ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଚାଷୀ ପ୍ରସଙ୍ଗରେ ଦୁଇ ରାଜନେତା ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ କଥା କଟାକଟି ହୋଇଥିଲେ। ବୈଠକରେ ଚାଷୀ ପ୍ରତିନିଧିମାନେ ଧାନ ବିକ୍ରି ସମୟରେ ହେଉଥିବା ସମସ୍ୟା କଥା ଉଠାଇଥିଲେ। ସରଗରମ ଆଲୋଚନା ପରେ ବିଧାୟକ ଶ୍ରୀ ପୂଜାରୀ ସମ୍ବଲପୁରକୁ ବାରଂବାର ଆସୁଥିବା କେନ୍ଦ୍ର ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହି ଧାନର ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି କରାନ୍ତୁ ବୋଲି କହିଥିଲେ। ଏହାକୁ କାଉଣ୍ଟର କରି ମୁଖ୍ୟମନ୍ତ୍ରୀ ସୋହେଲା ଗସ୍ତ ସମୟରେ ଚାଷୀଙ୍କୁ ବୋନସ ଦେବାର ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଧାୟକ ଶ୍ରୀ ନାୟକ ପ୍ରଶ୍ନ କରିଥିଲେ।

Advertisment

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଧାୟକ ଶ୍ରୀ ପୂଜାରୀ କହିଥିଲେ, କେନ୍ଦ୍ର ସରକାର ସ୍ୱାମୀନାଥନ ରିପୋର୍ଟ ଲାଗୁ କରିବା ସହ ଚାଷୀଙ୍କ ପାଇଁ ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଚାଷୀଙ୍କୁ ଦୁଇଗୁଣା ଲାଭ ମିଳିବ ବୋଲି କୁହାଯାଇଥିଲା। ଏଣୁ, ୨୦୧୯ ମସିହା ଆଗରୁ ସବୁ ଦଳ ମିଶି ବିଧାନସଭାରେ ଧାନର ଏମ୍‌ଏସ୍‌ପି ମୂଲ୍ୟ ୨୯୩୦ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ, ଦୁର୍ଭାଗ୍ୟର ବିଷୟ ସମ୍ବଲପୁରକୁ ବାରଂବାର କେନ୍ଦ୍ର ମନ୍ତ୍ରୀ ଆସୁଥିଲେ ବି ତାହା ହୋଇପାରିନି। କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ପ୍ରଦାନ କରାନ୍ତୁ। ଯେହେତୁ ବୈଠକରେ କେନ୍ଦ୍ର ମନ୍ତ୍ରୀଙ୍କ ଦଳର ପ୍ରତିନିଧି ଉପସ୍ଥିତ ଅଛନ୍ତି ସେମାନେ କେନ୍ଦ୍ର ମନ୍ତ୍ରୀଙ୍କୁ କୁହନ୍ତୁ ବୋଲି କହିଥିଲେ।

ରେଂଗାଲି ବିଧାୟକ ଶ୍ରୀ ନାୟକ ଏହାର ପ୍ରତିବାଦ କରିଥିଲେ। ସେ କହିଥିଲେ, ବୈଠ‌କରେ କେନ୍ଦ୍ରର ନୀତିକୁ ନେଇ ଆଲୋଚନା କରିବା ଉଚିତ ଫୋରମ ନୁହଁ। ପ୍ରଶାସନ ଗୋଟିଏ ବି ଚାଷୀଙ୍କଠାରୁ ୨୧୮୩ ଟଙ୍କା ଏମ୍‌ଏସ୍‌ପିରେ ଧାନ କିଣିବ ବୋଲି ଗ୍ୟାରେଣ୍ଟି ଦେଇପାରିବ କି? ସୋହେଲାରେ ମୁଖ୍ୟମନ୍ତ୍ରୀ ବୋନସ୍‌ ଦେବାକୁ ଚାଷୀଙ୍କୁ କହିଥିଲେ। କିନ୍ତୁ ବର୍ଷ ବର୍ଷ ହେଲା ସେହି ବୋନସ ଚାଷୀ ପାଇ ନାହାନ୍ତି ବୋଲି କହିଥିଲେ। କିଛି ସମୟ ପରେ ବୈଠକ ସ୍ୱାଭାବିକ ହୋଇଥିଲା। ଧାନ କିଣା ସମୟରେ ସମସ୍ତ ସବ୍‌ଡିଭିଜନରେ ଏକ ନିୟନ୍ତ୍ରଣ କକ୍ଷ ଖୋଲିବାର ବୈଠକରେ ନିଷ୍ପତ୍ତି ହୋଇଥିଲା।

ଅନ୍ୟପଟେ ଚାଷୀ ପ୍ରତିନିଧିମାନେ କହିଥିଲେ, ଧାନ ଅମଳ ବିଭିନ୍ନ ସ୍ଥାନରେ ହୋଇ ସାରିଲାଣି। ଶୀଘ୍ର ମଣ୍ଡି ଖୋଲାଯାଉ। ଗାଁ ଗାଁରେ ଧାନ ବେପାରୀମାନେ ସକ୍ରିୟ ହୋଇ ଅଣ୍ଡରରେଟରେ ଧାନ କିଣୁଛନ୍ତି। ଏଥର ଯେମିତି କଟ୍‌ନି ଛଟ୍‌ନି ନହେବ ସେଦିଗରେ ପଦକ୍ଷେପ ନିଆଯାଉ ବୋଲି ଚାଷୀମାନେ ଦାବି କରିଥିଲେ। ମଣ୍ଡିକୁ ଧାନ ଆସିବାର ୪୮ ଘଣ୍ଟା ଭିତରେ ଧାନ ଉଠିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଥିଲେ। ଡିଆର୍‌ସିଏସ୍‌ ଚଳିତ ବର୍ଷ ଏ ସମସ୍ୟା ଯେମିତି ନହେବ ଓ ଚାଷୀ ହଇରାଣ ନହେବେ ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଥିଲେ। ଉପସ୍ଥିତ ଜନପ୍ରତିନିଧିମାନେ ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିବା ସହ ଚଳିତ ଖରିଫ ଧାନ କିଣାକୁ ସୁବ୍ୟବସ୍ଥିତ କରିବାକୁ ମତ ରଖିଥିଲେ। ଆସନ୍ତା ୨୨ ତାରିଖରୁ ସମ୍ବଲପୁର ଉପଖଣ୍ଡ ଏବଂ ୨୭ ତାରିଖରୁ କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡରେ ଖରିଫ ଧାନ କିଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ଧାନ ବିକ୍ରି କରିବାକୁ ୫୯,୯୦୪ ଜଣ ଚାଷୀ ପଂଜୀକୃତ ହୋଇଛନ୍ତି। ସେମାନଙ୍କ ଧାନ ୪୫ଟି ପେକ୍ସ/ଲାମ୍ପସ, ୧୫ଟି ଡବ୍ଲୁଏସଏଚଜି ଜରିଆରେ କିଣାଯିବ। ଆଉ ଏଥର ୪୬ ଜଣ ମିଲର୍ସ ଧାନ କିଣା ପ୍ରକ୍ରିୟାରେ ଭାଗ ନେଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ନାୟକ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରଶେଖର ପଣ୍ଡା, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀରରଂଜନ ବାବୁ, ଜିଲ୍ଲା କୃଷକ ସଂଗଠନ ସଭାପତି ଉମେଶ ମିଶ୍ର, ଜିଲ୍ଲା କୃଷକ ସଂଗଠନ ଉପ ସଭାପତି ବିପିନ ଭୋଇଙ୍କ ସହ କୃଷି, ସମବାୟ, ଯୋଗାଣ ଆଦି ଜିଲ୍ଲା ସ୍ତରୀୟ ଅଧିକାରୀଗଣ, ମିଲର୍ସମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।