ସମ୍ବଲପୁର: ଖାକି ପୋଷାକରେ ଲାଗିଛି ଦାଗ। ଜଣେ ପୁଲିସ ସବ୍‌-ଇନ୍‌ସପେକ୍ଟରଙ୍କ ବିରୋଧରେ ଆସିଛି ସଂଗିନ ଅଭିଯୋଗ। ଏକ ପ୍ରେମ ପ୍ରତାରଣା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ହେଁ ସ୍ଥାନୀୟ ଥାନା ପୁଲିସ ଉପଯୁକ୍ତ ଦଫା ଲଗାଇନଥିବା ନେଇ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ ହୋଇଛି। ଜାତୀୟ ମାନବାଧିକାର ଆୟୋଗ ଏ‌ ନେଇ ଆଇନଜୀବୀ ରଂଗେ ନାଥ ଷଡ଼ଂଗୀଙ୍କ ଅଭିଯୋଗକୁ ଗ୍ରହଣକରି ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ବଲପୁର ଏସ୍‌ପିଙ୍କୁ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୦୨୧ ମସିହାରେ ପୀଡ଼ିତା ଯୁବତୀ ଜଣକ ଏକ କୋରେକ୍ସ ମାମଲାକୁ ନେଇ ସଂପୃକ୍ତ ପୁଲିସ ଏସ୍‌ଆଇଙ୍କ ସହିତ ଯୋଗାଯୋଗ କରିଥିଲେ। ପରିଚୟ ହେବା ପରେ ପୁଲିସ ବାବୁଜଣକ ନିଜକୁ ଅବିବାହିତ ଦର୍ଶାଇ ଯୁବତୀଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଇଥିଲେ। ଯୁବତୀଙ୍କ ସହିତ ଏକାଧିକ ଥର ଶାରୀରିକ ସଂପର୍କ ବି ରଖିଥିଲେ। କେବଳ ସେତିକି ନୁହେଁ, ଅର୍ଥାଭାବର ଆଳ ଦେଖାଇ ଯୁବତୀଙ୍କଠାରୁ ୬୦ ହଜାର ଟଙ୍କା ବି ନେଇଯାଇଥିଲେ। ତ‌େବେ, ପୁଲିସ ବାବୁ ଜଣକ ଏକାଧିକ ମହିଳାଙ୍କ ସହିତ ସଂପର୍କ ରଖିଥିବା ନେଇ ଗତ ମେ ୨୦୨୩ରେ ଜାଣିବାକୁ ପାଇବା ପରେ ପୀଡ଼ିତା ଯୁବତୀ  ସ୍ଥାନୀୟ ଥାନାର ଦ୍ବାରସ୍ଥ ହୋଇଥିଲେ।

Advertisment

ଅଭିଯୋଗ ମିଳିବା ପରେ ଏହି ରସିକିଆ ପୁଲିସ ବାବୁଙ୍କ ବିରୋଧରେ ଆଇପିସିର ୪୧୭, ୪୨୦, ୫୦୬ ଦଫାରେ ମାମଲା ରୁଜୁ କରାଯାଇଥିଲା। ସ୍ଥାନୀୟ ଥାନା ପୁଲିସ ଏହି ରସିକିଆ ପୁଲିସ ବାବୁଙ୍କ ବିରୋଧରେ ଆଇପିସିର ୩୭୬ ଦଫା ଲଗାଇନଥିଲା କି ଚାର୍ଜସିଟ ବି ଏପର୍ଯ୍ୟନ୍ତ ଦାଖଲ କରିନାହିଁ। ପୀଡ଼ିତାଙ୍କଠାରୁ ସୂଚନା ପାଇବା ପରେ ଆଇନଜୀବୀ ରଂଗେନାଥ ଷଡ଼ଂଗୀ ନିଜ ଆଡ଼ୁ ଗତ ୩୧ ଜୁଲାଇ ଦିନ ଏ ସଂକ୍ରାନ୍ତରେ ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ଅଭିଯୋଗ କରିଥିଲେ। ମାନବାଧିକାର ଆୟୋଗ ଅଭିଯୋଗକୁ ଗମ୍ଭୀରତାର ସହିତ ନେଇଛନ୍ତି। ଅଭିଯୋଗ ଶୁଣାଣି ବେଳେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହିତ ଚିଠି ପାଇବାର ୧୫ ଦିନ ମଧ୍ୟରେ ଆୟୋଗଙ୍କୁ ଅବଗତ କରିବାକୁ ସମ୍ବଲପୁର ଏସ୍‌ପିଙ୍କୁ କହିଥିବା ଅଭିଯୋଗକାରୀ ଆଇନଜୀବୀ ଶ୍ରୀ ଷଡ଼ଂଗୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ପ୍ରଥମେ ଅଭିଯୋଗ ଆସିବା ପରେ ସଂପୃକ୍ତ ପୁଲିସ ବାବୁଙ୍କୁ ଟାଉନ ଥାନାରୁ କ୍ଷେତରାଜପୁର ଥାନାକୁ ବଦଳି ହୋଇଥିଲା। ଗତକାଲି ତାଙ୍କୁ ପୁଣି ରାୟଗଡ଼ା ଜିଲ୍ଲାକୁ ବଦଳି କରାଯାଇଥିବା ଜଣାପଡ଼ିଛି।