ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଡାକ୍ତରଖାନାର ଜଣେ ମହିଳା ଡାକ୍ତର ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କ ମଧ୍ୟରେ ଝଗଡ଼ା ଘଟଣା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ୨ଟି ଅଲଗା ଅଲଗା ମାମଲା ରୁଜୁ କରିଛି।
ପ୍ରାପ୍ତ ଅଭିଯୋଗ ଅନୁସାରେ, ବୁଧବାର ଦିନ ୧୧ଟା ସମୟରେ ରେଙ୍ଗାଲି ଡାକ୍ତରଖାନାର ଡାକ୍ତର ହରିପ୍ରିୟା ନାୟକ ଓପିଡିରେ ରୋଗୀସେବାରେ ବ୍ୟସ୍ତ ଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମର ୩ ଜଣ ସାମ୍ବାଦିକ ହିମାଂଶୁ ଦାସ, ଜଗନ୍ନାଥ ମେହେର ଏବଂ ଦିନେଶ ମାହାଣା ହଠାତ୍ ଡାକ୍ତରଙ୍କ କ୍ୟାବିନକୁ କ୍ୟାମେରା ଧରି ପଶିଥିଲେ। ସବୁଦିନ ଓପିଡ଼ିକୁ କାହିଁକି ବିଳମ୍ବରେ ଆସୁଛନ୍ତି ବୋଲି କହିବା ସହିତ ରୋଗୀମାନଙ୍କ ସମ୍ମୁଖରେ ଇଆଡ଼ୁ ସେଆଡ଼ୁ ପ୍ରଶ୍ନ ପଚାରିଥିଲେ। ଡାକ୍ତର ନାୟକ ତାଙ୍କ ବିରୋଧରେ କିଛି ଅଭିଯୋଗ ଥିଲେ, ସିଡିଏମଓଙ୍କ ପାଖରେ ଅଭିଯୋଗ କରିବାକୁ ଡାକ୍ତର ନାୟକ ସେମାନଙ୍କୁ କହିଥିଲେ। ଏହା ସତ୍ତ୍ୱେ ସାମ୍ବାଦିକମାନେ ତାଙ୍କୁ ରୋଗୀ ସେବା କରିବାରେ ବାଧା ଦେଇଥିଲେ। କେବଳ ସେତିକି ନୁହେଁ, ରୋଗୀମାନଙ୍କ ସମ୍ମୁଖରେ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଶରୀରକୁ ମଧ୍ୟ ସ୍ପର୍ଶ କରିଥିଲେ ବୋଲି ଡାକ୍ତର ନାୟକ ତାଙ୍କ ଏତଲାରେ ଦର୍ଶାଇଛନ୍ତି।
ସେହିପରି ସାମ୍ବାଦିକମାନଙ୍କ ଏତଲାରେ ଦର୍ଶାଯାଇଛି ଯେ ସେମାନେ ଖବର ସଂଗ୍ରହ କରିବା ପାଇଁ ପୂର୍ବାହ୍ନ ୯ଟା ୪୫ରେ ରେଙ୍ଗାଲି ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ଅପେକ୍ଷା କରିଥିବା କିଛି ରୋଗୀ ଓ ଦୁର୍ଘଟଣାରେ ଆହତ କିଛି ବ୍ୟକ୍ତିଙ୍କ ପ୍ରତିକ୍ରିୟା ନେବା ପରେ ସେମାନେ ଡାକ୍ତର ହରିପ୍ରିୟା ନାୟକଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ଡାକ୍ତର ନାୟକ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ବୁମ୍‌ ଛଡ଼ାଇ ନେଇଥିବା ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ବର ସାହୁଙ୍କୁ ପଚାରିବାରୁ ସେ କହିଲେ, ଉଭୟ ପକ୍ଷର ଏତଲା ଆଧାରରେ ୨ଟି ମାମଲା ରୁଜୁ କରାଯାଇଛି। ଉଭୟ ମାମଲାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି। ଅପରପକ୍ଷରେ ଡାକ୍ତରଙ୍କ ଅଶୋଭନୀୟ ଆଚରଣକୁ ଓୟୁଜେ, ସମ୍ବଲପୁର ଜିଲ୍ଲା ୟୁନିଅନ୍ ନାପସନ୍ଦ କରିଛି। ଡାକ୍ତରଙ୍କ ଏଭଳି କାର୍ଯ୍ୟର ଦୃଢ ନିନ୍ଦା କରିଥିବା ଏକ ପ୍ରେସ୍ ବିବୃତିରେ କହାଯାଇଛି।