ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଜରାବଗା ପଞ୍ଚାୟତର ଲପଡ଼ା ଗାଁରେ ବେଆଇନ ଗଚ୍ଛିତ ଥିବା ଧାନ ଗୋଦାମରେ ଆଜି ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ଉ ହୋଇଛି। ୩ଟି ଧାନବୋଝେଇ ଟ୍ରକ୍‌ ଜବତ କରାଯିବା ସହ ଗୋଦାମକୁ ସିଲ୍‌ କରି ଦିଆଯାଇଛି।
ସୂଚନାନୁସାରେ, ଏଠାରେ ବେଆଇନ ଧାନ ଗଚ୍ଛିତ ଥିବା ନେଇ କେହି ଚାଷୀ ଗୁରୁବାର ପୂର୍ବାହ୍ଣରେ ଜିଲ୍ଲାପାଳଙ୍କୁ ଫୋନ୍‌ରେ ଅଭିଯୋଗ କରିଥିଲେ। ଏହାର ଯାଂଚ ଲାଗି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁଚିଣ୍ଡା ଉପଜିଲ୍ଲାପାଳ ବିଭୂତି ଭୂଷଣ ନାଏକ, ସହକାରୀ ଜିଲ୍ଲାପାଳ ଲୋଚନ ଶବରଙ୍କ ତତ୍ତ୍ୱାବଧାନରେ ତୁରନ୍ତ ଏକ ସ୍ପେସାଲ ସ୍କ୍ୱାଡ୍‌ ଗଠନ କରାଯାଇଥିଲା। ବାମରା ତହସିଲଦାର ଦିଲୀପ ପ୍ରଧାନ, ଏସିଏସ୍‌ଓ ରାଜକିଶୋର ସ୍ୱାଇଁ, ଏଆର୍‌ସିଏସ୍‌ ଭବାନୀକାନ୍ତ ନାଏକ ଓ ମହୁଲପାଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମୁଗୁରୀ ପ୍ରମୁଖ ଲପଡ଼ା ଗାଁରେ ପହଂଚି ଉକ୍ତ ଗୋଦାମରେ ଚଢ଼ଉ କରିଥିଲେ। ସ୍କ୍ବାଡ୍‌ ପକ୍ଷରୁ ଅପରାହ୍ନ ୪ଟାରୁ ରାତି ପ୍ରାୟ ସାଢ଼େ ୮ଟା ପର୍ଯ୍ୟନ୍ତ ଚଢ଼ଉ କରାଯାଇ ଗଚ୍ଛିତ ଧାନ ସଂପର୍କିତ ବିଭିନ୍ନ କାଗଜପତ୍ର ଜବତ କରାଯିବା ସହ ଟୋକନ୍‌, ରେଜିଷ୍ଟ୍ରେସନ, ଚାଷୀଙ୍କ ଲିଖିତ ବୟାନ ରେକର୍ଡ, ଟ୍ରକ୍‌ରେ ବୋଝେଇ ଥିବା ଧାନ ସଂପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ଏଥିସହ କେତେକ ଗ୍ରାମବାସୀଙ୍କୁ ଏହିସବୁ ଧାନ କେଉଁଠାରୁ ଆସିଲା ଏବଂ ଏହା କେବେଠାରୁ ଚାଲିଛି ସେ ସଂପର୍କରେ ପଚରାଉଚରା କରାଯାଇଥିଲା। ୩ଟି ଟ୍ରକ୍‌ରେ ପ୍ରାୟ ୭୦୦ ବସ୍ତା ଧାନ ବୋଝେଇ ହୋଇଥିବା ସଂପୃକ୍ତ ଟ୍ରକ୍‌ ଡ୍ରାଇଭରମାନଙ୍କ ବୟାନ ଓ ଲିଖିତନାମା ରଖାଯାଇଥିଲା। ଯାଞ୍ଚ ସମୟରେ ଧାନ ଆଣିଥିବା କେତେକ ଚାଷୀ ସଠିକ ଉତ୍ତର ଦେଇ ନପାରିବାରୁ ଶେଷରେ ଧାନ ବୋଝେଇ ହୋଇଥିବା ୩ଟି ଟ୍ରକ୍‌କୁ ଅଟକ ରଖି ମହୁଲପାଲି ଥାନାକୁ ନେଇ ଜିମା ଦିଆଯାଇଥିଲା। ଶୁକ୍ରବାର ଜରାବଗା ମଣ୍ଡିକୁ ନେଇ ସେଠାରେ ନିୟମାନୁସାରେ ଓଜନ କରାଯାଇ ଧାନବୋଝେଇ ଟ୍ରକ୍‌ଗୁଡ଼ିକୁ ସମ୍ବଲପୁର ସ୍ଥିତ ଧାନ ମିଲ୍‌କୁ ପଠାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଟ୍ରକ୍‌ରେ ଧାନ ବୋଝେଇ କରି ରଖିଥିବା ଚାଷୀଙ୍କ ମଧ୍ୟରେ ଜରାବଗା ପଞ୍ଚାୟତ କିନାବଗା ଗାଁର ସୁମନ୍ୟୁ ପଟେଲ, ଧରଣୀଧର ପଟେଲ, ଲପଡ଼ା ଗାଁର ଆଶିଷ ପଟେଲ ଓ ସଂଜୟ ନାୟକ ଏବଂ ଶର୍ଗିଡିହିର ପପ୍ପୁ ନାଏକଙ୍କର ପ୍ରାୟ ୧ ହଜାର ବସ୍ତାରୁ ଅଧିକ ଧାନ ଥିବା ଜଣାପଡ଼ିଛି।

Advertisment

ଗତ ଦୁଇ ସପ୍ତାହ ଧରି ଜରାବଗା ଧାନ ମଣ୍ଡିରେ ଧାନକିଣା ନ ହେବା ତଥା ରେଜିଷ୍ଟ୍ରେସନ ଥାଇ ଠିକ୍‌ ସମୟରେ ଟୋକନ ଜାରି କରାଯାଉ ନଥିବାରୁ ଚାଷୀଙ୍କ ଧାନ ବିକ୍ରିରେ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଲପଡ଼ାର ଚାଷୀ ସଂଜୟ ନାୟକଙ୍କ ୨ଟି ଧାନ ଗୋଦାମ ସିଲ୍‌ କରାଯିବା ପରେ ବାମରା ଏମ୍‌ଆଇ ସୁମିତ୍ରା ଓରାମଙ୍କୁ ଏହାର ଚାବି ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଚଢ଼ଉ ସମୟରେ ବାମରା ତହସିଲ ସୁପରଭାଇଜର ସତ୍ୟନାରାୟଣ ଦାଶ, କୁଚିଣ୍ଡା ଏମ୍‌ଆଇ ପ୍ରସନ୍ନ ଦେହୁରୀ, ବାମରା ଏମ୍‌ଆଇ ସୁମିତ୍ରା ଓରାମ, କେଶାଇବାହାଲ ଲ୍ୟାମ୍ପସ ଏମ୍‌ଡି ସନ୍ଦୀପ ନାୟକ, ଜରାବଗା ଆର୍‌ଆଇ ନୀଳିମା ମିର୍ଦ୍ଧାଙ୍କ ସମେତ ମହୁଲପାଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମୁଗୁରୀ ଉପସ୍ଥିତ ଥିଲେ। ଏହି ପ୍ରକ୍ରିୟାରେ ଚାଷୀଙ୍କ ତରଫରୁ ଆବଶ୍ୟକ ସରକାରୀ କାଗଜପତ୍ର ଦାଖଲ ହେବା ପରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସହକାରୀ ଜିଲ୍ଲାପାଳ ଶ୍ରୀ ଶବର କହିଛନ୍ତି।