ସମ୍ବଲପୁର: ଆନ୍ଧ୍ରପ୍ରଦେଶର ଭାଇଜାଗ୍ ପାଠ ପଢ଼ିବାକୁ ଯାଇଥିବା ସମ୍ବଲପୁର ଜିଲ୍ଲାର ଜଣେ ଯୁକ୍ତ ୨ ବିଜ୍ଞାନ ଛାତ୍ର ର୍ୟାଗିଂର ସମ୍ମୁଖୀନ ହୋଇ ଶେଷରେ ଜୀବନ ହାରିଛନ୍ତି। ବାମରା ଅଞ୍ଚଳର ଗୋଡପୋଷ୍ଟ ନିବାସୀ ଶୈଳେଶ କେଶରଓ୍ଵାନୀଙ୍କ ପୁତ୍ର ଶ୍ରେୟସ କେଶରଓ୍ଵାନୀ ର୍ୟାଗିଂର ଶିକାର ହୋଇ ଶନିବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଜୀବନ ହାରିଛନ୍ତି।
ଶୈଲେଶଙ୍କ କହିବା ଅନୁସାରେ ତାଙ୍କ ପୁତ୍ର ଶ୍ରେୟସ ଭାଇଜାଗ୍ର ଶ୍ରୀଚୈତନ୍ୟ ଇଷ୍ଟିଚ୍ୟୁଟ୍ରେ ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ବର୍ଷର ଛାତ୍ର ଥିଲେ। ଡିସେମ୍ବର ଶେଷ ସପ୍ତାହରେ ଶ୍ରେୟସଙ୍କୁ ତାଙ୍କର ସାଥୀ ଛାତ୍ରମାନେ ର୍ୟାଗିଂ କରି ବହୁ ହଇରାଣ କରିବା ସହିତ ନିର୍ଧୂମ ପିଟିଥିଲେ। ଧମକ ଦେଇ ସେମାନେ କହିଥିଲେ, ଯଦି ଏହି ଘଟଣା ସମ୍ପର୍କରେ ବାହାର ଲୋକ ଜାଣନ୍ତି, ତା’ହେଲେ ଅବସ୍ଥା ଖରାପ ହେବ। ତେଣୁ ଶ୍ରେୟସ ପୂର୍ବରୁ ଘଟିଥିବା ର୍ୟାଗିଂ ବିଷୟରେ କାହାରିକୁ କିଛି ନ କହି ଚୁପ୍ ରହିଥିଲେ।
ମୃତ୍ୟୁ ପୂର୍ବରୁ ‘ରେକର୍ଡିଂ’ରେ କ’ଣ କହିଥିଲେ ଶ୍ରେୟସ
ରାଉରକେଲାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେୟସ ପୂର୍ବ ଘଟଣା ସମ୍ପର୍କରେ କହିଥିଲେ। ଏହାକୁ ପରିବାର ଲୋକ ରେକର୍ଡିଂ କରିଛନ୍ତି। ରେକର୍ଡିଂ ଅନୁସାରେ ଶ୍ରେୟସଙ୍କୁ ତାଙ୍କର ସାଥୀ ନୀତାଶ, ଆର.ପାଟଲୁ, ଆଶିଷ ମେହେତୋ, କୁନାଲ ଆନନ୍ଦ ଓ ବିଶାଳ ର୍ୟାଗିଂ କରିଥିଲେ।
ମାତ୍ର ଶ୍ରେୟସ ନିଜ ପିତା ଶୈଳେଶଙ୍କୁ ଫୋନ୍ରେ କିଛି ଘଟଣା ସମ୍ପର୍କରେ କହି ଦେଇଥିଲେ। ସେ କହିଥିଲେ, ବାଥରୁମ୍ରେ ପଡ଼ି ଯିବାରୁ ମୋର ଦେହ ଅସୁସ୍ଥ ଅଛି। ଗତ ଡିସେମ୍ବର ୨୯ରେ ଶୈଳେଶ ଭାଇଜାଗ୍ ଯାଇ ପୁଅକୁ ଡିସେମ୍ବର ୩୦ରେ ନେଇ ସମ୍ବଲପୁର ଆସିଥିଲେ। ଘରେ ୨/୩ ଦିନ ରହିବା ପରେ ଶ୍ରେୟସଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାର ତାଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଧ୍ୟ ଦେହ ସୁସ୍ଥ ଠିକ୍ ନହେବାରୁ ଶ୍ରେୟସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇ ଶନିବାର ସକାଳୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତରମାନେ ବଞ୍ଚାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ଶେଷରେ ଶ୍ରେୟସ ପୂର୍ବାହ୍ନ ୧୧ଟା ୪୦ରେ ଜୀବନ ହାରିଥିଲେ।
ଶୁଣୁନାହିଁ କଲେଜ କର୍ତ୍ତୃପକ୍ଷ
ପୁଅର ମୃତ୍ୟୁ ପରେ ଶୋକାକୁଳ ପରିବାର ପକ୍ଷରୁ ଶ୍ରୀଚୈତନ୍ୟ ଇଷ୍ଟିଚ୍ୟୁଟ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଠିକ୍ ପ୍ରତ୍ୟୁତ୍ତର ମିଳୁ ନାହିଁ। ମହାବିଦ୍ୟାଳୟର ଅଧ୍ୟକ୍ଷ ହେଉ ଅଥବା ପରିଚାଳନା କମିଟି ଫୋନ୍ର ଜବାବ ଦେଉ ନାହାଁନ୍ତି। ଯେଉଁ ପିଲାମାନେ ଶ୍ରେୟସର ମୃତ୍ୟୁ ପାଇଁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କର୍ତ୍ତୃପକ୍ଷ ଚାହୁଁ ନାହାନ୍ତି ବୋଲି ଶୈଳେଶ କହିଛନ୍ତି।
ଶ୍ରେୟସଙ୍କ ଅଭିଯୋଗକୁ ଶୁଣି ନଥିଲେ ଉପାଧ୍ୟକ୍ଷ
ର୍ୟାଗିଂ ଘଟଣା ପରେ ଶ୍ରେୟସ କଲେଜ ଉପାଧ୍ୟକ୍ଷ କେ. ଲକ୍ଷ୍ମଣ ରାଓଙ୍କୁ ଜଣାଇଥିଲେ। ମାତ୍ର କିଛି ଲାଭ ହୋଇ ନଥିଲା। ଓଲଟା କହିଥିଲେ, ପିଲାମାନେ ଘରକୁ ଯାଇଛନ୍ତି। ଫେରିଲେ ଏବିଷୟରେ ଆଲୋଚନା କରାଯିବ।
ପୂରା ହୋଇପାରିଲା ନାହିଁ ପିତା-ମାତାଙ୍କ ସ୍ୱପ୍ନ
ପୁଅ ଭାଇଜାଗରେ ପଢ଼ିବ। ବଡ଼ ଚାକିରି କରିବ। ଭଲ ଦରମା ପାଇ ଘରର ଅନେକ ଅଭାବକୁ ପୂରଣ କରିବ। ଏମିତି ଅନେକ ସ୍ୱପ୍ନ ଦେଖି ଥିବା ଶ୍ରେୟସଙ୍କ ପିତା-ମାତା ଭାଙ୍ଗି ପଡ଼ଛନ୍ତି।