ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ଧାନକିଣା। ଆଉ କିଛି ଜିଲ୍ଲାରେ ଅଳ୍ପ ଦିନ ମଧ୍ୟରେ ଧାନକିଣା ଆରମ୍ଭ ହେବ। ହେଲେ ଏବେଠୁ ଧାନକିଣା ବ୍ୟବସ୍ଥାକୁ ନେଇ ଦେଖାଦେଲାଣି ସନ୍ଦେହ। କାରଣ ଧାନକିଣାର ତଥ୍ୟ ଯାହା ବିଗତ ବର୍ଷରେ ଉପଲବ୍ଧ ହେଉଥିଲା, ତାହା ଏଥର ଲୁଚାଇବାକୁ ସବୁ ସ୍ତରରେ ଉଦ୍ୟମ ଚାଲିଛି। ସରକାରୀ ୱେବସାଇଟରେ ଯାହା ତଥ୍ୟ ଉପଲବ୍ଧ ରହୁଥିଲା ତାହା ଆଉ ଏଥର ନାହିଁ। ଏପରିକି ଧାନକିଣାରେ ସାମିଲ ଥିବା ସମବାୟ ବିଭାଗ ହେଉ କି ଯୋଗାଣ ବିଭାଗ କାର୍ଯ୍ୟାଳୟ ମଧ୍ୟ ସବୁ ତଥ୍ୟ ଦେଇପାରୁ ନାହାନ୍ତି। କେତେ ଜଣ ଚାଷୀଙ୍କଠାରୁ ଏଥର କେତେ ପରିମାଣର ଧାନ କିଣାଯିବ ତାହାର ତଥ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପାଖରେ ନାହିଁ। ଏମିତିରେ ଧାନକିଣା ପ୍ରକ୍ରିୟାରେ ସ୍ୱଚ୍ଛତା କେମିତି ଆସିବ?

Advertisment

ପ୍ରତି ବର୍ଷ ଧାନକିଣାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୱେବସାଇଟର ସ୍ୱଚ୍ଛତା ଲିଙ୍କ୍‌ରେ ବିଭିନ୍ନ ତଥ୍ୟ ଉପଲବ୍ଧ କରାଯାଉଥିଲା। କେଉଁଠି କେତେ ଧାନ କିଣାଗଲା, ଜିଲ୍ଲା ସ୍ତରରୁ ନେଇ ପ୍ୟାକ୍ସ ସ୍ତର ପର୍ଯ୍ୟନ୍ତ ସେ ସଂପର୍କିତ ତଥ୍ୟ ଉପଲବ୍ଧ ରହୁଥିଲା। ନିୟମିତ ଅପଡେଟ୍‌ କରାଯାଉଥିଲା। ଏହାସହ କେତେ ଚାଷୀ ପଞ୍ଜୀକରଣ କରିଛନ୍ତି? କେଉଁ ଚାଷୀଙ୍କ ପଞ୍ଜୀକରଣ ସ୍ଥିତି କଣ ରହିଛି? ମିଲର୍ସଙ୍କ ଚାଉଳ ଡେଲିଭରି କେତେ ହୋଇଛି? ମିଲର୍ସଙ୍କ କଷ୍ଟମ ମିଲିଂ ରାଇସ୍‌ (ସିଏମ୍‌ଆର୍‌) ରିପୋର୍ଟ ଆଦି ସବୁ କିଛି ତଥ୍ୟ ରହୁଥିଲା। ଏବେ କିନ୍ତୁ ୱେବସାଇଟ୍‌ରେ ଆଉ ସେସବୁ ତଥ୍ୟ ଦିଆଯାଉ ନାହିଁ। ଏପରିକି ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଥିଲେ ବି ଧାନକିଣା ସ୍ଥିତିର ଠିକ୍‌ ରିପୋର୍ଟ ୱେବସାଇଟ୍‌ରେ ମିଳୁ ନାହିଁ। ଠିକ୍‌ ତଥ୍ୟ ନଦେଇ ଭୁଲ୍‌ ତଥ୍ୟ ଉପଲବ୍ଧ କରାଯାଇଛି।

ସବୁଠୁ ଉଦ୍‌ବେଗର ବିଷୟ ଯେ, ସମ୍ବଲପୁର ଜିଲ୍ଲା ସ୍ତରରେ ଯୋଗାଣ ବିଭାଗ ପାଖରେ ୫୯ ହଜାର ୯୦୪ ଜଣ ଚାଷୀ ପଞ୍ଜୀକରଣ କରିଥିବା ତଥ୍ୟ ଅଛି। କିନ୍ତୁ ମୋଟ କେତେ ଏକର ଜମିର ଫସଲ ବିକିବାକୁ ପଞ୍ଜୀକରଣ ହୋଇଛି ତାହାର ତଥ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ସାଟେଲାଇଟ୍‌ ସର୍ଭେ ପରେ ୪୫ ହଜାରରୁ ଅଧିକ ଚାଷଜମି ଧାନକିଣା ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିବା ସମବାୟ ବିଭାଗ କହୁଛି। କିନ୍ତୁ, ସେହି ସବୁ ଜମି କେତେ ଜଣ ଚାଷୀଙ୍କର ଥିଲା ତାହାର ତଥ୍ୟ ବିଭାଗ ପାଖରେ ନାହିଁ। ବର୍ତ୍ତମାନ ମୋଟ କେତେ ଜଣ ପଞ୍ଜୀକୃତ ଚାଷୀ ଧାନ ବିକିବେ ତାହା ନା ସମବାୟ ବିଭାଗ କହିପାରୁଛି ନା ଯୋଗାଣ ବିଭାଗ। ଅଧିକାରୀମାନଙ୍କୁ ପଚାରିଲେ ଉତ୍ତର ‘ରାଜ୍ୟସ୍ତରରେ ସବୁ ତଥ୍ୟ ମିଳିବ’। ଏହି ସମାନ ଅବସ୍ଥା ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ଦେଖିବାକୁ ମିଳିଛି। ଯଦି ରାଜ୍ୟରେ ତଥ୍ୟ ରହିବ, ଜିଲ୍ଲାସ୍ତରରେ ଧାନକିଣା କେମିତି ସୁରୁଖୁରୁରେ ଚାଲିବ? ନା ଜିଲ୍ଲା ସ୍ତରରେ ତଥ୍ୟ ଥିଲେ ବି ଅଧିକାରୀମାନେ ଦେଉନାହାନ୍ତି?

ଅନ୍ୟପକ୍ଷରେ ବିଭିନ୍ନ ଚାଷୀ ସଂଗଠନ ଦୁର୍ନୀତି ଲୁଚାଇବାକୁ ଏହା ଏକ ସୁଚିନ୍ତିତ କାରସାଦି ବୋଲି ଅଭିଯୋଗ କରିଛନ୍ତି। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଆବାହକ ଅଶୋକ ପ୍ରଧାନ କହିଛନ୍ତି, ତଥ୍ୟ ସର୍ବସାଧାରଣ କଲେ ଦୁର୍ନୀତି ପଦାକୁ ଆସିବ। ଏଣୁ ଜାଣିଶୁଣି ତଥ୍ୟ ଲୁଚାଯାଉଛି ବୋଲି ସେ କହିଛନ୍ତି।