ଫୁଟ ଓସାର ବିଶିଷ୍ଟ ଏହି ମୂର୍ତ୍ତିର ଓଜନ ପ୍ରାୟ ଦୁଇ କ୍ୱିଣ୍ଟାଲ ହେବ। ୧୦ଟି ହସ୍ତ ବିଶିଷ୍ଟ ଏହି ମୂର୍ତ୍ତି ଅପସ୍ମର ପୁରୁଷ ଉପରେ ଦଣ୍ଡାୟମାନ ହୋଇଥିବା ବେଳେ ଅଗ୍ନିଜ୍ୱାଳାର ଘେର ମଧ୍ୟରେ ରହିଛନ୍ତି। ମୂର୍ତ୍ତିଟି ଏକ ମାଟିସ୍ତୁପ ଉପରେ ଥିବାରୁ ଭୂମିତଳେ କୌଣସି ଭଗ୍ନ ମନ୍ଦିର ଥିବାର ଆଭାସ ମିଳୁଛି।

ଏଠାରୁ କେତେକ ମୂର୍ତ୍ତି ନିକଟସ୍ଥ ଏକ ନବନିର୍ମିତ ମନ୍ଦିରକୁ ସ୍ଥାନାନ୍ତର ହୋଇଥିବାର ସୂଚନା ପାଇ ସର୍ବେକ୍ଷଣ ଦଳ ଉକ୍ତ ମନ୍ଦିରକୁ ଯାଇ ଚାମୁଣ୍ଡା, ନାଗ ଏବଂ ଅନ୍ୟାନ୍ୟ ପ୍ରତିମୂର୍ତ୍ତି ଦେଖିବାକୁ ପାଇଥିଲେ। ଅନେକ ମୂର୍ତ୍ତିର ଖଣ୍ଡିତ ଅବସ୍ଥା ତଥା ପ୍ରାପ୍ତ ନଟରାଜର ଭଗ୍ନ ମୁଖରୁ କୌଣସି ଆକ୍ରମଣକାରୀ ଦ୍ୱାରା ମନ୍ଦିର ଏବଂ ମୂର୍ତ୍ତି ସମୂହର ବିନଷ୍ଟ ସାଧନ କରାଯାଇଥିବା ଭଳି ଜଣାପଡ଼ୁଛି। ତେଣୁ ଏଠାରେ ପ୍ରତ୍ନତାତ୍ତ୍ୱିକ ଖନନର ଆବଶ୍ୟକତା ଅଛି। ସର୍ବେକ୍ଷଣକାରୀ ଦଳରେ ଥିବା ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର କହିଛନ୍ତି ଯେ, ପ୍ରାଚୀନ ସମ୍ବଲପୁରର ପ୍ରତ୍ନତାତ୍ତ୍ୱିକ ସାକ୍ଷ୍ୟ ଅନେ୍ଵଷଣ ଦୃଷ୍ଟିରୁ ଏହା ଏକ ବଳିଷ୍ଠ ସୂତ୍ର ଏବଂ ଆଗାମୀ ସମୟ ପାଇଁ ପ୍ରେରଣା ଅଟେ।

ଇନ୍‌ଟାକ୍‌ ଦ୍ୱାରା ସୂଚନା ଦିଆଯିବା ପରେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଏଡିଏମ ତ୍ରିଲୋଚନ ମାଝୀଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ପିତା ବେହେରାଙ୍କ ନେତୃତ୍ୱରେ ନଟରାଜ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି। ଖୁବ୍‌ ଓଜନିଆ ହୋଇଥିବାରୁ ପ୍ରାୟ ୧୦ ଜଣଙ୍କ ସହାୟତା କ୍ରମେ ଏହାକୁ ବହୁ କଷ୍ଟରେ ଜେସିବିରେ ଲଦାଯାଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଛି। ଇନ୍‌ଟାକ୍‌ ସମ୍ବଲପୁର ଚାପ୍ଟରର ଆବାହକ ପ୍ର. ତାରିଣୀ ପ୍ରସାଦ ପଣ୍ଡା, ଡ. ଶ୍ୟାମସୁନ୍ଦର ଧର, ସ୍ଥାନୀୟ ଅଧିବାସୀ ବୃନ୍ଦାବନ ପାଣ୍ଡେ, ବିନୀତ ପାଣ୍ଡେ, ଗୁଲଶନ ପାଣ୍ଡେ, ସୁରେନ୍ଦ୍ର ତ୍ରିପାଠୀ, ପୌର କର୍ମଚାରୀ ରାଜେଶ ମିଶ୍ର, ଅଶୋକ କୁମାର ବାବୁ, ପ୍ରମୋଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର