ସମ୍ବଲପୁର: ବିମାନବନ୍ଦର ଭଳି ଦେଶରେ ଅତ୍ୟାଧୁନିକ ରେଳ ଷ୍ଟେସନରେ ପରିଣତ କରିବା ପୂର୍ବରୁ କେବେ କଳ୍ପନା କରାଯାଇପାରିନଥିଲା। ଏହା କେବଳ ମୋଦିଜୀ ହିଁ ଚିନ୍ତା କରିପାରନ୍ତି। ଆଜି ମୋଦି ସରକାରରେ ନୂଆ ରେଳ ଚଳାଚଳ, ରେଳ ଲାଇନ ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଅତ୍ୟାଧୁନିକ ରେଳ ଷ୍ଟେସନ କରିବାର କଳ୍ପନାକୁ ବାସ୍ତବରେ ସାକାର କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଜିଲ୍ଲାର ହୀରାକୁଦ ରେଳ ଷ୍ଟେସନ ଠାରେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ‘ଅମୃତ ଭାରତ ଷ୍ଟେସନ’ ଯୋଜନା ଅନ୍ତର୍ଗତ ସାରା ଦେଶରେ ଷ୍ଟେସନର ରୂପାନ୍ତରୀକରଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବରଗଡ଼ ରୋଡ଼, ହୀରାକୁଦ, ରେଢାଖୋଲ, ବରପାଲି, ବଲାଙ୍ଗୀର, ହରିଶଙ୍କର ରୋଡ଼, ଭବାନୀପାଟଣା, ଖରିଆର ରୋଡ଼ ଆଦି ୨୫ଟି ଷ୍ଟେସନ ୫୩୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ।

Advertisment

ଦ୍ବିତୀୟ ପର୍ଯ୍ୟାୟରେ ସମ୍ବଲପୁର ସିଟି ରେଳଷ୍ଟେସନ ଏବଂ ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର ମୁଖ୍ୟ ଷ୍ଟେସନ ଏହି ଯୋଜନାରେ ସାମିଲ ହେବ ବୋଲି କହିଥିଲେ। ନିକଟରେ ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି ପାଇଁ ସର୍ଭେ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୪ କୋଟି ଟଙ୍କା ମଞ୍ଜୁରି ଦିଆଯାଇଛି। ଓଡ଼ିଶାକୁ ପୂର୍ବ ସରକାରରେ ରେଳ ଅନୁଦାନ ବାବଦକୁ ବର୍ଷକୁ ହଜାରେ କୋଟି ଟଙ୍କା ଆସୁନଥିବା ବେଳେ ମୋଦି ସରକାରରେ ରେଳ ଅନୁଦାନରେ ବାର୍ଷିକ ୧୦ ହଜାର କୋଟି ଟଙ୍କା ଆସୁଛି। ରାଜ୍ୟରେ ଶତପ୍ରତିଶତ ରେଳଲାଇନର ବିଦ୍ୟୁତିକରଣ ହୋଇଛି। କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ମୋଦୀ ସରକାରଙ୍କ ପୂର୍ବ ତଥା ୟୁପିଏର ଶେଷ ୧୦ ବର୍ଷ ସରକାରରେ ଓଡ଼ିଶାକୁ ମାତ୍ର ୨ ଲକ୍ଷ ୯୩ ହଜାର କୋଟି ଟଙ୍କା ମିଳିଥିଲା। ରେଳ ଭିତ୍ତିଭୂମିକୁ ମଜବୁତ୍ କରି ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଡିଆର୍‌ଏମ୍‌ ବିନିତ ସିଂହଙ୍କ ସଂଯୋଜନାରେ ହୀରାକୁଦ ଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ମିତ୍ରଭାନୁ ଗୌନ୍ତିଆଙ୍କ ସହିତ ରେଂଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ବିଧାୟକ ରବି ନାୟକ, ବିଜେପି ରାଜ୍ୟ ସାଧାରଣ ସଂପାଦକ ସୀମାଂଚଳ ଖଟେଇ, ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ ପ୍ରମୁଖ ମଂଚାସୀନ ଥିଲେ।