ସମ୍ବଲପୁର: ସମ୍ବଲପୁର ସହରରୁ ପୁଣିଥରେ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏଥର ମଧ୍ୟ ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ବ୍ରାଉନ୍‌ସୁଗାର ଜବତ ହୋଇଛି। ପୂର୍ବଥର ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ସୁନାପାଲି ଅଞ୍ଚଳରେ ଚଢ଼ଉ କରି ୧୭ ଗ୍ରାମ ବ୍ରାଉନ୍‌ସୁଗାର ଓ ୨୬ ଷ୍ଟ୍ରିପ୍‌ ନାଇଟ୍ରୋଜେପାମ୍‌ ବଟିକା ସହ ଜଣକୁ ଗିରଫ କରିଥିଲା। ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ସୁନାପାଲିର ଗେଙ୍ଗୁଟିପାଲି ଅଞ୍ଚଳରେ ଚଢ଼ଉ କରି ୧୪ ଗ୍ରାମ ଧଳାଜହର ଜବତ କରିଛି। ଧଳାଜହର କାରବାର କରୁଥିବା ମହିଳା ସୁନାପାଲିର ବଦୁରାନ ବି’(୫୮)ଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କହାଯାଇଛି। ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।

Advertisment

ପୁଅ ଜେଲ୍‌ ଗଲା ପରେ ସାମ୍ରାଜ୍ୟ ସମ୍ଭାଳିଥିଲେ ମା’
ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ଜୁନ୍‌ ମାସରୁ ଧଳା ଜହର ଜବତ ହେବା ଆରମ୍ଭ ହୋଇଥିଲା। ପ୍ରତିମାସରେ ସେଠାରୁ ବିଭିନ୍ନ ପରିମାଣରେ ଜବତ ହେଉଛି ଓ ଅଭିଯୁକ୍ତ ଗିରଫ ମଧ୍ୟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ସୁନାପାଲି ଅଞ୍ଚଳର ୬ ଜଣ ଧଳାଜହର କାରବାର କରୁଥିବା ଅଭିଯୋଗରେ ଜିଲ୍ଲା ଅବକାରୀ ବିଭାଗ ଓ ଅବକାରୀ ଗୁଇନ୍ଦା ବିଭାଗ ଦ୍ବାରା ଧରାପଡ଼ିଛନ୍ତି। କିନ୍ତୁ ତାପରେ ମଧ୍ୟ ଧଳାଜହର କାରବାର ଥମିବାର ନାଁ ନେଉ ନାହିଁ। ଜଣେ ଗିରଫ ହେଲେ ପରିବାରର ଆଉକେହି କାରବାର ସମ୍ଭାଳୁଛି। ମଙ୍ଗଳବାର ଗିରଫ ହୋଇଥିବା ମହିଳାଙ୍କ ପୁଅ କିଛି ଦିନ ତଳେ ନିଶା କାରବାର କରି ପୁଲିସ ଦ୍ବାରା ଗିରଫ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ କହାଯାଇଛି। ପୁଅ ଏବେ ଜେଲ୍‌ରେ ଅଛି। ପୁଅ ଗିରଫ ହେବା ପରେ ତାଙ୍କ ମା’ ଏହି କାରବାରର ମଙ୍ଗ ଧରିଥିଲେ।

ସୁନାପାଲି ଧଳାଜହର ହବ୍‌, ଶୋଇଛି କି ପୁଲିସ?
ଜୁନ ମାସରେ ଅବକାରୀ ବିଭାଗ ସୁନାପାଲି ଅଞ୍ଚଳରୁ ବ୍ରାଉନ୍‌ ସୁଗାର ଜବତ କରିବା ସହ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ କରିଥିଲା। ଜୁଲାଇରେ ୧୩ ଗ୍ରାମ ବ୍ରାଉନ୍‌ ସୁଗାର ସହ ଆଉ ଜଣଙ୍କୁ ଅବକାରୀ ବିଭାଗ ଗିରଫ କଲା। ସେଭଳି ଅଗଷ୍ଟ ୨୯ ତାରିଖ ଦିନ ସୁନାପାଲିର ମସୁମ ଅହମ୍ମଦକୁ ଅବକାରୀ ବିଭାଗ ଗିରଫ କରିବା ସହ ୧୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ କଲା। ସେହି ସୁନାପାଲିରୁ ସେପ୍ଟେମ୍ବର ୪ ତାରିଖ ଦିନ ୧୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଥିବା ବେଳେ ଶୁକ୍ରବାର ଆଉ ୧୭ ଗ୍ରାମ ଜବତ ହୋଇଥିଲା। ମଙ୍ଗଳବାର ପୁଣିଥରେ ସେହି ସୁନାପାଲି ଅଞ୍ଚଳରୁ ୧୪ ଗ୍ରାମ ଧଳାଜହର ଅବକାରୀ ବିଭାଗ ଜବତ କରିଛି। ସହର ସାରା ଧଳାଜହର ବେପାରୀ ବେଧଡ଼କ ନିଶା କାରବାର ଚଳାଇଛନ୍ତି। ସୁନାପାଲିକୁ ନିଶା କାରବାରର ହବ୍‌ ପାଲିଟି ଯାଇଥିବା ବେଳେ ଯେତେ ଗିରଫ କଲେ ମଧ୍ୟ କାରବାର ଥମୁନାହିଁ। ସମ୍ବଲପୁର ପୁଲିସ ପାଖରେ କିନ୍ତୁ ଧଳାଜହର କାରବାର ବିଷୟରେ ଖବର ବି ରହୁନି। ୨୦୨୦ ପୂର୍ବରୁ ସମ୍ବଲପୁର ଧଳାଜହର ଶୂନ୍ୟ ଥିଲା। ସୁନାପାଲି ଏବେ ଧଳାଜହର ହବ୍‌ ପାଲଟି ସାରିଛି। ସେଠାରୁ ଜିଲ୍ଲା ବାହାରକୁ ମଧ୍ୟ ଧଳାଜହର ଚାଲାଣ ହେଉଥିବା ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି। ସହରରେ ବ୍ରାଉନ୍‌ସୁଗାର ଗ୍ରାମ ପିଛା ୧୦ ହଜାର ଟଙ୍କାରେ ବିକ୍ରି ହେଉଛି। ସବୁକିଛି ଜାଣିବା ପରେ ବି ସମ୍ବଲପୁର ପୁଲିସର ନିରବତା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ବେପାରୀମାନେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଟାର୍ଗେଟ୍‌ କରୁଥିବା ବେଳେ ପୁଲିସ କେବେ କାରବାର ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।