ପ୍ଲାଷ୍ଟିକ ଚାଉଳର ଭାତ ଖାଇବା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର: କ୍ଷେତରାଜପୁର ଅଞ୍ଚଳରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରତ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ଅକ୍ଟୋବର ୭ରେ ଚନ୍ଦନା ମହୋତୋଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବହୁ ଉଦ୍ୟମ ସତ୍ତ୍ୱେ ଡାକ୍ତରମାନେ ଚନ୍ଦନାକୁ ବଞ୍ଚାଇ ପାରି ନାହାନ୍ତି।

ଅନ୍ୟପକ୍ଷରେ ଚାଉଳ ବିକ୍ରି କରଥିବା ଅଭିଯୋଗରେ ଅକ୍ଟୋବର ୭ରେ ଗୋଦାମ ସିଲ୍‌ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଆସିନାହିଁ। ଜିଲ୍ଲା ପ୍ରଶାସନ ଠାରୁ ଆଦେଶ ମିଳିବା ପରେ ଏସ୍‌ପି ସଞ୍ଜୀବ ଅରୋରାଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲେ। କ୍ଷେତରାଜପୁରସ୍ଥିତ ତିଓ୍ଵାରୀ ଗଳିରେ ଥିବା ସନ୍ତୋଷ ଟ୍ରେଡ଼ର୍ସଙ୍କ ଗୋଦାମକୁ ସିଲ୍‌ କରାଯାଇଥିଲା। କ୍ଷେତରାଜପୁର ଥାନା ପୁଲିସ ଯୋଗେଶ ପଣ୍ଡାଙ୍କ ନେତୃତ୍ୱରେ ସମ୍ବଲପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଯୋଗାଣ ବିଭାଗର ଅଧିକାରୀମାନେ ପହଞ୍ଚି ଗୋଦାମକୁ ସିଲ କରିଥିଲେ। ପିଣ୍ଟୁ ମୋହତୋ, ବିଜେପି ଯୁବ ନେତା ଅଶ୍ୱିନୀ ମାଝି, କାହ୍ନ ରାମ ଆଦି ଜିଲ୍ଲାପାଳ ସମର୍ଥ ଓ ଏସ୍‌ପି ସଞ୍ଜୀବ ଅରୋରାଙ୍କୁ ଭେଟି ଗୋଦାମ ସିଲ କରିବାକୁ ଅନୁରୋଧ କରିଥିଲେ। ଏହା ପରେ ଗୋଦାମ ସିଲ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା।

ସୂଚନାଯୋଗ୍ୟ, କିଛି ମାସ ତଳେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ରାଜ୍ୟରେ ଅନେକ ତର୍କ-ବିତର୍କ ହୋଇଥିବା ବେଳେ ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ ନେଇ କ୍ଷେତରାଜପୁର ଥାନାରେ ଅଭିଯୋଗ ଆସିଥିଲ। ବିଷାକ୍ତ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ହେବାରୁ ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର ପିଣ୍ଟୁର ମା’ ଚନ୍ଦନା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଘଟଣା ଲୋକଲୋଚନକୁ ଆସିଛି। କମଲ ଗତ ଅକ୍ଟୋବର ୪ରେ କ୍ଷେତରାଜପୁରସ୍ଥିତ ଏକ ଗୋଦାମରୁ ‘ବଂଶୀବାଲା ବ୍ରାଣ୍ଡ’ର ଏକ ବସ୍ତା ଚାଉଳ କିଣି ଆଣିଥିଲେ। ଗୋଦାମରୁ ଅଣାଯାଇଥିବା ଚାଉଳରୁ ସେଦିନ ଭାତ ରୋଷେଇ କରାଯାଇଥିଲା। ପରିବାରର ସମସ୍ତ ସଦସ୍ୟ ରାତ୍ରି ଭୋଜନ ପରେ ଶୋଇ ଯାଇଥିଲେ। କିନ୍ତୁ ରାତିରେ କିଛି ସଦସ୍ୟଙ୍କର ପେଟ କାଟିଥିଲା।

ପ୍ରଥମ ଦିନ ସେମାନେ ପ୍ଲାଷ୍ଟିକ ଚାଉଳ ସମ୍ପର୍କରେ ଅବଗତ ହୋଇ ପାରି ନଥିଲେ। ଗୋଦାମରୁ ଅଣାଯାଇଥିବା ଚାଉଳରୁ ପୁଣି ଥରେ ରୋଷେଇ ହୋଇଥିଲା। ଏଥର କମଲଙ୍କ ପତ୍ନୀ ଚନ୍ଦନା ହିଁ ଶିକାର ହୋଇଥିଲେ। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରୋଷେଇ ଖାଦ୍ୟ ଖାଇ ଗତ ଦୁଇ ଦିନ ଧରି ପରିବାର ଲୋକେ ଭାରି ହଟହଟା ହେଉଥିବା ବେଳେ, ସେମାନେ ଚାଉଳ ଉପରେ ସନ୍ଦେହ କରିଥିଲେ। ଚାଉଳ ପ୍ୟାକେଟକୁ ଠିକ୍‌ ଭାବରେ ଦେଖିବାରୁ ମନରେ ସନ୍ଦେହ ଜାତ ହୋଇଥିଲା।

ସମ୍ବନ୍ଧିତ ଖବର