କାଠ ଫର୍ନିଚର ଆଳରେ ଚୋର ବନ୍ଧୁକ କାରବାର:୪ ପିସ୍ତଲ ଜବତ, ବେପାରି ଗିରଫ

ସମ୍ବଲପୁର: କାଠ ଫର୍ନିଚର ଆଳରେ ବନ୍ଧୁକ ବେପାର କରୁଥିବା ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ବଡ଼ବାହାଲ ‘ଦୀପକ ଫର୍ନିଚର’ର ମାଲିକ ଦୀପକ ଯାଦବଙ୍କୁ ସମ୍ବଲପୁର ସଦର ଥାନା ପୁଲିସ୍‌ ଗିରଫ କରିଛି। ଦୀପକଙ୍କଠାରୁ ଏକ କଳା ରଂଗର ବ୍ୟାଗ୍‌ରେ ଭର୍ତି ଥିବା ମେଗାଜିନ୍‌ ବ୍ୟବସ୍ଥା ଥିବା ଗୋଟିଏ ସେମି ଅଟୋମେଟିକ୍‌ ପିସ୍ତଲ, ଗୋଟିଏ ୬ ରାଉଣ୍ଡ ରିଭଲ୍‌ଭର, ଗୋଟିଏ ସିଂଗଲ ସଟ୍‌ ପିସ୍ତଲ, ଗୋଟିଏ ଏୟାର ପିସ୍ତଲ, ୨ଟି ଜୀବନ୍ତ ଗୁଳି, ୪୨୦୦ ଟଙ୍କା, ମୋବାଇଲ ଫୋନ୍‌ ଜବତ କରାଯାଇଛି। ଦୀପକ ନିଜ ମାରୁତି ସୁଜୁକି କାର୍‌(ଓଆର୍‌ ୦୨ବିଏ-୯୦୩୪)ରେ ଆସୁଥିବା ବେଳେ ଏସ୍‌ପି ସଂଜୀବ ଅରୋରାଙ୍କ ନିର୍ଦେଶକ୍ରମେ ଛକି ରହିଥିବା ଟିମ୍‌ ସିନ୍ଦୁରପଙ୍କ ନିକଟରେ ଧରିଥିଲେ।

ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସରିଆ ନିବାସୀ ଦୀପକ ସମ୍ବଲପୁରକୁ ବନ୍ଧୁକ ବିକ୍ରି କରିବାକୁ ଆସୁଥିଲା ବୋଲି ସଦର ଏସ୍‌ଡିପିଓ ମିହିର ପଣ୍ଡା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଦୀପକ ସମ୍ବଲପୁର ବନ୍ଧୁକ ବିକ୍ରି ପାଇଁ ଆସୁଥିବା ନେଇ ଏସପି ସଂଜୀବ ଅରୋରାଙ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା। ଏହା ପରେ ଏସ୍‌ପି ଶ୍ରୀ ଅରୋରା ସଦର ଥାନା ଅଧିକାରୀ ସୁରେଶ ସାହୁ, ଇନ୍‌ସପେକ୍ଟର ଲୋକେଶ ସାହୁ, ଏଏସ୍‌ଇ ମହମ୍ମଦ ଜାହାଂଗୀର ପ୍ରମୁଖଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ। ଘଟଣା ସଂକ୍ରାନ୍ତରେ ସଦର ଥାନାରେ ୨୫ ଆମର୍ସ ଆକ୍ଟ ଅନୁଯାୟୀ କେସ୍‌ ନମ୍ବର ୨୯ ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର