ସମ୍ବଲପୁର/ବୁର୍ଲା: ଜନ୍ମ ସିନା ଦେଇନାହାନ୍ତି। କିନ୍ତୁ ଯଶୋଦା ସାଜି ଅମୃତ ସଞ୍ଜିବନୀ ଦେଉଛନ୍ତି। ଯେଉଁ କାରଣରୁ ବୋରୱେଲ୍‌ରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ବି ସୁଧାର ଆସିଛି। ଦେହର କ୍ଷତ ଶୁଖୁଛି। ହାତ ଓ ଗୋଡ଼ ହଲାଉଛି, ମଝିରେ ମଝିରେ କାନ୍ଦ ବି ଶୁଣିବାକୁ ମିଳୁଛି। ଏହା ହେଉଛି କିଛି ଦିନ ତଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳର ଏକ ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟା କଥା। ବୁର୍ଲା ଭୀମସାର ଆଇସିୟୁରେ ରଖାଯାଇ ଶିଶୁଟିର ଚିକିତ୍ସା ଚାଲିଛି। ଡାକ୍ତର ଅକ୍ଳାନ୍ତ ପରିଶ୍ରମ ବି କରୁଛନ୍ତି। ତେବେ ଶିଶୁଟି କିଭଳି ଅମୃତ ସଞ୍ଜିବନୀ ସଦୃଶ ମା’ କ୍ଷୀର ପାଇବ, ସେ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଥିଲା।

Advertisment

ବୁର୍ଲାରେ ଭର୍ତ୍ତି ହୋଇଥିବା କିଛି ପ୍ରସୂତୀ ମହିଳା ଏହି ଚିନ୍ତାକୁ ଦୂର କରିଦେଇଛନ୍ତି। ସେମାନେ ଯଶୋଦା ଭଳି ନିଜ ଆଡ଼ୁ ଶିଶୁଟିକୁ ମା’ କ୍ଷୀର ଦାନକରିଛନ୍ତି। ଅନ୍ୟପଟେ ଶିଶୁର ଅବସ୍ଥା ସ୍ଥିର ରହିଥିବା ବୁର୍ଲା ଭୀମସାର ଅଧୀକ୍ଷକ ପ୍ରଫେସର ଲାଲ ମୋହନ ନାୟକ କହିଛନ୍ତି। ସେ କହିଛନ୍ତି, ପଛ ପାର୍ଶ୍ୱରେ ଥିବା ଘାଆ ଶୁଖି ଗଲାଣି। ତେବେ ଗୋଟିଏ ଘାଆ ଶୁଖିନି। ସେଥିପାଇଁ ଡ୍ରେସିଂ ଚାଲିଛି। ଶୀଘ୍ର ଘାଆ ଶୁଖିଯିବ ବୋଲି ଆଶା କରୁଛୁ। ଆଗ ଅପେକ୍ଷା ଖାଇବା ବଢ଼ିଛି। ଅନ୍ୟ ମାଆମାନେ ତାକୁ କ୍ଷୀର ଦାନ କରୁଛନ୍ତି। ଏହାଛଡ଼ା ବୋତଲ କ୍ଷୀର ବ୍ୟବସ୍ଥା ମଧ୍ୟ କରାଯାଇଛି। ଛୁଆର ଝାଡ଼ା ଓ ପରିସ୍ରା ଠିକ୍‌ଠାକ ହେଉଛି। ଅକ୍ସିଜେନ୍‌ କାଢ଼ି ଦିଆଯାଇଛି। ଶିଶୁକୁ ଆଉ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ଏସ୍‌ଏନ୍‌ସିୟୁରେ ରଖାଯିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି।