ପ୍ରେମୀ ଯୁଗଳଙ୍କୁ ମନ୍ଦିରରେ ବିବାହ କରାଇଲା ପୁଲିସ୍‌

ସମ୍ବଲପୁର: ଶୁକ୍ରବାର ମହିଳା ଥାନା ପୁଲିସ ଏକ ପ୍ରେମୀ ଯୁଗଳଙ୍କୁ ସମଲେଶ୍ୱରୀ ମନ୍ଦିରରେ ବିବାହ କରାଇବା ଘଟଣା ସହରରେ ଚର୍ଚାର ବିଷୟ ହୋଇଛି। ସମ୍ବଲପୁର ଭତରାର ଗୀତା ଚୌଧୁରୀ(୨୬) ଓ ବଲାଂଗୀର ଜିଲ୍ଲା ପାଟଣାଗଡ଼ର ଜୁରିଆ ନିବାସୀ ସୁରଜ କୁମାର ମେହେର(୨୧) ବିଗ୍‌ ବଜାରରେ କାମ କରୁଥିଲେ। ବିଗ୍‌ ବଜାରରେ କାମ କରିବା ମଧ୍ୟରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ପାଖାପାଖି ୩ ବର୍ଷ ହେଲା ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେବେ ଗତ ଏକ ବର୍ଷ ହେଲା ସେମାନେ ବିଶ୍ୱ ଅଫିସ ନିକଟରେ ଏକ ଘଣ ଭଡ଼ା ନେଇ ଏକାଠି ରହୁଥିଲେ।

ଆସନ୍ତା ୧୫ ଜାନୁଆରୀ ଦିନ କୋର୍ଟ ମ୍ୟାରେଜ କରିବାକୁ ସ୍ଥିର କରିଥିଲେ। ଇତିମଧ୍ୟରେ ସେମାନେ ବିଗ୍‌ ବଜାରରୁ କାମ ଛାଡ଼ି ଦେଇ ଋଣ କରି ନିଜେ ଏକ କପଡ଼ା ଦୋକାନ କରିବାକୁ ସ୍ଥିର କରିଥିଲେ। ତେବେ ପାଖାପାଖି ୧୫ ଦିନ କୋର୍ଟ ମ୍ୟାରେଜ ନିମନ୍ତେ ଜନ୍ମ ତାରିଖ ଜାଣିବା ପାଇଁ ଆବଶ୍ୟକ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ ଆଣିବା ବାହାନାରେ ସୁରଜ ନିଜ ଗାଁକୁ ଚାଲି ଯାଇଥିଲେ। ଆଉ ସମ୍ବଲପୁର ଫେରିନଥିଲେ। ପ୍ରତାରଣାର ଶିକାର ହୋଇଥିବା ଜାଣିବା ପରେ ଗୀତା ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ମହିଳା ଥାନା ଅଧିକାରୀ ତାରାବତୀ ପ୍ରଧାନ ମାମଲାର ସମାଧାନର ସୂତ୍ର ବାହାର କରିବାକୁ ଗୁରୁତ୍ୱ ଦେଇଥିଲେ। ସୁରଜ ଓ ତାଙ୍କ ପରିବାରବର୍ଗଙ୍କୁ ଥାନା ଅଧିକାରୀ ତାରାବତୀ ବହୁ ବୁଝାସୁଝା କରିଥିଲେ। ପରିଶେଷରେ ବିବାହ ପାଇଁ ସୁରଜ ରାଜି ହୋଇଥିଲେ। ଶୁକ୍ରବାର ସୁରଜଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ତାରାବତୀ ସମଲେଶ୍ୱରୀ ମନ୍ଦିରରେ ସୁରଜ ଓ ଗୀତାଙ୍କ ବିବାହ କରାଇ ଥିଲେ। ମନ୍ଦିରରେ ବିବାହ ସରିଥିବା ବେଳେ କୋର୍ଟକୁ ଯାଇ ବିବାହ କରିବାକୁ ତାରାବତୀ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର