ଭିସୁଟରେ ପୁଣି ଆସିଲା ଛାତ୍ରଙ୍କୁ ରାଗିଂ ଅଭିଯୋଗ: ପୁଲିସର ତଦନ୍ତ ଆରମ୍ଭ

ବୁର୍ଲା: ବୁର୍ଲା ଭିସୁଟରେ ପୁଣି ଆସିଲା ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଆଜି ଜଣେ ଦ୍ୱିତୀୟ ବର୍ଷ ଛାତ୍ର ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କୁ ଶେଷ ବର୍ଷର ୧୨ ଜଣ ଛାତ୍ର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତ।ଏନେଇ ସେ ବୁର୍ଲା ଥାନାରେ ଲଖିତ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ଭିସୁଟ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନା ଅନୁସାରେ ଛାତ୍ରଜଣକ ଗତକାଲି ବୁଧବାର ଦିନ ବିଳମ୍ବିତ ରାତିରେ ନିଜ ହଷ୍ଟେଲ ( ପୁଲହ ଛାତ୍ରାବାସ) ରୁମରେ ଶୋଇଥିବାବେଳେ କିଛି ଚତୁର୍ଥ ବର୍ଷ ବା ଶେଷ ବର୍ଷର ଛାତ୍ର ହଷ୍ଟେଲ ରୁମରେ ପଶି ଆସି ରାଗିଂ କରିବା ସହ ପ୍ରବଳ ମାଡ଼ ମାରିଥିଲେ। ପୀଡ଼ିତ ଇଲେକ୍ଟ୍ରୋନିକ ଆଣ୍ଡ ଟେଲି କମ୍ୟୁନିକେସନ ବିଭାଗର ଛାତ୍ର।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ମାସରେ ବୁର୍ଲାର ସୁୁଇଟ ମହାବିଦ୍ୟାଳୟରେ ରାଗିଂ କରିବା ଅଭିଯୋଗରେ  ୯ ଜଣ ଛାତ୍ରଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏକ ମାସ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ତାଙ୍କ ୮ ଜଣ ସହପାଠୀ ରାତିରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହା ପରେ ସମ୍ପୃକ୍ତ ଛାତ୍ର ଜଣକ ଘଟଣା ସମ୍ପର୍କରେ ଶେଷବର୍ଷରେ ପଢୁଥିବା ତାଙ୍କ ଜଣେ ସମ୍ପର୍କୀୟ ବଡ଼ଭାଇଙ୍କୁ ଜଣାଇଥିଲେ। ଏହା ପରେ ବଡ଼ଭାଇ ଜଣକ ତାଙ୍କ କିଛି ସାଙ୍ଗମାନଙ୍କ ସହ ମିଶି ଦୁର୍ବ୍ୟବହାର କରିଥିବା ସେହି ୮ ଜଣ ଛାତ୍ରଙ୍କୁ ଅଧରାତିରେ ଛାତ୍ରବାସ ମଧ୍ୟରେ ଆଣ୍ଠେଇଥିବା ଅଭିଯୋଗ ହୋଇଥିଲା।

ଏହି ସମୟରେ ସେହି ଛାତ୍ରବାସରେ ରାତିରେ ତଦାରଖ କରୁଥିବା କିଛି ଅଧ୍ୟାପକଙ୍କ ନିକଟକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ସେମାନେ ତୁରନ୍ତ ନିର୍ଦେଶକଙ୍କୁ ଜଣାଇଥିଲେ। ଏହା ପରେ ସୁଇଟ୍ ନିର୍ଦ୍ଦେଶକ ପ୍ରଫେସର ବି.କେ ମହାନ୍ତି ତୁରନ୍ତ ଶୃଙ୍ଖଳା କମିଟି ଗଠନ କରି ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର