ରେଢ଼ାଖୋଲ: ସହର ହେବ ଗାଁ। ସହର ସୁବିଧା ପାଇବେ ନିପଟ ମଫସଲର ଗ୍ରାମବାସୀମାନେ। ଏହି ଲକ୍ଷ୍ୟରେ ନିର୍ମାଣ ହେଲା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମୀଣ ପାର୍କ।  ବର୍ତମାନ ଏହି ଗ୍ରାମୀଣ ପାର୍କର ଅବସ୍ଥା ଶୋଚନୀୟ।ପାର୍କରେ ଲଗିଥିବା ମୂଲ୍ୟବାନ ଫୁଲଗଛ ମରିଗଲାଣି।

Advertisment

ଗ୍ରାମାଞ୍ଚଳର ଶୋଭାବର୍ଦ୍ଧନ ସହିତ ଶିଶୁମାନଙ୍କ ଆମୋଦପ୍ରମୋଦ ଲକ୍ଷ୍ୟରେ ବ୍ଲକ ତରଫରୁ ମନରେଗା ଯୋଜନା ମାଧ୍ୟମରେ ନିମାର୍ଣ ହେଲା ପ୍ରାୟ ୧୫ ରୁ ୨୦ ଲକ୍ଷ ଟଙ୍କାର ଅଟକଳ ବ୍ୟୟରେ। ହେଲେ କିଛି ମାସ ନ ଯାଉଣୁ ଏସବୁ ପାର୍କମାନଙ୍କର ଦୃଶ୍ୟ ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି। ପାର୍କରେ ଅଛି କେବଳ ପାଚେରୀ, ପାଚେରୀ ଛଡ଼ା ଆଉ କିଛି ନାହିଁ, ଯାହା କି ଭାଙ୍ଗିରୁଜି ଚୁରମାର ହୋଇଗଲାଣି। ସମୁଦାୟ ୧୪ଟି ପଞ୍ଚାୟତର ମଧ୍ୟରୁ ୧୩ ପଞ୍ଚାୟତରେ ଏହି ଯୋଜନାରେ ପାର୍କ ନିମାର୍ଣ ହୋଇଛି, ହେଲେ ଜମି ଗଣ୍ତଗୋଳ ଯୋଗୁଁ ଏହି ଗରଗଡବାହାଳ ପଞ୍ଚାୟତରେ ନିମାର୍ଣ କାର୍ଯ୍ୟ ଅଟକି ରହିଛି। ହେଲେ ମୋଚିନବାହାଳ ,କଦଲୀଗଡ ,କୁକୁଡାବାହାଳିର ଗ୍ରାମୀଣ ପାର୍କର  ଦୟନୀୟ ଅବସ୍ଥା ନଦେଖିଲେ ବିଶ୍ବାସ ହେବ ନାହିଁ। ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ପାର୍କ।

ପାର୍କକୁ  ଅଧିକ ଆର୍କଷଣୀୟ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଦାମିକିଆ ଫୁଲ ଚାରାସବୁ ଲଗାଯାଇ ଥିଲା।ତା ସାଙ୍ଗକୁ ଶିଶୁମାନଙ୍କ ଆମୋଦ ପ୍ରମୋଦ ପାଇଁ ଝୁଲାଦୋଳି ମଧ୍ୟ ଲାଗିଥିଲା ପାର୍କରେ। ବସାଉଠା କରିବା ପାଇଁ ସିମେଣ୍ଟ ବେଞ୍ଚ  ସମେତ ଶିଶୁମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାରର ସୈାଖିନ ଦ୍ରବ୍ୟମାନ ଖଞ୍ଜା ଯାଇଥିଲା ପାର୍କ ଭିତରେ।  ଏହି ପାର୍କ ସବୁ ଶ୍ରୀହୀନ ହୋଇପଡିଛି। ଫୁଲ ଗଛର ଚିହ୍ନବର୍ଣ୍ଣ ନାହିଁ। ସୈାଖୀନ ଦ୍ରବ୍ୟ ସବୁଭାଙ୍ଗି ରୁଜି ଗଲାଣି। ଦୋଲି ଭାଙ୍ଗି ତଳେ ପଡ଼ିଛି। ଦିନ ରାତି ସବୁବେଳେ ଗେଟ ଖୋଲା ରହୁଥିବାରୁ ଗାଈଗୋରୁଙ୍କ ଚରାଭୁଇଁ ପାଲଟିଛି ଗ୍ରାମୀଣ ପାର୍କ।

ଯଦିଓ ଏହି ସବୁ ପାର୍କମାନଙ୍କର ରକ୍ଷଣବେକ୍ଷଣ ଦାୟିତ୍ବ ପଞ୍ଚାୟତକୁ ଦିଆଯାଇଥିବା  ବେଳେ ଏଥିପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ସାମାନ୍ୟ ଦୃଷ୍ଟିଦେଉ ନଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଯାଇଛି।  ଲକ୍ଷଲକ୍ଷ ଟଙ୍କାର ପାଣିରେ ପଡୁଥିବା ଘଟଣାକୁ ନେଇ ଗ୍ରାମାଞ୍ଚଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।